ପୌର ନିଗମ ଓ ପ୍ରତ୍ନତତ୍ତ୍ବ ବିଭାଗ ମିଳିତ ଉଦ୍ୟମରେ ଗଡ଼ଖାଇ ପୁନରୁଦ୍ଧାର

୧୭.୩୬ କୋଟିରେ ନିର୍ମାଣ ହେବ ପାଚେରି, ନିର୍ମଳ ପାଣି ଓ ଦଳ ‌ସଫେଇ ପାଇଁ ୩. ୬୦ କୋଟି

ପୌର ନିଗମ ଓ ପ୍ରତ୍ନତତ୍ତ୍ବ ବିଭାଗ ମିଳିତ ଉଦ୍ୟମରେ ଗଡ଼ଖାଇ ପୁନରୁଦ୍ଧାର

Sambad

କଟକ: କଟକର ଐତିହ୍ୟ ବହନ କରୁଥିବା ଗଡ଼ଖାଇର ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଛି। ଗଡ଼ଖାଇ ପାର୍ଶ୍ବ ପାଚେରି ନିର୍ମାଣ କାମ ଆରମ୍ଭ ହେବା ସହ ଏହା ମଧ୍ୟରୁ ଦଳ ସଫେଇ କାମ ଚାଲିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ବିଭାଗ(ଏଏସ୍‌ଆଇ) ପକ୍ଷରୁ ବାରବାଟୀ ଦୁର୍ଗ ପ୍ରବେଶ ପଥର ମହାନଦୀ ରିଂବନ୍ଧ ରାସ୍ତା ପାର୍ଶ୍ବ ଗଡ଼ଖାଇରେ ପାଚେରି ନିର୍ମାଣ କାମ ଚାଲିଛି। ଅନ୍ୟପଟେ ପୌର ନିଗମ ତରଫରୁ ଦଳ ‌ସଫେଇ କାମ ଆରମ୍ଭ ହୋଇଛି। ଏକ ବର୍ଷ ମଧ୍ୟରେ ଗଡ଼ଖାଇରୁ ଦଳ ସଫେଇ କରି ଏହାର ପାଣିକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପାଚେରି ନିର୍ମାଣ କାମ ଅଢେଇ ବର୍ଷ ମଧ୍ୟରେ ‌େଶଷ କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ହଜାରେ ବର୍ଷ କଟକ ସହରର ଐତିହ୍ୟ ବହନ କରୁଥିବା ଗଡ଼ଖାଇର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଏଏସ୍‌ଆଇ ଓ ପୌର ନିଗମ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗଡ଼ଖାଇ ‌େସୗନ୍ଦର୍ଯ୍ୟକରଣ ପାଇଁ ପୌର ନଗମ ତରଫରୁ ୪ବର୍ଷ ପୂର୍ବେ ଏଏସ୍‌ଆଇକୁ ୧୭ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

‘ଡିପୋଜିଟ୍‌ ୱାର୍କ’ରେ ପ୍ରଦାନ କରାଯାଇଥିବା ଉକ୍ତ ଟଙ୍କାରେ ଏବେ ‌ଖାଇର ଯେଉଁ ଅଞ୍ଚଳରେ ପଥର ପ୍ୟାକିଂ ଭାଙ୍ଗି ନଷ୍ଟ ହୋଇଯାଇଛି, ସେଠାରେ ପାଚେରି ନିର୍ମାଣ କାମ କରାଯିବା ସହ ଯେଉଁ ସ୍ଥାନରେ ପାଚେରି ଦୁର୍ବଳ ହୋଇଯାଇଛି ତାହାର ମରାମତି କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ମାଙ୍କଡା ପଥରରେ ନିର୍ମାଣ ହେଉଥିବା ପାଚେରିର ଦୀର୍ଘସ୍ଥାୟୀ ପାଇଁ ଚୂନ, ଗୁଡ, ଏକ ସ୍ବତନ୍ତ୍ର ଅଠା, ଇଟା ଗୁଣ୍ଡ ଓ ସମେଣ୍ଟରେ ଏକ ପ୍ରଲେପ ପ୍ରସ୍ତୁତ କରାଯାଇ ପଥର ପାଚେରି ନିର୍ମାଣ କରାଯାଉଛି। ଅାସନ୍ତା ଅଢେଇ ବର୍ଷ ମଧ୍ୟରେ ପାଚେରି ନିର୍ମାଣ କାମ ଶେଷ ହେବ। ସେପଟେ ଗଡ଼ଖାଇ ମଧ୍ୟକୁ ଚାରି ପାର୍ଶ୍ବରେ ଥିବା ମାଟି ଓ ପିଚୁ ରାସ୍ତାକୁ ଭଙ୍ଗାଯାଇ ପୋଲ ବା ବ୍ରିଜ ନିର୍ମାଣ ହେବ। ପୂର୍ବପରି ଯେପରି ଗଡ଼ଖାଇର ପାଣି ଏହାର ଚାରିପାଖରେ ବିନା ବାଧାରେ ପ୍ରବାହିତ ହେଉଥିଲା ଏବେ ସେପରି କରାଯିବ। ଅନ୍ୟପଟେ ଗଡ଼ଖାଇର ପୁନରୁଦ୍ଧାର ପାଇଁ ପୌର ନିଗମ ପକ୍ଷରୁ ବି‌େଶଷ ପଦକ୍ଷେପ ନିଆଯାଇଛି। ଗଡ଼ଖାଇରୁ ଦଳ ସଫା କରାଯାଇ ଏହାର ପାଣିକୁ ସ୍ବଚ୍ଛ ଓ ନିର୍ମଳ କରିବା ଦିଗରେ ନିଗମ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ସହରାଞ୍ଚଳ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା କରାଯାଉଛି। କେନ୍ଦ୍ର ଜଳଶକ୍ତି ବିଭାଗ ଓ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩.୬ କୋଟି ଟଙ୍କା ଏଥିରେ ଖର୍ଚ୍ଚ କରାଯିବ। ଗଡ଼ଖାଇର ପୁନରୁଦ୍ଧାର ପାଇଁ ୨୦୨୨ ଏପ୍ରିଲରୁ ଏକାଧିକ ବୈଠକ କରାଯାଇ ଏବେ ଦଳ ସଫେଇ ସହ ପାଚେରି ନିର୍ମାଣ କାମ ଆରମ୍ଭ ହୋଇଛି ବୋଲି ମେୟର ସୁବାସ ସିଂହ କହିଛନ୍ତି। ଗଡ଼ଖାଇର ଭାଙ୍ଗି ଯାଇଥିବା ପାଚେରିର ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ ସଂଯୋଗ କରୁଥିବା ସମସ୍ତ ମାଟି ଓ କଂକ୍ରିଟ ରାସ୍ତାକୁ ଭଙ୍ଗା ଯାଇ ପୋଲ ବା ବ୍ରିଜ ନିର୍ମାଣ କରାଯିବ ବୋଲି ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡକ୍ଟର ଡି. ଗଡନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe