କଟକ : କଟକ ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ଗାଁ ଲୋକ ଭୋଟ ଦେବାପାଇଁ ୧୮ କିଲୋମିଟର ଚାଲନ୍ତି। ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ରାସ୍ତାରେ ସବୁବେଳେ ହିଂସ୍ରଜନ୍ତୁଙ୍କ ଭୟ। ପ୍ରତ୍ୟେକ ନିର୍ବାଚନରେ ଏହାକୁ ନେଇ ପ୍ରତିଶ୍ରୁତି ମିଳୁଥିଲେ ବି ସବୁ ପାଣିର ଗାର। ଏହି ଗାଁ ହେଉଛି କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ର ‘ଭଗୁଆ’ ଓ ‘ଓର୍ଦା’।
‘ଭଗୁଆ’ ଓ ‘ଓର୍ଦା’ ୧୯୫୨-୫୩ ମସିହାରେ ସ୍ବତନ୍ତ୍ର ଗାଁର ମାନ୍ୟତା ପାଇଥିଲା। ଜନସଂଖ୍ୟା ଏବେ ୧୫ଶହରୁ ଅଧିକ। ଭୋଟର ସଂଖ୍ୟା ୪୦୯ ହେବ। ଏହି ଗାଁର ସ୍ଥାୟୀ ବାସିନ୍ଦା ହେଉଛନ୍ତି ଆଦିବାସୀ ମୁଣ୍ଡା ସଂପ୍ରଦାୟର। ଗାଁରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ରାସ୍ତା ବି ଅଛି। କିନ୍ତୁ କପିଳାସ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଏହି ଗାଁ ଗୁଡିକ ରହୁଥିବାରୁ ବର୍ଷତମାମ ଏହି ଅଞ୍ଚଳ ହେଉଛି ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଚଲାପଥ। ଗଲା ୬ ମାସ ତଳେ ଗାଁକୁ ବିଜୁଳି ସଂଯୋଗ ହୋଇଛି। ଭଗୁଆ ଓ ଓରଦାକୁ ୪ଟି ୱାର୍ଡରେ ଭାଗ କରାଯାଇଥିବାବେଳେ ୧୧ନମ୍ବର ୱାର୍ଡରେ ୯୬ ଜଣ ଭୋଟର, ୧୨ ନମ୍ବର ୱାର୍ଡରେ ୧୯, ୧୩ରେ ୨୦ଜଣ ଓ ୧୪ ନମ୍ବର ୱାର୍ଡରେ ୨୭୫ ଜଣ ଭୋଟର ରହିଛନ୍ତି। ସେଥିରୁ ୧୧ଜଣ ଭୋଟରଙ୍କ ମୃତ୍ୟୁ ହୋଇଥିଲେ ତାଙ୍କ ନାମ ତାଲିକାରୁ କଟିନି। ପ୍ରଥମେ ୨୦ ଜଣ ପରିବାର ଆସି ଏଠି ବସତି ସ୍ଥାପନ କରିଥିଲେ। ପରେ ପରେ ଏବେ ଭୋଗୁଆ ଉପରସାହିରେ ୪୫, ନୂଆସାହିରେ ୧୯ ପରିବାର, ଓରଦାରେ ୭୨ ପରିବାର ରହି ଆସୁଛନ୍ତି।
ସରକାରଙ୍କ ନିୟମ କହୁଛି ପଞ୍ଚାୟତ ନିର୍ବାଚନରେ ନିଜ ୱାର୍ଡରେ ଲୋକ ଭୋଟଦେବେ। ମାତ୍ର ଭଗୁଆ ଗ୍ରାମବାସୀ ଗ୍ରାମଠାରୁ ୧୫ କିଲୋମିଟର ଦୂର ଓ ଓରଦା ଗ୍ରାମବାସୀ ୧୮ କିଲୋମିଟର ଦୂରରେ ଥିବା ନିଜ ପଞ୍ଚାୟତ ଗୋବରାରେ ଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଥା’ନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଗାଁଠାରୁ ୪ କିଲୋମିଟର ଦୂରରେ ରହିଛି ‘ରାଧାକୃଷ୍ଣପୁର ପଞ୍ଚାୟତ’। ସେହି ପଞ୍ଚାୟତ ଡେଇଁବା ପରେ ପଡ଼େ ‘ଗୋବରା’। ଗ୍ରାମବାସୀ ଭତ୍ତା ହେଉ ବା ଚାଉଳ ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯାଇଥାନ୍ତି ପଂଚାୟତକୁ। ଫଳରେ ଦୂରତ୍ବ ହେତୁ ପଞ୍ଚାୟତ ବି ପରିବର୍ତ୍ତନ କରାଯାଇ ‘ରାଧାକୃଷ୍ଣପୁରରେ ସେମାନଙ୍କୁ ସାମିଲ କରାଯାଉ ବୋଲି ବାରମ୍ବାର ଦାବି ହୋଇ ଆସୁଥିଲେ ବି କେହି ଶୁଣୁ ନାହାନ୍ତି।
ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଓରଦା ଓ ଭଗୁଆର କିଛି ଗ୍ରାମବାସୀ ରାଜ୍ୟ ହୋ ମୁଣ୍ତା ଉନ୍ନୟନ ପରିଷଦ ସଂପାଦକ ହରିଶ୍ଚନ୍ଦ୍ର ହାଇବ୍ରୁଙ୍କ ନେତୃତ୍ବରେ ସେମାନଙ୍କ ଗାଁରେ ମତଦାନ କେନ୍ଦ୍ର କରିବା ପାଇଁ ଦାବି କରିଛନ୍ତି। ଆଠଗଡ଼ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏ ବିଷୟରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଏତେ ଦୂରକୁ ଯାଇ ଭୋଟ ଦେବାକୁ ପଡୁ ଥିବାରୁ ଅଧିକାଂଶ ଲୋକ ଭୋଟ ଦେବାକୁ ଯାଇ ପାରି ନଥାନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଭୋଟ ଜାଲିଆତିର ସୁଯୋଗ ରହିଥାଏ ବୋଲି ମଧ୍ୟ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି।
Follow Us