Sambad
କଟକ: କଟକ ବଡ଼ ଡାକ୍ତରଖାନାରେ ଟ୍ରମା କାଜୁଆଲିଟିର ଭିତ୍ତିଭୂମି ସ୍ଥିତି ପରଖିବା ପାଇଁ ଆଜି ଭାରତ ସରକାରଙ୍କ ଏକ ତିନିଜଣିଆ ପ୍ରତିନିଧିମଣ୍ଡଳୀ କଟକ ଗସ୍ତରେ ଆସିଥିଲେ। ଏହି ଟିମ୍ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଭିତ୍ତିଭୂମି ଓ ମାନବସମ୍ବଳ ସହ ଅନ୍ୟାନ୍ୟ ବ୍ୟବସ୍ଥା ପରଖିବା ସହ ଅଧିକ କ’ଣ କରାଗଲେ ଟ୍ରମା କେୟାର୍ ବା ଟ୍ରମା କାଜୁଆଲିଟି ଅଧିକ ବ୍ୟବସ୍ଥିତ ହୋଇପାରିବ ସେ ସଂପର୍କରେ ଟ୍ରମା କାଜୁଆଲିଟି ଓ ୱାର୍ଡ ପରିଦର୍ଶନ କରି ତଥ୍ୟ ଯାଞ୍ଚ କରିଥିଲେ। ଏହାପରେ ଉକ୍ତ ଟିମ୍ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଏସଂପର୍କରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଉକ୍ତ ତିନିଜଣିଆ ପ୍ରତିନିଧିମଣ୍ଡଳୀ ଟ୍ରମା କାଜୁଆଲିଟିର ଏକ୍ସ-ରେ, ଅଲଟ୍ରାସାଉଣ୍ଡ, ୨ଟି ଶଯ୍ୟାବିଶିଷ୍ଟ ଆଇସିୟୁ, ୩୫ ଶଯ୍ୟାବିଶିଷ୍ଟ ୱାର୍ଡରେ ରୋଗୀ ସେବା ସଂପର୍କରେ ଅନୁଧ୍ୟାନ କରିଥିଲେ।
ପ୍ରଥମ ମହଲାରେ ଥିବା ୧୪ ଶଯ୍ୟାବିଶିଷ୍ଟ ଟ୍ରମା ଆଇସିୟୁ, ୨ଟି ଅସ୍ତ୍ରୋପଚାର କକ୍ଷ, ୨ୟ ମହଲାରେ ଥିବା ୨୦ ଶଯ୍ୟାବିଶିଷ୍ଟ ୱାର୍ଡ, ୩ୟ ମହଲାରେ ଥିବା ୪୦ ଶଯ୍ୟାବିଶିଷ୍ଟ ୱାର୍ଡ, ସିଟି ସ୍କାନ୍, ଏମ୍ଆର୍ଆଇ ବ୍ୟବସ୍ଥା ପରିଦର୍ଶନ କରିବା ସହ ରୋଗୀ ଶଯ୍ୟା ନପାଇ କିପରି ରହି ଚିକିତ୍ସିତ ହେଉଛନ୍ତି ସେ ବ୍ୟବସ୍ଥାକୁ ମଧ୍ୟ ପରିଦର୍ଶନ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଟ୍ରମା ଆଇସିୟୁରେ ୮ଟି ମେଡିକାଲ ଅଫିସର ପଦବି ରହିଥିବା ବେଳେ ସମସ୍ତ ୮ଟି ପଦ ଖାଲି ପଡିଥିବା ଜଣାପଡ଼ିଥିଲା। ଯଦି ବି କେହି ନିଯୁକ୍ତି ପାଉଛନ୍ତି, ସେ ମାସେ ଦୁଇମାସ ପରେ ପୁଣି ଛାଡି ପଳାଉଛନ୍ତି। କାରଣ ୫୫ହଜାର ଟଙ୍କା ଦରମାରେ କେହି ରାଜି ହେଉ ନଥିବାରୁ ଏହି ପଦ ବର୍ଷ ବର୍ଷ ହେଲା ଖାଲି ପଡୁଛି। ଫଳରେ ସର୍ଜରି ଓ ଅର୍ଥୋପେଡିକ୍ ବିଭାଗ ଏସ୍ଆର୍ମାନେ ହିଁ ଏହି ଟ୍ରମା ଆଇସିୟୁ ମେଡିକାଲ ଅଫିସର୍ କାର୍ଯ୍ୟ ତୁଲାଉଛନ୍ତି। ଟ୍ରମା କେୟାର୍ ବ୍ୟବସ୍ଥାକୁ ଏସ୍ସିବିରେ ବ୍ୟବସ୍ଥିତ କରିବା ପାଇଁ ଅଧିକ ଶଯ୍ୟା ବୃଦ୍ଧି ଓ ଏହାକୁ ଅଧିକ ବ୍ୟବସ୍ଥିତ କରିବାକୁ ଦାବି ହେଉଛି।
Follow Us