ମେୟର୍‌ କ୍ବାର୍ଟର୍ସ ଉନ୍ନତୀକରଣରେ ୩୦ ଲକ୍ଷ ଖର୍ଚ୍ଚ କାହିଁକି?

Advertisment
ମେୟର୍‌ କ୍ବାର୍ଟର୍ସ ଉନ୍ନତୀକରଣରେ ୩୦ ଲକ୍ଷ ଖର୍ଚ୍ଚ କାହିଁକି?

Sambad

କଟକ: ପୌର ନିଗମର ମେୟରଙ୍କ କାର୍ଯ୍ୟକାଳ ହେଉଛି ୫ ବର୍ଷ। ସେଥିରୁ ପାଖାପାଖି ୫ ମାସ ବିତିଗଲାଣି। କିନ୍ତୁ ମେୟରଙ୍କ କ୍ବାର୍ଟର୍ସ ଉନ୍ନତୀକରଣ କାର୍ଯ୍ୟରେ ୩୦ ଲକ୍ଷ ପାଖାପାଖି ଟଙ୍କା ପୂର୍ତ୍ତ ବିଭାଗ ଖର୍ଚ୍ଚ କରିବା ଘଟଣାର ଯଥାର୍ଥତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ମେୟର ସୁବାସ ସିଂହଙ୍କ ପାଇଁ ଗଡ଼ଖାଇ ମଧ୍ୟରେ ଥିବା ଜିଏଡି ବିଭାଗର ଏସ୍‌ଓ-୬ କୋର୍ଟର୍ସର ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ପୂର୍ବରୁ ଏଠାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରହୁଥିଲେ। ଏହି କ୍ବାର୍ଟର୍ସ ପାଖରେ ଥିବା ଆଉ ଏକ କ୍ବାର୍ଟର୍ସରେ ବି ନୂଆ କମିସନର ପୱନ କଲ୍ୟାଣ ସିଂହ ରହିଲେଣି। କିନ୍ତୁ ମେୟରଙ୍କ କ୍ବାର୍ଟର୍ସ ପାଇଁ ୩/୪ ମାସ ହେଲା ପ୍ରସ୍ତୁତି ଚାଲିଥିବା ବେଳେ କାମ ସରିବାକୁ ଆହୁରି ମାସେ ଦୁଇ ମାସ ଲାଗି ଯିବ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି ଅର୍ଥ ବ୍ୟୟର ଯଥାର୍ଥତା ଏବେ ବିବାଦର ମୂଳ ମଞ୍ଜି ହୋଇଛି। ମେୟର ଖୁବ ବେଶୀରେ ଏଠି ୫ ବର୍ଷ ରହିବେ ବୋଲି ୩୦ ଲକ୍ଷ ଟଙ୍କା ଯଦି ଖର୍ଚ୍ଚ ହେବ, ତେବେ ବର୍ଷକୁ ୬ ଲକ୍ଷ ଟଙ୍କା ଭାଗ ପଡ଼ୁଛି। ସେହି ହିସାବରେ ମାସକୁ ଭାଗ ପଡ଼ୁଛି ୫୦ ହଜାର ଟଙ୍କା।

ମାସକୁ ୫୦ ହଜାରରୁ ଯଥେଷ୍ଟ କମ୍‌ ଟଙ୍କା ଭଡ଼ାରେ ତ କଟକ ସହରରେ ବିରାଟ ଘର ମିଳି ଯିବ। ଏଭଳି ଯୋଜନାକୁ ବିରୋଧ କରି ପୂର୍ବତନ କର୍ପୋରେଟର୍ ତଥା ସିଏମ୍‌ସିରେ ବାରବାଟୀ-କଟକ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି କହିଛନ୍ତି ଯେ ଝୋଲାସାହିରେ ମେୟରଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର ରହିଛି। ସେଠାରେ ମେୟରଙ୍କ କାର୍ଯ୍ୟାଳୟ, ଜନଶୁଣାଣି, ଗାଡି ରଖିବା ପରି ବ୍ୟବସ୍ଥା ସହିତ ମାଳି, ସୁରକ୍ଷାକର୍ମୀ ପରି କର୍ମଚାରୀ ନିୟୋଜିତ ଅଛନ୍ତି। କିନ୍ତୁ ଏହାକୁ ଅଣଦେଖା କରି ଅନ୍ୟ ବିଭାଗର କ୍ବାର୍ଟର୍ସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାକୁ ସୁନ୍ଦର କରିବାରେ ସାଧାରଣ ଲୋକଙ୍କ ଟିକସକୁ କେବଳ ନଷ୍ଟ କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe