କଟକ ଜିଲ୍ଲାରେ ବିଜେଡିକୁ କିଏ ଦେବ ଟକ୍କର? ୯ ବିଧାନସଭା ଆସନରୁ ୫ଟିରେ ୩ ପ୍ରମୁଖ ଦଳର ପ୍ରଭାବ

Advertisment

ବଡ଼ମ୍ବାରେ ବିଜେପି, ନିଆଳିରେ କଂଗ୍ରେସ ଟକ୍କର ଦେବାକୁ ପ୍ରସ୍ତୁତ

ବଡ଼ମ୍ବାରେ ବିଜେପି, ନିଆଳିରେ କଂଗ୍ରେସ ଟକ୍କର ଦେବାକୁ ପ୍ରସ୍ତୁତ

କଟକ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କଟକ,(ସୀମନ୍ତିକା ନନ୍ଦ): ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି କଟକ। ଜିଲ୍ଲାରେ ରହିଛି ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ, ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳ, ୪୬ଟି ଜିଲ୍ଲା ପରିଷଦ ଜୋନ, ୧୪ଟି ପଂଚାୟତ ସମିତି, ଗୋଟିଏ ମହାନଗର ନିଗମ, ଗୋଟିଏ ପୌର ପରିଷଦ, ୨ଟି ଏନ୍‌ଏସି। ୧୪ଟି ପଂଚାୟତ ସମିତି ଅଧୀନରେ ରହିଛି ୩୭୩ଟି ପଞ୍ଚାୟତ ଓ ୫୭୦୩ଟି ୱାର୍ଡ। ଏବେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସବୁ ରାଜେନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଯାଇଛି କସରତ। ଅନ୍ୟପଟେ ନିର୍ବାଚନ ଘେଷଣା ପରେ ବିଜେପିର ୨ ଜଣ ଜିଲ୍ଲାପରିଷଦ ସଦସ୍ୟ ବିଜେଡିରେ ସାମିଲ ଘଟଣା ଜିଲ୍ଲା ରାଜନୀତିରେ ଉଷ୍ମତା ଆଣିଛି। କଟକ ଜିଲ୍ଲାପରିଷଦ ପାଇଁ ପୂର୍ବରୁ ୫ଥର ନିର୍ବାଚନ ହୋଇଥିବା ବେଳେ ପ୍ରଥମ ପାଳି କଂଗ୍ରେସ ହାତରେ ଥିଲା। କିନ୍ତୁ ତା ପରଠାରୁ ୪ଥର ବିଜେଡି ଦଖଲରେ ରହି ଆସିଛି ଜିଲ୍ଲାପରିଷଦ।

୨୦୨୨ ନିର୍ବାଚନରେ ଜିଲ୍ଲାରେ ବିଜେଡି ତାର ଅଖଣ୍ଡ ପ୍ରଭାବ ବଜାୟ ରଖି ପାରିବ କି ନାହିଁ, ବିଜେପି ଓ କଂଗ୍ରେସ କେଉଁଠି କେଉଁ ସ୍ଥିତିରେ ରହିବେ, ତାହାକୁ ନେଇ ଆରମ୍ଭ ହୋଇଯାଇଛି ଆକଳନ।

୨୦୧୭ ନିର୍ବାଚନର କଟକ ଜିଲ୍ଲାରେ କଂଗ୍ରେସ ଖାତା ଖୋଲି ପାରି ନଥିଲା। ବିଜେଡି ୩୭, ବିଜେପି ୮ ଓ ସ୍ବାଧୀନ ପ୍ରାର୍ଥୀଙ୍କ ହାତରେ ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ରହିଥିଲା। ବିଜେପି ନିଜର ପ୍ରଭାବ ବଡ଼ମ୍ବା, ମାହାଙ୍ଗା, ସଦର ଅଞ୍ଚଳରେ ଜାହିର କରିଥିଲା। କିନ୍ତୁ ଇତିମଧ୍ୟରେ ସ୍ବାଧୀନ ଓ ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେଡିରେ ସାମିଲ ହୋଇ ସାରିଛନ୍ତି। ବିଜେପି ବଡମ୍ବା ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୬ଟି, ମାହାଙ୍ଗା ଓ କଟକ ସଦର ନିର୍ବାଚନମଣ୍ଡଳୀରୁ ଗୋଟିଏ ଲେଖାଏ ଆସନ ଜିତିଥିଲା। କିନ୍ତୁ ମାହାଙ୍ଗ‌ା ଓ କଟକ ସଦରର ୨୬ ଓ ୨୮ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ସେକ୍‌ ଜାହିର ମହମ୍ମଦ ଓ ଯାଜ୍ଞସେନ ଶ୍ରୀଚନ୍ଦନ ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ଏପରିକି ସଦରର ସ୍ବାଧୀନ ପ୍ରାର୍ଥୀ ଥିବା ଜୀବନ ସାମନ୍ତରାୟ ମଧ୍ୟ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶି ସାରିଥିବାବେଳେ ବଡମ୍ବାର ଜୋନ ୩୧ର ବିଜେପି ଜିଲ୍ଲାପରିଷଦ ସଦସ୍ୟ ଲିଙ୍ଗରାଜ ସେନାପତିଙ୍କ ମୃତ୍ୟୁ ହୋଇଛି। ଗତ ନିର୍ବାଚନରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ୭ଟି ଜୋନ୍‌ରୁ ୬ଟି ଆସନ ବିଜେପି ଜିତି ବିଜେଡିର ପ୍ରଭାବଶାଳୀ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଅଡୁଆରେ ପକାଇଥିଲା। ଏଥର ସେଠି ବିଜେପି ନିଜ ଗଡ ରକ୍ଷା ପାଇଁ କେତେ ସଫଳ ହେବ, ତାହା ହେଉଛି ବଡ଼ ପ୍ରସଙ୍ଗ। ବଡ଼ମ୍ବାରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ବିଜୟ ଦଳବେହେରା ଯଦିଓ ଅଞ୍ଚଳରେ କିଛିଟା ସ୍ଥିତି ରଖିଛନ୍ତି, କଂଗ୍ରେସର ସେଠାରେ ପ୍ରାର୍ଥୀ ହୋଇଥିବା ବବି ମହାନ୍ତି ସାଂଗଠନିକ କାର୍ଯ୍ୟରେ ଆଦୌ ସଂପୃକ୍ତ ନାହାନ୍ତି।

publive-image

ଆଠଗଡ଼ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଖଣ୍ଡ ପ୍ରଭାବ ରହିଥିଲେ ବି କଂଗ୍ରେସର ଦୁଇ ଅନୁଭବି ନେତା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଓ ବିଜେପିକୁ କିଛିଦିନ ପାଇଁ ଯାଇଥିବା ଓ ପୁଣି କଂଗ୍ରେସକୁ ଫେରି ଆସିଥିବା ବରିଷ୍ଠ ନେତା ବିଭୂତି ଭୂଷଣ ମିଶ୍ର ପଂଚାୟତ ନିର୍ବାଚନରେ ତାଙ୍କୁ କଡ଼ା ଟକ୍କର ଦେବାକୁ ଉଦ୍ୟମ କରୁଛନ୍ତି। ବାଙ୍କୀ ନିର୍ବାଚନମଣ୍ଡଳୀରେ ବାପା-ପୁଅ ଅର୍ଥାତ୍‌ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଓ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ବିଜେପିର ଶୁଭ୍ରାଂଶୁ ମୋହନ ପାଢୀ ଟକ୍କର ଦେବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେହିଭଳି ସାଲେପୁର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଶାନ୍ତ ବେହେରାଙ୍କୁ କିନ୍ତୁ ଦୁଇ ପଟୁ ଚ୍ୟାଲେଞ୍ଜ ମିଳିବ। ସେଠାରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ପ୍ରଭାବ ରହିଥିବା ବେଳେ କଂଗେସ ଶିବିରକୁ ସକ୍ରିୟ କରିଛନ୍ତି ଇଂ ଆକ୍ୟୁବ୍‌ ଖାନ୍‌।

ମହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନା ଗତ ନିର୍ବାଚନରେ ଗୋଟିଏ ଜିଲ୍ଲା ପରିଷଦ ଜୋନ ବିଜେପି ପାଖରେ ହାରିଥିବା ବେଳେ ଏଥର ବି ତାଙ୍କୁ ବିଜେପି ନେତା ଶାରଦା ପ୍ରଧାନ ଓ କଂଗ୍ରେସର ମଙ୍ଗ ଧରିଥିବା ଦେବେନ୍ଦ୍ର କୁମାର ସାହୁ ସହଜରେ ବାଟ ଛାଡ଼ିବା ଯୋଜନାରେ ନାହାନ୍ତି। କଟକ ସଦରରେ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ଯଦିଓ କଂଗ୍ରେସ ପଟୁ ବଡ଼ ଚାଲେଞ୍ଚ ନାହିଁ ବୋଲି କୁହାଯାଉଛି, କିନ୍ତୁ ବିଜେପିର ବରିଷ୍ଠ ନେତା ଦିଲ୍ଲୀପ୍‌ ମଲ୍ଲିକ୍‌ ତାଙ୍କୁ ଟକ୍କର ଦେବା ଯୋଜନାରେ ସବୁ ବେଳେ ପ୍ରୟାସ କରି ଆସୁଛନ୍ତି। କିନ୍ତୁ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ୪୨ ମୌଜା ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବାରୁ ତାଙ୍କର ସେଠାରେ ବିଶେଷ ପ୍ରଭାବ ରହିଛି। ତେଣୁ ସେଠାରେ ବି କଂଗ୍ରେସ ପ୍ରଭାବ ଦେଖାଇବା ସମ୍ଭାବନାକୁ ଏଡାଇ ହେବ ନାହିଁ। ଟାଙ୍ଗୀ-ଚୌଦ୍ବାର ଅଞ୍ଚଳ ତିନିଟି ନିର୍ବାଚନ ମଣ୍ଡଳୀ ଭିତରେ ବାଣ୍ଟି ହୋଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ସେଠାରେ ବିଶେଷ ଚାଲେଞ୍ଜ ହେବ ନାହିଁ ବୋଲି ଆକଳନ କରାଯାଉଛି।
ନିଆଳି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରମୋଦ ମଲ୍ଲିକଙ୍କ ପାଇଁ କଂଗ୍ରେସର ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ରବି ମଲ୍ଲିକ ଏଥର ମିଳିତ ଭାବେ ଅଡ଼ୁଆ ସୃଷ୍ଟି କରିବାର ଆକଳନ କରାଯାଉଛି।

ମୋଟାମୋଟି ଭାବେ ଦେଖିଲେ ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ମାହାଙ୍ଗା, ସାଲେପୁର, ଆଠଗଡ଼, ବାଙ୍କୀ ଓ ସଦରରେ ବିଜେଡିକୁ ଉଭୟ ବିଜେପି ଓ କଂଗ୍ରେସ ଚାଲେଞ୍ଜ ଦେବାକୁ ବସିଥିବା ବେଳେ ବଡ଼ମ୍ବାରେ ବିଜେପି ଓ ନିଆଳିରେ କଂଗ୍ରେସ ଚାଲେଞ୍ଜ ଦେବା ସ୍ଥିତିରେ ରହିଛନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିଜେଡି-ବିଜେଡି ଲଢେଇ ଅର୍ଥାତ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବାର ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe