କଟକ : ୧୮ ଘଣ୍ଟା ପରେ ବି ଘରେ, ରାସ୍ତାରେ ପାଣି ; ୨ଶହ ମଟର ପମ୍ପ ଚାଲିବାକୁ ନେଇ ଉଠୁଛି ପ୍ରଶ୍ନ

କଟକ : ୧୮ ଘଣ୍ଟା ପରେ ବି ଘରେ, ରାସ୍ତାରେ ପାଣି ; ୨ଶହ ମଟର ପମ୍ପ ଚାଲିବାକୁ ନେଇ ଉଠୁଛି ପ୍ରଶ୍ନ

Sambad

କଟକ: ଲଗାଣ ବର୍ଷା ଛାଡିବାର ୧୮ ଘଣ୍ଟା ପରେ ବି ସହରର ଅନେକ ସାହିବସ୍ତିରେ ପାଣି ଜମି ରହିଛି। ନିଗମ ପକ୍ଷରୁ ୨ଶହରୁ ଅଧିକ ମଟର ପମ୍ପରେ ଜଳନିଷ୍କାସନ କରାଯାଉଛି ବୋଲି କୁହାଯାଉ ଥିବା ବେଳେ ଏବେ ବି ଲୋକଙ୍କ ‌ଘରେ ଦେଢ ଫୁଟରୁ ଅଧିକ ପାଣି ଜମି ରହିଛି। ପାଣି ନିଷ୍କାସନ ପାଇଁ ସିଏମ୍‌ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ତେଲ ପୋଡି ଦୁଇ ଶହରୁ ଅଧିକ ପମ୍ପ ଚାଲିଛି ବୋଲି କୁହାଯାଉ ଥିବା ବେଳେ ଏହାର ପ୍ରଭାବ କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ। ୨ଶହ ପମ୍ପ ଚାଲିଲେ ଯେଉଁଭଳି ପାଣି ନିଷ୍କାସନ ହେବା କଥା ତାହା ହେଉ ନଥିବାରୁ ଏବେ ଏଭଳି ସନ୍ଦେହ ସୃଷ୍ଟି ହେଉଛି।  ଲଗାଣ ବର୍ଷା ପାଖାପାଖି ୨୪ ଘଣ୍ଟା ହେଲା ଛାଡ଼ି ଗଲାଣି। କିନ୍ତୁ ତୁଳସୀପୁର ଅଞ୍ଚଳର ବିଲସାହି, ଗୋଧୂଳି ଗଳି, ଶ୍ରୀବିହାର କଲୋନି ଅଞ୍ଚଳର ଅନେକ ସ୍ଥାନରେ ପାଣି ଜମି ରହିଛି। ବିଶେଷକରି ଗୋଧୂଳି ଲେନର ୧୫ ପରିବାର ଏଯାଏ ବି ଘରୁ ବାହାରି ପାରୁ ନାହାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ପୂର୍ବରୁ ବର୍ଷା ହେଲେ ପାଣି ଜମୁ ଥିଲା। ମାତ୍ର ବ‌ର୍ଷା ଛାଡିବାର ଘଣ୍ଟାଏ/ ଦୁଇ ଘଣ୍ଟା ଭିତରେ ପାଣି ଛାଡି ଯାଉଥିଲା।

ଗତ ୧୫ ବର୍ଷ ଭିତରେ ଏଥର ସର୍ବାଧିକ ପାଣି ଜମି ଥିବା ସ୍ଥାନୀୟ ଲୋକ କହିଛନ୍ତି। ଏହି ସାହିରେ ରହୁଥିବା ରଣା ପରିବାରର ନୀଳମଣି ରଣା ଓ କୁନିଆ ରାଉତଙ୍କ କହିବା ଅନୁଯାୟୀ ପାଣି ପଶି ତାଙ୍କ ଘରର ବହୁ ମୂଲ୍ୟବାନ ଆସବାବପତ୍ର ନଷ୍ଟ ହୋଇଯାଇଛି। ମହାନଗର ନିଗମ ଆଉ ଜାଇକା ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଜଳ ନିଷ୍କାସନ ପାଇଁ ମହାନଗର ନିଗମ କୌଣସି ବ୍ୟବସ୍ଥା କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତୁଳସୀପୁର ଦେଉଳସାହି-ରେଭିନ୍ୟୁ କଲୋନି ଅଞ୍ଚଳରେ ରେଭିନ୍ୟୁପଣ୍ଡ ପୁନରୁଦ୍ଧାର କାର୍ଯ୍ୟରେ ତ୍ରୁଟି ଯୋଗୁଁ ଏଥର ଏଭଳି ସମସ୍ୟା ଉପୁଜିଛି। ଜାଇକା ଅଧୀନରେ ଚାଲିଥିବା ଏହି ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ‌ଯୋଗୁଁ ଅଞ୍ଚଳବାସୀ ପ୍ରକଳ୍ପର ସୁବିଧା ପାଇବା ବଦଳରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଗତ ୮ ବର୍ଷ ହେବ ପ୍ରକଳ୍ପର ଏଭଳି ସ୍ଥିତିକୁ ନେଇ ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ପଡିଛନ୍ତି। ରେଭିନ୍ୟୁ ପଣ୍ଡ୍ ପ୍ରକଳ୍ପ ଯୋଗୁଁ ଆଖାପାଖରେ ରହୁଥିବା ଲୋକ ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। ଏହି ପଣ୍ଡ୍ ‌ଯୋଗୁଁ ଗୋଧୂଳି ଗଳି ସମେତ ବାଉରୀ ସାହି, ଟିଭି ରୋଡ, ଶ୍ରୀବିହାର କଲୋନି, ପଣ୍ଡା ବିଲ ଅଞ୍ଚଳର ସବୁ ସଂଯୋଗକାରୀ ଡ୍ରେନ ଅବ‌ରୋଧ ହୋଇ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

publive-image Sambad

ନିଜେ ପମ୍ପ କିଣି ଘରୁ ପାଣି କାଢୁଛନ୍ତି ଅବସରପ୍ରାପ୍ତ ଆଇଏଏସ୍
ନୂଆରାଉସା ପାଟଣାରେ ରହୁଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନାଭ ସାମଲଙ୍କ ଘରେ ସୋମବାର ଦିନ ଅଢେଇ ଫୁଟର ପାଣି ଜମି ରହିଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ଏହା ଏକ ଫୁଟକୁ ଖସିଛି। ଜାଇକା ଏମ୍‌ଏସ୍‌ଡବ୍ଲୁ ଡ୍ରେନ ଉପରେ ବକ୍ସ ଡ୍ରେନ କରୁଥିବାରୁ ତାଙ୍କ ଘର ନିକଟ ଦେଇ ଯାଇଥିବା ଡ୍ରେନରେ ଲୁହା ଜାଲି ଲଗାଯାଇଛି। ଜାଲିରେ ଆବର୍ଜନା ଲାଗି ରହିବାରୁ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଏଥିରେ ଆଖପାଖ ଅଞ୍ଚଳ‌ର ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶୁ ଥିବା ସେ କହିଛନ୍ତି। ଘରୁ ପାଣି ବାହାର କରିବା ପାଇଁ ଶ୍ରୀ ସମାଲ ମଙ୍ଗଳବାର ଏକ ନୂଆ ପାଣି ପମ୍ପ କିଣିଥିବା କହନ୍ତି। ପ୍ରତିବର୍ଷ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ୬ରୁ ୮ଥର ନାଳ ପାଣି ତାଙ୍କ ଘରେ ପଶି ଦୁଇ ତିନି ଦିନ ରହୁଛି। ଏଭଳି ପରିସ୍ଥିତିରେ ଘରର ସ୍ଥାୟିତ୍ବକୁ ନେଇ ଏବେ ଆଶଙ୍କା ହେଲାଣି ବୋଲି କହିଛନ୍ତି ଶ୍ରୀ ସାମଲ। ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ସମାଲ କହିନ୍ତି।

ସ୍ଥାନୀୟ ଯୁବକ ଡ୍ରେନ୍‌ ସଫା କରି ପାଣି ନିଷ୍କାସନ କଲେ
ଲଗାଣ ବ‌ର୍ଷାରେ ଗତ ସୋମବାର ଅପରାହ୍ନରୁ ପଟ୍ଟାପୋଲ ଅଞ୍ଚଳର ଲୋକଙ୍କ ଘରେ ପାଣି ଜମି ରହିଥିବା ବେଳେ ସିଏମ୍‌ସିର କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କର ଏଯାଏ ଦେଖା ମିଳି ନାହିଁ। ବର୍ଷା ଛାଡିବା ପରେ ମଙ୍ଗଳବାର ପୂର୍ବାହ୍ନରେ ସାହିର କିଛି ଯୁବକଙ୍କୁ ଲଗାଇ ପଟ୍ଟାପୋଲ ମୋଚ୍ଚି ସାହି ନିକଟରେ ଥିବା ଏମ୍‌ଏସ୍‌ଡବ୍ଲୁ ଡ୍ରେନକୁ ସଫା କରିଲୁ। ଡ୍ରେନ ସଫା ହେବାପରେ ସ୍ଥାନୀୟ ଅଞ୍ଚଳରୁ ପାଣି ନିଷ୍କାସନ ହୋଇଥିଲା। ଡ୍ରେନରୁ ଠିକ ଭାବେ ଅଳିଆ ସଫା କରାଯାଉ ନଥିବାରୁ ପାଣି ଯିବାରେ ସମସ୍ୟା ହେଉଛି। ସୋମବାର ସକାଳୁ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଲୋକଙ୍କ ଘରେ ତିନି ଫୁଟର ପାଣି ରହିଥିଲା। ଘରେ ପାଣି ଥିବାରୁ ଅନେକଙ୍କ ଘରେ ଚୁଲି ଜଳି ନଥିଲା। ଅନେକ ଲୋକ ଐକ୍ୟତା ସଂଗଠନର ସଭା କକ୍ଷରେ ଆଶ୍ରୟ ନେଇଥିଲେ। ସେଠାରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ସାହିରେ ରାତି ପର୍ଯ୍ୟନ୍ତ ବି ପାଣି ଜମି ଥିବା କହିଛନ୍ତି ଐକ୍ୟତାର ଉପସଭାପତି ରବି କୁମାର ରେଡ୍ଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe