ସାଂସଦଙ୍କ ପରେ ବାରବାଟୀ-କଟକ ବିଧାୟକଙ୍କ ବିରୋଧ; ଗୋପାଳପୁର ପରିବର୍ତ୍ତେ ଖାନନଗର ବସ୍ ଷ୍ଟାଣ୍ଡ କାହା ସ୍ବାର୍ଥରେ?

ସାଂସଦଙ୍କ ପରେ ବାରବାଟୀ-କଟକ ବିଧାୟକଙ୍କ ବିରୋଧ; ଗୋପାଳପୁର ପରିବର୍ତ୍ତେ ଖାନନଗର ବସ୍ ଷ୍ଟାଣ୍ଡ କାହା ସ୍ବାର୍ଥରେ?

Sambad

କଟକ: କାହା ସ୍ବାର୍ଥରେ ଏବେ ଗୋପାଳପୁରରେ ବସ୍ ଷ୍ଟାଣ୍ଡ ନକରି ଖାନନଗରରେ ବସ୍ ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ। କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ବସ୍ ଷ୍ଟାଣ୍ଡର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏବେ କଂଗ୍ରେସ ବିଧାୟକଙ୍କ ଏଭଳି ପ୍ରଶ୍ନ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଶ୍ରୀ ମୋକିମ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାରଙ୍କ ୨୦୧୩ ଫେବ୍ରୁଆରି ୨୬ ତାରିଖ ଚିଠି (ନଂ ୨୧୬୨) ଅନୁଯାୟୀ ୨୦୧୨ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚ କ୍ଷମତା ସଂପନ୍ନ ବୈଠକରେ କଟକ-ଗୋପାଳପୁର ମୌଜା ସ୍ଥିତ ଖାତା ନଂ – ୧୦୪୬, ପ୍ଳଟ ନଂ-୮୭୩ ରେ ଥିବା ଏ ୪୨.୬୪୦ ଜମିକୁ ଚିହ୍ନଟ କରି ସେଠାରେ ବସ ଟର୍ମିନାଲ ନିର୍ମାଣ ପାଇଁ କଟକ ଜିଲ୍ଲା ପ୍ରଶାସନକୁ ଦାୟିତ୍ଵ ଦେଇଛନ୍ତି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ରାଜ୍ୟର ସମସ୍ତ ଆରଟିଓ ଏଥିପାଇଁ ସମ୍ମତି ଦେଇଛନ୍ତି।

୨୦୧୨ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ବସ ଷ୍ଟାଣ୍ଡ ନିର୍ମାଣର ଅଗ୍ରଗତି ସଂପର୍କରେ ବୈଠକ ଡାକି ମଧ୍ୟ ଆଲୋଚନା କରିଥିଲେ। ଗୋପାଳପୁର ବସ ଷ୍ଟାଣ୍ଡ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ହଠାତ ଖାନନଗରକୁ କାହିଁକି ଏବଂ କାହା ସ୍ଵାର୍ଥରେ ବସ ଟର୍ମିନାଲ ପାଇଁ ପସନ୍ଦ କରାଗଲା ବୋଲି ଶ୍ରୀ ମୋକିମ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ ଏଠାରେ ବହୁତ କମ ଜମି ରହିଛି। ବସ୍ ଷ୍ଟାଣ୍ଡ ପାଇଁ ଏଠି ଭିତ୍ତି ଭୂମି ଆଦୌ ଅନୁକୂଳ ନୁହେଁ। ଜନବସତି ଅଞ୍ଚଳକୁ କିପରି ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଚୟନ କରାଯାଇଛି? ଗୋପାଳପୁରର ୪୨ ଏକର ଜମି ପରିବର୍ତ୍ତେ ଖାନ ନଗର ସ୍ଥିତ ମାତ୍ର ୧୨ ଏକର ଜମିରେ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ କେତେ ଯୁକ୍ତିଯୁକ୍ତ?

ଏହି ସଂକୀର୍ଣ୍ଣ ସ୍ଥାନରେ ବସ ଷ୍ଟାଣ୍ଡ ନିର୍ମାଣ ହେଲେ ଅନେକ ଭଙ୍ଗା ଗଢା, ବିସ୍ଥାପନ କାର୍ଯ୍ୟ ଲାଗି ରହିବ। ନଦୀ ଶଯ୍ୟା ପୋତା ଯାଇ ରାସ୍ତାର ପ୍ରଶସ୍ତିକରଣ ଓ ଦୋହରି କରଣ କରାଯିବା ଆଦୌ ସମୀଚୀନ ନୁହେଁ। ତେଣୁ ସରକାର ଏହାର ପୁନର୍ବିଚାର କରନ୍ତୁ।
୨୦୧୪ରେ ଓଡ଼ିଶା ହାଇକୋର୍ଟ ଏକ ରିଟ ପିଟିସନର ବିଚାର କରି ପ୍ରସ୍ତାବିତ ଗୋପାଳପୁର ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଗୋପାଳପୁର ବସ ଷ୍ଟାଣ୍ଡ ପାଇଁ ଅଧିଗ୍ରହଣ ହୋଇଥିବା ଜମିର ସ୍ଥିତି ସରକାର ସାଧାରଣରେ ପ୍ରକାଶ କରନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe