ଏସ୍‌ସିବି କୋଭିଡ୍‌ ଆଉଟ୍‌ଡୋର୍‌ରୁ ଭେଣ୍ଟିଲେଟର୍‌ ଚୋରି! ଏତଲା ଭୟରେ ଫେରାଇଲେ ଠିକା କର୍ମଚାରୀ

Advertisment
ଭେଣ୍ଟିଲେଟର, ଆଇସିୟୁ ମେସିନ୍‌ ଚୋରି ମାମଲା: ଡାକ୍ତର ଶ୍ରୀକାନ୍ତଙ୍କୁ ମାରାଥନ ଜେରା

କଟକ: କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର ସୁଯୋଗ ନେଇ ଏହାକୁ ଘରକୁ ନେଇଯିବା ଘଟଣାକୁ ନେଇ ଆଜି ଦିନ ତମାମ ମେଡିକାଲରେ ତନାଘନା ହୋଇଛି। ଅବଶ୍ୟ ପ୍ରବଳ ଚାପ ଓ ଏତଲା ଭୟରେ ଏହି ମୂଲ୍ୟବାନ ଭେଣ୍ଟିଲେଟର ମେସିନଟିକୁ ଚୋରାଇ ନେଇଥିବା କର୍ମଚାରୀ ପୁଣି ଆଣି ଫେରାଇ ଦେଇଛନ୍ତି। ଘଟଣା ପ୍ରମାଣିତ ହେବା ପରେ ଦାୟିତ୍ବ ନେଇଥିବା ଆଉଟସୋର୍ସିଂ ସଂସ୍ଥାର ମାଲିକ ଏଥିରେ ସଂପୃକ୍ତ ଥିବା ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଚୋରି ଅଭିଯୋଗ ଆସିଲେ କାହାରିକୁ ଛଡାଯିବ ନାହିଁ ବୋଲି ସଂସ୍ଥାର ମାଲିକ ମତ ରଖିଛନ୍ତି। କିନ୍ତୁ ଏଭଳି ଘଟଣା କୋଭିଡ ପାଇଁ କିଣାଯାଇଥିବା ଓ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁରେ ବ୍ୟବହାର ହେଉଥିବା ମୂଲ୍ୟବାନ ଭେଣ୍ଟିଲେଟର ଗୁଡିକର ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି କରିଛି। କୋଭିଡ ପାଇଁ କେତେ ଭେଣ୍ଟିଲେଟର କିଣା ଯାଇଥିଲା, କେଉଁ ବିଭାଗରେ ଏବେ କେତେ ମହଜୁଦ ଅଛି ତା’ର ଯାଞ୍ଚ ପାଇଁ ମତ ପ୍ରକାଶ ପାଇଛି।

ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ କେଉଁ ପରିସ୍ଥିତିରେ ଓ କାହା ଇସାରାରେ ମେଡିକାଲର ଏହି ମୂଲ୍ୟବାନ ଯନ୍ତ୍ରପାତିକୁ ଚୋରି କରିବାର ସାହସ କଲେ ସେ ନେଇ ଥାନାରେ ଏତଲା ଦେଇ ତୁରନ୍ତ ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଚୋରିରେ ସଂପୃକ୍ତ ଥିବା କର୍ମଚାରୀ ଜଣକ ପୂର୍ବରୁ ମେଡିକାଲରେ ଦଲାଲି ମାମଲାରେ ଗିରଫ ହୋଇଥିଲେ। ଏଭଳି କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ନ ଦେଇ ଛାଡିଦେବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥ୍ୟ ମୁତାବକ, ମଂଜୁଶ୍ରୀ ସଂସ୍ଥାରେ ସୁପରଭାଇଜର କାମ କରୁଥିବା ଗଗନ ପାତ୍ର ଓ ତାର ଆଉ ଦୁଇ ଜଣ ସହଯୋଗୀ କୋଭିଡ ଆଉଟଡୋରରେ ଲାଗିଥିବା ଭେଣ୍ଟିଲେଟର ମେସିନଟିକୁ ଚୋରାଇ ନେଇଥିଲେ। ମରାମତି ବାହାନା କରି ପ୍ରଥମେ ଏହାକୁ ଖୋଲି ଦେଇ ଡଷ୍ଟବିନରେ ପକାଇ ପରେ ଏହାକୁ ଘରକୁ ନେଇ ଯାଇଥିଲେ। ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ ବି ମରାମତି କରିବା ବାହାନା ଦେଖାଇ ସେ ଏହାକୁ ନେଇ ଯାଇଥିଲେ। କୋଭିଡ ଆଉଟଡୋର ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଏହା ଜାଣିବା ପରେ ସେ ଏ ନେଇ ତୁରନ୍ତ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ। ଏ ନେଇ ଦିନ ତମାମ ତନାଘନା ହେବା ପରେ ଅସଲ କଥା ପଦାକୁ ଆସିଥିଲା। ଗଗନ ଏହାକୁ ନେଇଥିବା ଜଣାପଡିବା ପରେ ତାକୁ ଡକରା ହୋଇଥିଲା। ଥାନାରେ ଏତଲା ଦେବାର ଭୟ ଦେଖା ଯାଇଥିଲା। ତେବେ ଗଗନ ଚୋରାଇ ନେଇଥିବା ଭେଣ୍ଟିଲେଟର ମେସିନଟିକୁ ଅନ୍ୟଜଣଙ୍କ ହାତରେ ଫେରାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe