ଯୋବ୍ରା ସ୍କୁଲ୍‌ରେ ଦିଗହରା ‘ମୋ ସ୍କୁଲ’ ଓ ‘୫-ଟି’ ଯୋଜନା, ଉଚ୍ଛେଦର ୬ ମାସ ପରେ ବି ନିର୍ମାଣ ହୋଇପାରିଲାନି ପାଚେରି

Advertisment
ଯୋବ୍ରା ସ୍କୁଲ୍‌ରେ ଦିଗହରା ‘ମୋ ସ୍କୁଲ’ ଓ ‘୫-ଟି’ ଯୋଜନା, ଉଚ୍ଛେଦର ୬ ମାସ ପରେ ବି ନିର୍ମାଣ ହୋଇପାରିଲାନି ପାଚେରି

Sambad

କଟକ: ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ‘ମୋ ସ୍କୁଲ’ ଓ ‘୫-ଟି’ ଅଭିଯାନରେ ସାମିଲ ହୋଇଛି। ଅନ୍ୟପଟେ ଏହାକୁ ସିଏମ୍‌ସି କମିସନର ଅନନ୍ୟା ଦାସ ପୌଷ୍ୟ ସ୍କୁଲ ଭାବେ ମଧ୍ୟ ଗ୍ରହଣ କରିଛନ୍ତି। ମାତ୍ର, ବିଭିନ୍ନ ଯୋଜନା ମାଧ୍ୟମରେ ଏଠାରେ ଚାଲିଥିବା ବିଭିନ୍ନ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେଉ ନଥିବା ଅଭିଯୋଗ ହୋଇଛି। ସେପଟେ ସ୍କୁଲର ସୁରକ୍ଷା ପାଇଁ ଏହାର ପରିସରରୁ ଜବରଦଖଲକାରୀଙ୍କୁ ଗତ ନଭେମ୍ବରରେ ଉଚ୍ଛେଦ କରାଯାଇଥିବା ବେଳେ ଏବେ ସୁଦ୍ଧା ପାଚେରି ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ସ୍କୁଲ‌ର ଉନ୍ନତିମୂଳକ କାମ କଚ୍ଛପ ଗତିରେ ଚାଲୁଥିବା ସମୟ‌େର ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ଯୋଜନାରେ ୨୦୨୧‌ ମାର୍ଚ୍ଚରେ ଦ୍ବିତୀୟ ପ୍ରର୍ଯ୍ୟାୟରେ ଯୋବ୍ରା ପୌର ହାଇସ୍କୁଲକୁ ସାମିଲ କରାଯାଇଥିଲା। ଏଥିରେ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଗୋଟିଏ ଇ-ଲାଇବ୍ରେରି,‌ ଗୋଟିଏ ସାଇନ୍ସ ଲ୍ୟାବ୍‌, ପିଇବା ପାଣି, ଶୌଚାଳୟ ନିର୍ମାଣ ସହ ଖେଳପଡ଼ିଆ ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଠିକ୍‌ ସମୟରେ କାମ ଆରମ୍ଭ କରାଯାଇ ଗତ ମାର୍ଚ୍ଚରେ କାମ ଶେଷ କରିବାକୁ ଯୋଜନା ଥିଲା। ମାତ୍ର ଏହା ମଧ୍ୟରେ ସମୟ ଗଡ଼ିଯାଇଥିଲେ ବି କାମ ଶେଷ ହେଲା ନାହିଁ। ଆସନ୍ତା ମେ’ରେ କାମ ଶେଷ କରି କରିବାକୁ କୁହାଯାଉଥିବା ବେଳେ କାମର ସ୍ଥିତିକୁ ଦେଖିଲେ ଏହା ଉପରେ ଆଶଙ୍କା ଦେଖାଯାଇଛି।

ସେପଟେ ସ୍କୁଲ୍‌ ପରିସରରେ ଦୀର୍ଘ ୪୦ବର୍ଷ ଧରି ଜବରଦଖଲରେ ରହିଆସୁଥିବା ୪୫ ପରିବାରଙ୍କୁ ଗତ ନଭେମ୍ବରରେ ହଟାଯାଇଥିଲା। ସେମାନଙ୍କୁ ହଟାଇବା ପରେ ସ୍କୁଲର ସୁରକ୍ଷା ପାଇଁ ସେଠାରେ ୧୮ ଲକ୍ଷ ଟଙ୍କାରେ ପାଚେରି ନିର୍ମାଣ କରିବାକୁ କୁହାଯାଇଥିଲା। ମାତ୍ର, ଏହା ଭିତରେ ୬ମାସ ବିତିଯାଇଥିଲେ ବି ପାଚେରି ତିଆରି ଆରମ୍ଭ ହୋଇପାରିଲା ନାହିଁ। ପାଚେରି ବଦଳରେ ତାରବାଡ଼ ଦେଇ ହାତ ଟେକି ଦେଇଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ। ସ୍କୁଲରେ ସ୍ମାର୍ଟ କ୍ଲାସ୍‌, ସାଇନ୍ସ ଲ୍ୟାବ୍‌ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ଇ-ଲାଇବ୍ରେରି, ଶୌଚାଳୟ, ପିଇବା ପାଣିର କାମ ମନ୍ଥର ଗତିରେ ଚାଲିଛି। ସ୍କୁଲର ସମସ୍ତ ଉନ୍ନତିମୂଳକ କାମ ଆସନ୍ତା ମେ’ ମାସ ସୁଦ୍ଧା ଶେଷ ହୋଇଯିବ ବୋଲି ସିଏମ୍‌ସି ଡେପୁଟି କମିସନର୍‌ ସଞ୍ଜୀବିତା ରାୟ କହିଛନ୍ତି। ଅନ୍ୟପଟେ ଚଳିତମାସ ପ୍ରଥମ ସପ୍ତାହରେ ୧୮ ଲକ୍ଷ ଟଙ୍କାରେ ସ୍କୁଲର ପାଚେରି ପାଇଁ ଟେଣ୍ଡର୍‌ ଡକାଯାଇଥିବାର ନିଗମର ନିର୍ବାହୀଯନ୍ତ୍ରୀ ଡି. ଆର୍‌. ତ୍ରିପାଠୀ ସୂଚନା ଦେଇଛନ୍ତି। ସ୍କୁଲରେ କରାଯାଉଥିବା ଉନ୍ନତିମୂଳକ କାମଗୁଡିକ ସଠିକ ଭାବେ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉ ବୋଲି ପୁରାତନ ବିଦ୍ୟାର୍ଥୀ ପରିଷଦ ସଂପାଦକ ଆଇନଜୀବୀ ଶୁଭେନ୍ଦୁ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe