ନନ୍ଦନକାନନର ଦୁଇ ବବୁନ୍ ମାଙ୍କଡ଼ ଗୋପନରେ, ଘର ନିର୍ମାଣ ସରୁନି; ସଂକଟରେ ବଂଶ, ପର୍ଯ୍ୟଟକ ନିରାଶ

Advertisment
ନନ୍ଦନକାନନର ଦୁଇ ବବୁନ୍ ମାଙ୍କଡ଼ ଗୋପନରେ, ଘର ନିର୍ମାଣ ସରୁନି; ସଂକଟରେ ବଂଶ, ପର୍ଯ୍ୟଟକ ନିରାଶ

Sambad

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୫୩ ନମ୍ବର ଖୁଆଡ଼ ମଧ୍ୟରେ ରହି ପର୍ଯ୍ୟଟକମାନଙ୍କୁ ମନୋରଞ୍ଜନ କରାଉଥିବା ହିମାଦ୍ରୟସ ବବୁନ୍‌ ମାଙ୍କଡ ଦୁଇଟିଙ୍କୁ ୬ମାସ ହେବ ଦେଖିବାକୁ ମିଳୁନି। ନୂତନ ଢାଞ୍ଚାରେ ଖୁଆଡ଼ ନିର୍ମାଣ କରାଯାଉଥିବାରୁ ସେମାନଙ୍କୁ ଗୋପନରେ ରଖିଛନ୍ତି କର୍ତ୍ତୃପକ୍ଷ। ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ବାରାଣ୍ଟାଇନ୍ ବା ପୃଥକୀକରଣ କକ୍ଷ ମଧ୍ୟରେ ରଖାଯିବା ଫଳରେ ପର୍ଯ୍ୟଟକମାନେ ଦେଖିବା ସମ୍ଭବ ହେଉ ନାହିଁ। ଏଣେ ପୁରୁଣା ଢାଞ୍ଚାକୁ ଭାଙ୍ଗି ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଠିକା ସଂସ୍ଥା ଦ୍ବାରା କରାଯାଉଥିବା ନୂତନ ମାଙ୍କଡ଼ ଘରର କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ ସାରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସମୟସୀମା ଅତିକ୍ରାନ୍ତ ହୋଇଥିଲେ ବି ଏଯାବତ୍‌ ଅଧା କାମ ବି ହୋଇ ପାରି ନାହିଁ। କେବେ କାମ ସମ୍ପୂର୍ଣ୍ଣ ହେବ ତାହାର ମଧ୍ୟ କିଛି ନିର୍ଦିଷ୍ଟ ଉତ୍ତର ନାହିଁ।

ଫଳ‌ରେ ବବୁନ୍‌କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ଉତ୍କଣ୍ଠା କେବେ ପୂରଣ ହେବ ତାହା ମଧ୍ୟ ଅନିର୍ଦିଷ୍ଟତା ମଧ୍ୟରେ ରହିଛି। ୧୯୯୩ ମସିହାରେ ନନ୍ଦନକାନନକୁ ପ୍ରଥମ କରି ମାଡ୍ରାସ ଚିଡିଆଖାନାରୁ ୪ଟି ବବୁନ୍‌ ମାଙ୍କଡ଼ ଅଣାଯାଇଥିଲା। ଏଠାରେ ବଂଶ ବୃଦ୍ଧି ହେବା ବଦଳରେ କିଛି ବର୍ଷ ପରେ ୨ଟିଙ୍କର ମୃତ୍ୟୁ ଘଟିଥିଲା। ପରେ ଗୋଟିଏ ଅଣ୍ଡିରା ‘ଜଗା’ ଓ ଗୋଟିଏ ମାଈ (ନାମକରଣ ହୋଇ ନାହିଁ) ରହିଛନ୍ତି। ଏମାନଙ୍କ ଭିତରେ ବୟସର ଅଧିକ ତରାତମ୍ୟ ରହିଛି। ଜଗାକୁ ୩୨ ବର୍ଷ ଓ ମାଈଟିର ବୟସ ୧୫ ବର୍ଷ। ତା’ଛଡା ବବୁନ୍‌ ଦୁଇଟି ବୟସାଧିକ କାରଣରୁ ପ୍ରଜନନ କ୍ଷମତା ମଧ୍ୟ ହରାଇ ବସିଛନ୍ତି। ଯାହା ଫଳରେ ନନ୍ଦନକାନନର ବବୁନ୍ ବଂଶ ବୃଦ୍ଧିର ଆଶା କ୍ଷିଣ ହୋଇଛି। ଉଭୟଙ୍କୁ ପରସ୍ପରଠାରୁ ଅଲଗା ରଖାଯାଇ ଆସୁଛି। ନନ୍ଦନକାନନର ପରିସଂଖ୍ୟାନରୁ ଦେଖିଲେ ୨୦୧୦ ମସିହା ପରଠାରୁ ଗତ ୧୨ବର୍ଷ ମଧ୍ୟରେ ଗୋଟିଏ ବି ବବୁନ୍‌ ଜନ୍ମ ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe