କଟକ: ଓଡ଼ିଶା କ୍ରିକେଟ୍ ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଭାବେ ଭି. ଭେଙ୍କଟରାମଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା କ୍ରିକେଟ୍ ସଂଘର କ୍ରିକେଟ୍ ଆଡଭାଇଜରି କମିଟିର ନିଷ୍ପତ୍ତିକ୍ରମେ ଏହି ନିଯୁକ୍ତି ମିଳିଛି। ଜଣେ ସଫଳ କ୍ରିକେଟର ଓ କୋଚ୍ ଭାବେ ଭେଙ୍କଟରାମଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ତାଙ୍କର ଯୋଗଦାନ ଓଡ଼ିଶା କ୍ରିକେଟରେ ପ୍ରତିଭା ଚୟନରେ ସହାୟକ ହେବ ବୋଲି ଓସିଏ ପକ୍ଷରୁ ଆଶା କରାଯାଇଛି। ଭେଙ୍କଟରାମ ଦୀର୍ଘ ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ରହିଥିଲେ।
ସେ ୭୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୨୨ ୱିକେଟ୍ ହାସଲ କରି ନିଜକୁ ଜଣେ ସଫଳ ବୋଲର ଭାବେ ପ୍ରତିପାଦିତ କରିସାରିଛନ୍ତି। ଭେଙ୍କଟରାମଙ୍କ କୋଚିଂ କ୍ଷେତ୍ରରେ ମଧ୍ୟ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ସେ ବିସିସିଆଇ ଲେବଲ-୩ କୋଚ୍ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥି ସହିତ ସେ ଜାତୀୟ କ୍ରିକେଟ ଏକାଡେମୀରେ ୫ ବର୍ଷ ପାଇଁ ଏଜୁକେଟର ରହିବା ସହିତ ଝାଡ଼ଖଣ୍ଡ, ତ୍ରିପୁରା, ଆସାମ ସିନିଅର ଦଳର ମୁଖ୍ୟ କୋଚ୍, ଉତ୍ତରାଖଣ୍ଡ ଦଳର ୨୩ ବର୍ଷରୁ କମ ଦଳର କୋଚ୍ ଓ ଆସାମ କ୍ରିକେଟ ଏକାଡେମିର ମଧ୍ୟ ନିର୍ଦ୍ଦେଶକ ରହି ସାରିଛନ୍ତି। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଭେଙ୍କଟରାମକୁ ଶୁଭେଚ୍ଛା ଜଣାଇଛନ୍ତି।
Follow Us