Sambad
କଟକ: ଭୋର ଚାରିଟାରୁ ଟିକା ପାଇଁ ହିତାଧିକାରୀ ହସ୍ପିଟାଲରେ ଧାଡ଼ି ବାନ୍ଧୁଛନ୍ତି। କିନ୍ତୁ ଦିନ ୯ ଟା ବେଳେ ଟିକାକରଣ କେନ୍ଦ୍ର ଖୋଲିଲେ ଜାଣୁଛନ୍ତି ଯେ ଆଜି ଅଫଲାଇନରେ ଟିକା ଦିଆଯିବ ନାହିଁ। କେବଳ ଅନଲାଇନରେ ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଟିକା ଦିଆଯିବ। ସମାନ ସ୍ଥିତି ଅପରାହ୍ନରେ ବି ସୃଷ୍ଟି ହେଉଛି। ଆଜି ଦ୍ଵିତୀୟ ଡୋଜ ନୁହଁ, ପ୍ରଥମ ଡୋଜ ହିତାଧିକାରୀଙ୍କୁ ଟିକା ଦିଆଯିବ। କେଉଁଦିନ କିଭଳି ଉପାୟରେ କେଉଁ ବର୍ଗଙ୍କୁ ଟିକାକରଣ କରାଯିବ, ଏ ସମ୍ପର୍କରେ ସିଟି ହସ୍ପିଟାଲ ପରିସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କୌଣସି ସୂଚନା ଜାରି ହେଉନାହିଁ।
ସୋସିଆଲ ମିଡିଆରେ ସୂଚନା ଦିଆଯାଉଥିବା କହି ହସ୍ପିଟାଲ ଦାୟିତ୍ୱ ଖସାଉଥିବା ବେଳେ ସାଧାରଣ ଲୋକଙ୍କ ନିକଟରେ କିନ୍ତୁ ଏହି ସୂଚନା ପହଁଚି ପାରୁ ନାହିଁ। ଏହାଦ୍ୱାରା ସାଧାରଣ ଲୋକେ ଟିକାକରଣକୁ ନେଇ ଦ୍ଵନ୍ଦ୍ବରେ ପଢୁଛନ୍ତି। ପରିସ୍ଥିତି ଏଭଳି ହେଉଛି ଯେ ଦୈନିକ ପାଖାପାଖି ହଜାରରୁ ଅଧିକ ହିତାଧିକାରୀ ସିଟି ହସ୍ପିଟାଲରୁ ଫେରିବା ଓ ପୁଲିସ ସହିତ ମୁହାଁମୁହିଁ ହେବା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
କଟକରେ ଗଲା ୨୯ ତାରିଖରୁ ଟିକାକରଣ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। କିନ୍ତୁ ଗଲା ୫ ତାରିଖରୁ ସ୍ୱାଭାବିକ ହୋଇଥିଲେ ସୁଦ୍ଧା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପିଟାଲରେ ଦୈନିକ ୧୮ରୁ ୪୪ ବୟସ ଯାଏ ହିତାଧିକାରୀଙ୍କ ପାଇଁ ପ୍ରାୟ ୨୦୦ ସ୍ଲଟ ଟିକାକରଣ ପାଇଁ ଖୋଲା ଯାଉଥିବା ବେଳେ ଗଲା ଦୁଇ ଦିନ ହେବ କିନ୍ତୁ ହଜାରେରୁ ଉର୍ଦ୍ଧ୍ବ ହିତାଧିକାରୀ ଆସିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୧୮ରୁ ୪୪ ଓ ୪୫ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକାକରଣରେ ଦ୍ଵନ୍ଦ୍ବ ସୃଷ୍ଟି କରୁଛି ସିଟି ହସ୍ପିଟାଲ। ସକାଳ ୯ଟାରୁ ଦିନ ଗୋଟାଏ ଯାଏ ୧୮ରୁ ୪୪ ବୟସ ଯାଏ ହିତାଧିକାରୀଙ୍କୁ ଟିକା ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି। କିନ୍ତୁ ନିଜ ଇଚ୍ଛାରେ ସ୍ଲଟଧାରୀ ଓ ବିନା ସ୍ଲଟଧାରୀଙ୍କୁ ଟିକାକରଣ କରାଯାଉଛି। ଆଜି ବିନା ସ୍ଲଟ ଧାରୀଙ୍କୁ ଟିକାକରଣ କରାଯାଉଥିବା ବେଳେ ଆସନ୍ତାକାଲିକୁ ନିୟମ ବଦଳି ଯାଉଛି। ଯେଉଁମାନେ ଆରୋଗ୍ୟ ସେତୁ କିମ୍ବା କୋ-ଉଇନ ଆପରେ ସ୍ଲଟ ବୁକିଂ କରିଥିବେ କେବଳ ସେହିମାନଙ୍କୁ ଟିକା ଦିଆଯାଉଛି। ରାତି ୪ଟାରୁ ଯେଉଁ ବିନା ସ୍ଲଟ ଧାରୀ ଟିକାକରଣ ପାଇଁ ଧାଡିରେ ଛିଡ଼ା ହେଉଛନ୍ତି ସେମାନେ ସକାଳ ୯ ଟା ବେଳକୁ ଜାଣୁଛନ୍ତି ଯେ ଆଜି କେବଳ ସ୍ଲଟଧାରୀଙ୍କୁ ଟିକା ଦିଆଯିବ।
ଆଜି ଧାଡ଼ିରେ ଥିଲେ ପ୍ରାୟ ୫୦୦ରୁ ଅଧିକ ହିତାଧିକାରୀ। ସିଟି ହସ୍ପିଟାଲ କନଫରେନ୍ସ ହଲ ଟିକାଦାନ କେନ୍ଦ୍ରରୁ ଆତଙ୍କ ନାସିନୀ ମନ୍ଦିର ଯାଏ ଏବଂ ଚକ୍ଷୁ ଆଉଡର ଯାଏ ଦୁଇଟି ଲମ୍ବା ଧାଡ଼ି ଆଜି ଦେଖିବାକୁ ମିଳିଥିଲା। କିନ୍ତୁ ସ୍ଲଟ ବୁକିଂ ମାତ୍ର ୧୦ରୁ ୧୨ ଜଣ କରିଥିଲେ। ଅବଶିଷ୍ଟ ହିତାଧିକାରୀଙ୍କୁ ଫେରିବାକୁ ପଡିଥିଲା। ଗଲା ୫ ତାରିଖରେ ବିନା ସ୍ଲଟରେ ଟିକା କରଣ ହୋଇଥିବାରୁ ଆଜି ଅଧିକାଂଶ ବିନା ସ୍ଲଟ ବୁକିଂରେ ହିଁ ଆସିଥିଲେ। ଗୋଟିଏ ଦିନ ବ୍ୟବଧାନରେ ନିୟମ ବଦଳି ଯାଉଛି। କେଉଁଦିନ ସ୍ଲଟ କି ବିନା ସ୍ଲଟରେ ଟିକାକରଣ କରାଯିବ, ସେ ସମ୍ପର୍କିତ ଆଗୁଆ ସୂଚନା ହସ୍ପିଟାଲ ପରିସରରେ ଦିଆଯାଉନାହିଁ। ଟିକା ପାଇଁ କିଏ ବ୍ୟବସାୟ ବନ୍ଦ କରି ତ ଆଉ କିଏ ଅଫିସରୁ ଛୁଟି ଆଣି ଟିକା ନେବାକୁ ଆସୁଛି। ଭୋର ୪ଟାରୁ ଧାଡ଼ି ବାନ୍ଧି ଛିଡ଼ା ହେଉଥିବା ବେଳେ ଦିନ ୯ ଟାରେ ହିତାଧିକାରୀ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛି। ଅନ୍ୟପଟେ ୪୫ରୁ ଉର୍ଦ୍ଧ୍ବ ବୟସର ହିତାଧିକାରୀଙ୍କୁ ଅପରାହ୍ନ ୩ଟାରୁ ୫ ଟା ଯାଏ ଟିକାକରଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏମାନଙ୍କୁ ଅଫଲାଇନରେ ଟିକା ଦିଆଯାଉଛି। କିନ୍ତୁ କେଉଁ ଦିନ ପ୍ରଥମ ଡୋଜ ଓ ଦ୍ଵିତୀୟ ଡୋଜ ଟିକା ଦିଆଯାଉଛି, ସେ ସମ୍ପର୍କରେ କୌଣସି ପ୍ରକାର ଆଗୁଆ ସୂଚନା ରହୁନାହିଁ।
ଦିନ ପ୍ରାୟ ଗୋଟାଏ ବେଳୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ହିତାଧିକାରୀ ୩ଟା ବେଳେ ହିଁ ଜାଣୁଛି ଆଜି ପ୍ରଥମ କି ଦ୍ଵିତୀୟ ଡୋଜ ଟିକା ଦିଆଯିବ। ଖରାରେ ଛିଡ଼ା ହୋଇଥିବା ହିତାଧିକାରୀ ଶେଷରେ ନିରାଶ ହେଇ ଫେରୁଛି। ଦୈନିକ ପ୍ରାୟ ୬୦୦ରୁ ଅଧିକ ଲୋକ ଧାଡ଼ି ବାନ୍ଧୁଥିବା ବେଳେ ଦୈନିକ ପ୍ରାୟ ୫୦ରୁ ୧୦୦ ଟିକା ଦିଆଯାଇଛି। ଟିକା ସରିଯାଇଥିବା କହି ସ୍ଲଟ ଥିବା ହିତାଧିକାରୀଙ୍କୁ ଫେରାଇ ଦିଆଯାଉଛି। ଏଭଳି ଘଟଣା କେବଳ ସିଟି ହସ୍ପିଟାଲ ନୁହେଁ, ପ୍ରାୟ ଅଧିକାଂଶ ଟିକାକରଣ କେନ୍ଦ୍ରରେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି।
ଜିଲ୍ଲା କୋଭିଡ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ କହିଛନ୍ତି ଯେ ୪୫ରୁ ଉର୍ଦ୍ଧ୍ବ ଟିକାକରଣରେ ପ୍ରଥମ ହେଉ କି ଦ୍ବିତୀୟ ଡୋଜ କୌଣସି ହିତାଧିକାରୀଙ୍କୁ ନ ଫେରେଇବାକୁ ନିର୍ଦେଶ ଦିଆଯାଇଛି। ସମସ୍ତଙ୍କୁ ଟିକା ଦେଇ ଛାଡ଼ିବାକୁ କୁହାଯାଇଛି। ଯଦି ସେଭଳି ହିତାଧିକାରୀ ଫେରୁଛନ୍ତି ସେ ନେଇ ଅନୁଧ୍ୟାନ କରାଯିବ। ଅନ୍ୟପଟେ ୧୮ରୁ ୪୪ ଯାଏ ଟିକାକରଣ ଅନଲାଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସିଏମସି ହାତରେ। ଅଫଲାଇନ ବ୍ୟବସ୍ଥାରେ ସିଟି ହସ୍ପିଟାଲ ଟିକା ଦେଉଛି। ଏ ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଟିକାକରଣ ନେଇ ସୂଚନା ଦିଆଯାଇଛି।
Follow Us