ଆଜିଠୁ ପୁଲିସର ଡ୍ୟୁଟି ଆରମ୍ଭ: ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍

Advertisment

ନିର୍ବାଚନ ଡ୍ୟୁଟିରେ ୮ ପ୍ଲାଟୁନ୍ ଫୋର୍ସ, ୪୨୦ ପୁଲିସ କର୍ମୀ

ନିର୍ବାଚନ ଡ୍ୟୁଟିରେ ୮ ପ୍ଲାଟୁନ୍ ଫୋର୍ସ, ୪୨୦ ପୁଲିସ କର୍ମୀ

ଆଜିଠୁ ପୁଲିସର ଡ୍ୟୁଟି ଆରମ୍ଭ: ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍

Sambad

କଟକ: ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳାବାରଠାରୁ କଟକ କମିସନରେଟ୍ ପୁଲିସ ଅଧୀନରେ ଥିବା ୭ଟି ଥାନା ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି ଆରମ୍ଭ ହୋଇଯିବ। ନିର୍ବାଚନ ଡ୍ୟୁଟିରେ ଥିବା ବୁଥ୍‌ସ୍ତରର ପୁଲିସ କର୍ମୀ, ସେକ୍ଟର୍‌ ଅଫିସର୍‌ମାନେ ନିର୍ବାଚନ ସାମଗ୍ରୀ ସହିତ ବୁଥ୍‌ରେ ପହଞ୍ଚିବେ। ଏ ନେଇ ସମ୍ପୃକ୍ତ କର୍ମଚାରୀମାନେ ଡିସିପି ଅଫିସରେ ରିପୋର୍ଟ ଦାଖଲ କରିବେ। ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ଡିସିପି ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ‘ଡାଏଲ୍-୧୧୨’ ଦେୟମୁକ୍ତ ନମ୍ବର ରଖାଯାଇଛି। ଜଣେ ଏସିପି କଣ୍ଟ୍ରୋଲ୍‌ ରୁମ୍ ଦାୟିତ୍ବରେ ୨୪ ଘଣ୍ଟା ରହିବେ। ନିର୍ବାଚନ ଶେଷ ହେବା ପରେ ସୁରକ୍ଷିତ ଭାବେ ବାଲଟ୍ ବକ୍ସକୁ ବ୍ଲକ୍‌ସ୍ତରରେ ଖୋଲିଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିବା ପାଇଁ ପୁଲିସ ସମସ୍ତ ସୁରକ୍ଷା ଦାୟିତ୍ବ ଯୋଗାଇଦେବ।

ଗତକାଲି ଏ ସଂକ୍ରାନ୍ତରେ ଡିସିପି ଅଫିସ ପକ୍ଷରୁ ପ୍ରସ୍ତୁତି ବୈଠକରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଡିସିପି ପ୍ରତୀକ ସିଂହ ସୁରକ୍ଷା ସଂକ୍ରାନ୍ତ ଏକ ପ୍ରସ୍ତୁତି ବୈଠକ ଆୟୋଜିତ କରିଥିଲେ। ଜବାହରଲାଲ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଏହି ବୈଠକ ହୋଇଥିବା ବେଳେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଟ ୮ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। କଟକ କମିସନରେଟ୍ ପୁଲିସ ଅଧୀନରେ ଥିବା ୭ଟି ଥାନା; ବାରଙ୍ଗ, ସଦର, ଚାଉଳିଆଗଞ୍ଜ, କନ୍ଦରପୁର, ଜଗତପୁର, ଚୌଦ୍ବାର ଓ ବୟାଳିଶମୌଜା ଥାନା ଅଧୀନରେ ମୋଟ ୮୩୫ ବୁଥ୍‌ ଚିହ୍ନଟ ହୋଇଛି। ୮ ପ୍ଲାଟୁନ୍ ଫୋର୍ସ ବାଦ୍ ସୁରକ୍ଷା ଦାୟିତ୍ବରେ ୨୦୦ ହୋମଗାର୍ଡ, ୨୨୦ ଏପିଆର୍ ନିୟୋଜିତ ହେବେ। ସମ୍ବେଦନଶୀଳ ବୁଥ୍‌ରେ ଦୁଇଜଣ ଲେଖାଏ ପୁଲିସ କର୍ମୀ ନିୟୋଜିତ ହେବାକୁ ଥିବା ବେଳେ ଅଣସମ୍ବେଦନଶୀଳ ବୁଥ୍‌ରେ ଜଣେ ଲେଖାଏ ପୁଲିସ ନିୟୋଜିତ ହେବେ। ପ୍ରତି ପଞ୍ଚାୟତକୁ ଦୁଇଟି ସେକ୍ଟର୍‌ରେ ଭାଗ କରାଯାଇ ଇନ୍‌ସପେକ୍ଟର୍‌ ପାହ୍ୟାର ଜଣ ଅଫିସର୍‌ ପ୍ରତି ସେକ୍ଟର୍‌ ଦାୟିତ୍ବରେ ରହିବେ।

ତାଙ୍କ ଅଧୀନରେ ତିନୋଟି ପେଟ୍ରୋଲିଂ ପାର୍ଟି ରହିବେ। ସେକ୍ଟର୍‌ ଅଫିସର୍‌ଙ୍କ ଅଧୀନରେ ଥିବା ଅଞ୍ଚଳରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହାକୁ ସେକ୍ଟର ଅଫିସର ସୁନିଶ୍ଚିତ କରିବେ। ପ୍ରତି ପଞ୍ଚାୟତରେ ଦୁଇଜଣ ଏସିପି ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବରେ ରହିବେ। ଅତିରିକ୍ତ ଏସ୍‌ପି ପାହ୍ୟର ଦୁଇଜଣ ପୁଲିସ ଅଫିସର୍‌ଙ୍କୁ ପ୍ରତି ଥାନା ଦାୟିତ୍ବରେ ରଖାଯିବ। ଗୋଟିଏ ଥାନା ଅଧୀନରେ ଯେତେ ସଂଖ୍ୟାରେ ପଞ୍ଚାୟତ ଥିବ, ସେ ଏହାର ଆନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହିତ ଉତ୍ତରଦାୟୀ ରହିବେ। ପ୍ରତି ଥାନାକୁ ଗୋଟିଏ ସେକ୍ସନ୍‌ ପୁଲିସ କର୍ମଚାରୀ ଯୋଗାଇ ଦିଆଯିବ। ପ୍ରତି ଥାନାକୁ ଦୁଇଟି କ୍ବିଆର୍‌ଟି(କ୍ବିକ୍ ରିଆକ୍ସନ ଟିମ୍) ଦିଆଯିବ। ଏଥିରେ ଜଣେ ଏସ୍‌ଆଇ ପାହ୍ୟାର ଅଧିକାରୀଙ୍କ ସମେତ ୫ ଜଣ କର୍ମଚାରୀ ଦିଆଯିବ। ଥାନା ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେଲେ ଯେଭଳି ୫ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଞ୍ଚିବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଷ୍ଟ୍ରାଇକିଂ ଫୋର୍ସ ବି ପ୍ରତି ଥାନାରେ ଗୋଟିଏ ଲେଖାଏ ରଖାଯିବ। ଏମାନେ ବି ତୁରନ୍ତ ଯେଭଳି ଘଟଣାସ୍ଥଳରେ ପହଞ୍ଚିବେ, ସେଥିପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ବୁଥ୍‌ ୩୦ ପ୍ରତିଶତ କଟକ କମିସନରେଟ୍ ପୁଲିସ ଅଧୀନରେ ଚିହ୍ନଟ କରାଯାଇଛି। ନିର୍ବାଚନ ସମୟରେ ବ୍ଲକ୍‌ସ୍ତରରେ ମଦ ଦୋକାନଗୁଡ଼ିକ ଆଜିଠାରୁ ବନ୍ଦ କରିବା ଉପରେ କଟକଣା ଜାରି କରାଯାଇଛି। କେହି ଚୋରାରେ ମଦ କାରବାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ପ୍ରସ୍ତୁତି ବୈଠକରେ ଡିସିପି ପ୍ରତୀକ ସିଂଙ୍କ ସମେତ ଅତିରିକ୍ତ ଡିସିପି ପ୍ରମୋଦ ରଥ, ଅନୀଲ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe