ଆଜି ବିଶ୍ବ ଜିରାଫ ଦିବସ, ନନ୍ଦନକାନରେ ସାଥୀହୀନ ଜୀବନ ବିତାଉଛି ଖୁସୀ

Advertisment
ଆଜି ବିଶ୍ବ ଜିରାଫ ଦିବସ,  ନନ୍ଦନକାନରେ ସାଥୀହୀନ ଜୀବନ ବିତାଉଛି ଖୁସୀ

Sambad

ବାରଙ୍ଗ: ଆଜି ବିଶ୍ଵର ସବୁଠାରୁ ଦୀର୍ଘକାୟ, ଲମ୍ବା ବେକ, ବିରଳ ବିଲୁପ୍ତ ପ୍ରାୟ ବନ୍ୟପ୍ରାଣୀ ଜିରାଫ ଦିବସ। ଆଫ୍ରିକାର ଜିରାଫ ସଂରକ୍ଷଣ ସଂସ୍ଥା (ଜିସିଏଫ୍) ୨୦୧୪ ଜୁନ୍ ୨୧ ତାରିଖକୁ ବିଶ୍ଵ ଜିରାଫ ଦିବସ ଭାବେ ପାଳନ କରି ଆସୁଛି। ବିଶେଷ ଭାବେ ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏହି ପ୍ରାଣୀ ବିଶ୍ଵର ସବୁଠୁ ଲମ୍ବା ବେକ, ତୃଣଭୋଜି, ସ୍ତନ୍ୟପାୟୀ ପ୍ରାଣୀ ଅଟେ। ଏମାନଙ୍କର ପରମାୟୁ ୨୫ ବର୍ଷ। ୩ ବର୍ଷରୁ ୬ ବର୍ଷ ବୟସ ମଧ୍ୟରେ ପ୍ରାପ୍ତବୟସ୍କ ହୋଇ ପ୍ରଜନନକ୍ଷମ ହୋଇଥାନ୍ତି। ମାଈ ଜିରାଫ୍ ୧୫ମାସ ଗର୍ଭଧାରଣ ପରେ ଥରକୁ ଗୋଟିଏ ପିଲା ପ୍ରସବ କରିଥାଏ। ଏମାନଙ୍କ ବେକର ଲମ୍ବ ୬ ଫୁଟ ପର୍ଯ୍ୟନ୍ତ ହୋଇଥାଏ। ମାଈ ଜିରାଫର ଗୋଡ ତଳରୁ ମୁଣ୍ଡ ଉଚ୍ଚତା ୫.୨ ମିଟର ପର୍ଯ୍ୟନ୍ତ ଓ ଅଣ୍ଡିରାର ଉଚ୍ଚତା ୫.୯ ମିଟର ପର୍ଯ୍ୟନ୍ତ ହୋଇଥାଏ। ୨୦୧୬ରେ ଆଇୟୁସିଏନର ଗଣନା ଅନୁସାରେ ଆଫ୍ରିକାରେ ବିଗତ ୩୦ ବର୍ଷରେ ୩୬ରୁ ୪୦ ପ୍ରତିଶତ ବଂଶ ହ୍ରାସ ପାଇ ମୋଟ ୯୭,୫୦୦ ରହିଛି। ଯାହା ୧୯୮୫ ମସିହାରେ ଦେଢ ଲକ୍ଷରୁ ଅଧିକ ଥିଲା। କ୍ରମାଗତ ଭାବେ ଜିରାଫ ବଂଶ ହ୍ରାସ ପାଇ ବିଲୋପ ପଥରେ ପହଁଚି ଥିବାରୁ ଏହି ବିରଳ ପ୍ରଜାତୀର ସୁରକ୍ଷା ଓ ସଂରକ୍ଷଣ ଲାଗି ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ କରାଯାଉଛି।

ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ଏବେ ଏକ ମାତ୍ର ମାଈ ଜିରାଫ ଖୁସୀ (୧୦) ରହିଛି। ଖୁସୀକୁ ୨୦୧୨ ଜୁଲାଇ ୧୧ ତାରିଖରେ ବିହାରର ପାଟନା ଚିଡ଼ିଆଖାନାରୁ ନନ୍ଦନ କାନନକୁ ସିମ୍ପାଞ୍ଜି ଛୁଆ କାର୍ତ୍ତିକ ଓ ସୁଭଦ୍ରା ବଦଳରେ ଅଣା ଯାଇଥିଲା। ୨୦୧୬ ଫେବ୍ରୁଆରି ୨୪ ତାରିଖରେ କଲିକତାର ଅଲ୍ଲୀପୁର ଚିଡ଼ିଆଖାନାରୁ ୬ ବର୍ଷର ଅଣ୍ଡିରା ଜିରାଫ ଜୟକୁ ଅଣାଯାଇଥିଲା। ମାତ୍ର ଆସିବାର ୫ ଦିନରେ ଫେବ୍ରୁଆରି ୨୯ ତାରିଖରେ ତାର ମୃତ୍ୟୁ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ନନ୍ଦନ କାନନରେ ଖୁସୀ ସାଥୀ ଅପେକ୍ଷାରେ ଏକାକୀ ରହିଛି। ଏହାପୂର୍ବରୁ ପ୍ରଥମ କରି ୨୦୦୮ ମସିହାରେ ନନ୍ଦନ କାନନ କର୍ତ୍ତୃପକ୍ଷ ୪ ବାଘ (୨ ଧଳା ଓ ୨ ନାଲି)ଙ୍କ ସମେତ ମୋଟ ୨୨ ବିରଳ ପ୍ରଜାତି ଜୀବ ବଦଳରେ କଲିକତା ଅଲ୍ଲୀପୁର ଚିଡିଆଖାନାରୁ ଏକ ଅଣ୍ଡିରା ଜିରାଫ ଆଣିଥିଲେ ।କଲିକତାରୁ ଆସିବା ବାଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ବାଟରେ ମୃତ୍ୟୁ ହୋଇଥିଲା। ଏଭଳି ଭାବେ ନନ୍ଦନ କାନନକୁ ଜିରାଫ ଆଣିବାର ଯୋଜନା ୨ ଥର ବିଫଳ ହୋଇଛି। ସଫଳତାର ସ୍ଵରୂପ ଏକମାତ୍ର ଖୁସୀ ରହିଛି। ୨୦୧୬ରୁ ବାରମ୍ଵାର ଘୋଷଣା କରାଯାଉଥିଲେ ବି ଖୁସୀ ପାଇଁ ସାଥୀ ଯୋଗାଡ ହୋଇ ନ ପାରିବା ବନ୍ୟପ୍ରାଣୀପ୍ରେମୀଙ୍କ ପାଇଁ ଉଦବେଗର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe