ବିଦ୍ୟାଧରପୁରରେ ୪ ଶହ ବର୍ଷ ପୁରୁଣା ବାମ୍ଫି; ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ସତ୍ତ୍ବେ ଶୁଣୁନି ପ୍ରଶାସନ

Advertisment
ବିଦ୍ୟାଧରପୁରରେ ୪ ଶହ ବର୍ଷ ପୁରୁଣା ବାମ୍ଫି; ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ସତ୍ତ୍ବେ ଶୁଣୁନି ପ୍ରଶାସନ

କଟକ/ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୫୫ରେ ବିଦ୍ୟାଧରପୁର ଗ୍ରାମରେ ରହିଛି ଦୁଇଟି ପାତାଳ ଫୁଟା ବାମ୍ଫି। ସାହି ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀଧର ସାହୁ କହିବା ଅନୁଯାୟୀ ଗ୍ରାମର ମଧ୍ୟଭାଗରେ ଅବସ୍ଥିତ ବାମ୍ଫିସାହି ଗଳିରେ ଏକ ବାମ୍ଫି ଥିବା ବେଳେ ଗ୍ରାମର ବାହାରେ ପଠାଣ ସାହିରେ ଏକ ବାମ୍ଫି ରହିଛି। ଏ ଅଞ୍ଚଳକୁ ନହର ଗାଡିଆ ବୋଲି କୁହାଯାଏ। ଏହି ବାମ୍ଫିର ଶିଳାଲେଖ ଅନୁଯାୟୀ ୧୬୦୫ ମସିହାରେ ଜଣେ ମୁସଲମାନ ସୁବେଦାରଙ୍କ ଜନ୍ମ ଦିନରେ ପୁରୀ ଯାଉଥିବା ଲୋକମାନଙ୍କ ଶୌଚ ଓ ପିଇବା ପାଇଁ ବାମ୍ଫି ଖୋଳାଇଥିଲେ। ଏହି ବାମ୍ଫିର ପାଣିର ସ୍ବାଦ ଅତ୍ୟନ୍ତ ମଧୁର ବୋଲି ସେ ମତ ଦିଅନ୍ତି। ସେ କହିଛନ୍ତି ଯେ ଏହି ବାମ୍ଫିର ଶିଳାଲେଖର ପ୍ଲାଷ୍ଟର ଅଫ ପ୍ୟାରିସର ଅବିକଳ ନକଲ ଭୁବନେଶ୍ବର ସ୍ଥିତ ଷ୍ଟେଟ ମ୍ୟୁଜିୟମରେ ରହିଥିଲା ବେଳେ ତାହା କିନ୍ତୁ ଏବେ ଦୃଷ୍ଟି ଗୋଚର ହେଉନାହିଁ। ଏବେ ବାମ୍ଫି ଜରାଜୀର୍ଣ୍ଣ ହୋଇ ରହିଛି। ଉପରେ ଗଛ ମାଡି ଗଲାଣି। ଏହାକୁ ପୁନରୁଦ୍ଧାର କରି ଏ ଅଞ୍ଚଳର ଜଳ ସମସ୍ୟା ଦୂର କରିବାକୁ ୧୯୯୫ ମସିହାରେ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ତତ୍କାଳୀନ ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଇ ନଥିଲା। ଉପରୁ ଦେଖିଲେ ବାମ୍ଫିରେ ୫ ଫୁଟ ତଳେ ପାଣି ରହିଥିବା ଦେଖିବାକୁ ମିଳିଛି।

publive-image

ସେହିପରି ସାହି ମଝିରେ ଥିବା ବାମ୍ଫି ପଠାଣ ସାହି ବାମ୍ଫି ସମସୟର ବୋଲି କୁହାଯାଉଛି। ୧୯୯୩ ପର୍ଯ୍ୟନ୍ତ ଏହି ବାମ୍ଫିର ପାଣି ବାସିନ୍ଦା ମାନେ ବ୍ୟବହାର କରୁଥିଲେ। ୧୯୯୩ ମସିହାରେ ଦୁଇଟି ଷଣ୍ଢ ଲଢେଇ କରି ଗୋଟିଏ ଷଣ୍ଢ ଏହି ବାମ୍ଫିରେ ପଡ଼ି ଯାଇଥିଲା। ଏହି ଷଣ୍ଢକୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଏମ୍ ଏସ ଡବ୍ଲୁ -୨ରୁ ପାଇପ ସାହାଯ୍ୟରେ ନର୍ଦ୍ଦମା ପାଣି ଏହି ବାମ୍ଫିରେ ପକାଇ ଷଣ୍ଢକୁ ଉଦ୍ଧାର କରିଥିଲେ। ସେବେଠାରୁ ଏହି ବାମ୍ଫି ପାଣିକୁ ଆଉ କେହି ବ୍ୟବହାର କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବାମ୍ଫି ସାହିର ୯୨ ବର୍ଷୀୟ ବନମାଳୀ ସାହୁ କହିଛନ୍ତି‌ ଯେ ଏହି ବାମ୍ଫିର ପାଣି ପୂର୍ବରୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିଲା। କଟକ ମହାନଗର ନିଗମ ଅନ୍ତର୍ଭୁକ୍ତ ଏହି ଅଞ୍ଚଳରେ ସରକାରୀ ଭାବେ ଏଯାଏ ସ୍ବଚ୍ଛ ପିଇବା ପାଣି ଯୋଗାଣ ବ୍ୟବସ୍ଥା ହୋଇପାରିଲା ନାହିଁ। ଅନ୍ୟପଟେ ଅଞ୍ଚଳରେ ଥିବା ଏହି ଦୁଇଟି ଐତିହାସିକ ବାମ୍ଫିର ପୁନରୁଦ୍ଧାର ଦିଗରେ ପ୍ରଶାସନ ପଦକ୍ଷେପ ନେଲେ ବି ଅଞ୍ଚଳର ଜଳ ସମସ୍ୟା ଅନେକ ପରିମାଣରେ ଦୂର ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe