ନ୍ୟୁ ତରୋଳ ଅଲ୍‌ଟ୍ରା ଲେନ୍‌ ରାସ୍ତା ବିପର୍ଯ୍ୟସ୍ତ, ସିଏମ୍‌ସି, ପୂର୍ତ୍ତ ଓ ଜନସ୍ବାସ୍ଥ୍ୟ ବିଭାଗ ଦୋଷ ଠେଲାଠେଲି

ନ୍ୟୁ ତରୋଳ ଅଲ୍‌ଟ୍ରା ଲେନ୍‌ ରାସ୍ତା ବିପର୍ଯ୍ୟସ୍ତ, ସିଏମ୍‌ସି, ପୂର୍ତ୍ତ ଓ ଜନସ୍ବାସ୍ଥ୍ୟ ବିଭାଗ ଦୋଷ ଠେଲାଠେଲି

Sambad

ଜଗତପୁର: ଜଗତପୁର ୪୯ନଂ ୱାର୍ଡ ଅନ୍ତର୍ଗତ ନ୍ୟୁ ତରୋଳ ଅଲଟ୍ରା ଲେନ୍‌ ରାସ୍ତାଟି ଦୁଇବର୍ଷରୁ ଅଧିକ ସମୟ ହେବ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ଅଧିକାଂଶ ସ୍ଥାନରେ ତଡ଼ାଯାଇଥିବା ମାଟି ଜମା‌ହୋଇ ରହିବା ସହ ଖାଲଖମା ସୃଷ୍ଟି ହୋଇଛି। ଆଉ କେତେକ ସ୍ଥାନରେ ପିଚୁ ଉଠିଯାଇ ମେଟାଲ୍‌ଗୁଡ଼ିକ ଉପରକୁ ବାହାରି ଯାତାୟାତରେ ବାଧା ସୃଷ୍ଟି କରିଛି। ପ୍ରାୟ ୧ କିଲୋମିଟର ଦୀର୍ଘ ପୂର୍ତ୍ତବିଭାଗ ଅଧୀନରେ ଥିବା ଏହି ରାସ୍ତାଟି କଟକ-ଚାନ୍ଦବାଲି ରାଜପଥ ପାର୍ଶ୍ଵ ଆକ୍ସିସ ବ୍ୟାଙ୍କ ଛକଠାରୁ କେନ୍ଦ୍ରାପଡ଼ା କେନାଲ ବନ୍ଧ ମଧୁବାବୁ ସେତୁକୁ ସଂଯୋଗ କରୁଛି। ଜଗତପୁର ମୁଖ୍ୟବଜାର ଏବଂ ନୂତନ ଶିଳ୍ପାଞ୍ଚଳକୁ ଟାଙ୍ଗୀ, ଚୌଦ୍ୱାର, ପୁରୁଣା ଜଗତପୁର, ଖଇରା ଓ ଇମାମନଗର ବାସିନ୍ଦାଙ୍କ ଯାତାୟାତ ନିମନ୍ତେ ଏହା ଏକମାତ୍ର ସଂଯୋଗ ରାସ୍ତା। ରକ୍ଷଣାବେକ୍ଷଣା ଅଭାବ, ଏହି ରାସ୍ତା ବିପର୍ଯ୍ୟୟର ମୁଖ୍ୟ କାରଣ କୁହାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୧୦ବର୍ଷ ପୂର୍ବରୁ ପୂର୍ତ୍ତବିଭାଗ ପକ୍ଷରୁ ଏହି ରାସ୍ତା ଆକ୍ସିସ୍‌ ବ୍ୟାଙ୍କ ଛକଠାରୁ ନ୍ୟୁ ତୋରଳସ୍ଥିତ ଦକ୍ଷିଣପାର୍ଶ୍ଵ କେନ୍ଦ୍ରାପଡ଼ା କେନାଲ ବନ୍ଧକୁ ସଂଯୋଗ କରାଯାଇଥିଲା। ମାତ୍ର ଏବେ ଜଗତପୁର ଅଞ୍ଚଳରେ କେନ୍ଦ୍ରାପଡ଼ା କେନାଲ ବନ୍ଧର ଉଭୟପାର୍ଶ୍ୱରେ ଜନବସତି ବୃଦ୍ଧି ପାଇବା ସହିତ ନୂତନ ଭାବେ କେନାଲ ବନ୍ଧରେ ସଂଯୋଗ ସେତୁ ନିର୍ମାଣ ହୋଇଛି। ଏହା ଫଳରେ ରାସ୍ତାରେ ଅଧିକସଂଖ୍ୟାରେ ଯାନବାହନ ଓ ପଥଚାରୀ ଯାତାୟତ କରୁଛନ୍ତି। ଅନ୍ୟପକ୍ଷରେ ଦୁଇବର୍ଷ ମଧ୍ୟରେ ସ୍ଥାନୀୟ ଲୋକଙ୍କ ଦାବିରେ ସିଏମ୍‌ସି ପକ୍ଷରୁ ଜଳ ନିଷ୍କାସନ ନିମନ୍ତେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଅର୍ଦ୍ଧାଧିକ ଶେଷ ହୋଇଛି। ଡ୍ରେନ୍‌ ନିର୍ମାଣ ସମୟରେ ତଡ଼ାଯାଇଥିବା ମାଟିକୁ ଅନ୍ୟତ୍ର ନିଆ ଯାଇ ନଥିବାରୁ ତାହା ରାସ୍ତା ଉପରେ ଜମା ହୋଇ ରହିଛି। ଏଥିସହିତ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ଯୋଗାଣ ନିମନ୍ତେ ରାସ୍ତା ଖୋଳାଯାଇ ପାଇପ୍‌ ବିଛାଯାଇଛି। ପାଇପ ବିଛାଯିବା ସ୍ଥାନରୁ କଢ଼ାଯାଇଥିବା ମାଟି ମଧ୍ୟ ରାସ୍ତାରେ ପଡ଼ି ରହିଛି। ବର୍ଷା ପରେ ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇ ଯାତାୟାତରେ ବାଧା ସୃଷ୍ଟି ହେଉଛି। ପାଇପ୍‌ଲାଇନ୍‌ ବିଛାଯିବା ସମୟରେ ମାଟିତଳେ ଥିବା କେବୁଲ୍‌ ତାର କଟିଯିବା ଫଳରେ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ ଯୋଗାଯୋଗ ବିଛିନ୍ନ ହୋଇଛି।

ଉପରୋକ୍ତ ସମସ୍ୟାଗୁଡ଼ିକ ସମ୍ପର୍କରେ ଅଲଟ୍ରା ଲେନ୍‌ ବାସିନ୍ଦା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର କହିଛନ୍ତି ଯେ ପୂର୍ତ୍ତ, ସିଏମ୍‌ସି ଏବଂ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ରାସ୍ତା ସମସ୍ୟା ଦୂର ହୋଇ ପାରୁନି। ଇମାମ୍‌ନଗର ଗ୍ରାମର ବରିଷ୍ଠ ନାଗରିକ ଶିବ ପ୍ରଧାନ କହିଛନ୍ତି, କେନାଲବନ୍ଧ ମଧୁବାବୁ ସଂଯୋଗ ସେତୁ ନିର୍ମାଣ ପରେ ୫ରୁ ଅଧିକ ଗ୍ରାମର ବାସିନ୍ଦାଙ୍କ ସମେତ ସ୍କୁଲ ଓ ଜଲେଜ ଛାତ୍ରଛାତ୍ରୀ ଅସୁବିଧାରେ ଭୋଗୁଛନ୍ତି। ଏହି ରାସ୍ତା ଉପରେ ସେମାନେ ନିର୍ଭର କରୁଥିବାରୁ ଏହାକୁ ତୁରନ୍ତ ପୁନଃନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଛି। ଏ ସମ୍ପର୍କରେ ଜଗତପୁରସ୍ଥିତ ପୂର୍ତ୍ତ ବିଭାଗ ସହକାରୀଯନ୍ତ୍ରୀ ପ୍ରଫୁଲ ବେହେରାଙ୍କୁ ପଚାରିବାରେ, ଉକ୍ତ ରାସ୍ତା ପୁନଃନିର୍ମାଣର ଆବଶ୍ୟକତାକୁ ସ୍ବୀକାର କରିଛନ୍ତି। ଅର୍ଥ ବ୍ୟବସ୍ଥା ନଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିବା ସେ କହିଛନ୍ତି। ମହାନଦୀବିହାରସ୍ଥିତ ସହକାରୀ ଯନ୍ତ୍ରୀ ଦୟାନିଧି ବେହେରା କହିଛନ୍ତି, ଡ୍ରେନ୍‌ ନିର୍ମାଣ ବେଳେ ସିଏମ୍‌ସି ଜମା କରିଥିବା ମାଟିକୁ ସ୍ଥାନାନ୍ତରିତ କଲେ ଆମେ ପାଇପ୍‌ଖୋଳା ସ୍ଥାନଗୁଡ଼ିକୁ କଂକ୍ରିଟ୍‌ କରିବୁ। ଅପରପକ୍ଷେ, ରାସ୍ତା ନିର୍ମାଣ, ମରାମତି ଦାୟିତ୍ୱ ସମ୍ପୂର୍ଣ ଜନସ୍ୱାସ୍ଥ୍ୟ ବିଭାଗର ବୋଲି ସିଏମ୍‌ସିର ସହକାରୀ ଯନ୍ତ୍ରୀ ଡି.କେ ପ୍ରଧାନ କହିଛନ୍ତି। ପରସ୍ପର ମଧ୍ୟରେ ଦୋଷ ଲଦାଲଦି ଭିତରେ ସାଧାରଣ ଲୋକଙ୍କ ସମସ୍ୟା ବଢ଼ି ଚାଲିଛି। ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ଅଧ୍ୟାପକ ଡମ୍ବରୁଧର ସାହୁ, ବଂଶୀଧର ବେହେରା, ପ୍ରମୋଦ ମହାନ୍ତି, ରବୀନ୍ଦ୍ର ଓଝା ଓ ସୁରେନ୍ଦ୍ର ରାଉତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe