ମାଲକାନଗିରିରେ ବଢ଼ିଛି ସାଇବର ଅପରାଧ, ଦୁଇ ବର୍ଷରେ ୩୬୫୭ଟି ମାମଲା ରୁଜୁ

Advertisment
ମାଲକାନଗିରିରେ ବଢ଼ିଛି ସାଇବର ଅପରାଧ, ଦୁଇ ବର୍ଷରେ ୩୬୫୭ଟି ମାମଲା ରୁଜୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନୁନ୍ନତ ଜିଲ୍ଲା ହୋଇଥିବାରୁ ଏଠାରେ ଲୋକେ ଅତି ସହଜରେ ଦଲାଲଙ୍କ ହାବୁଡରେ ପଡି ଲକ୍ଷାଧିକ ଟଂକା ହରାଉଛନ୍ତି। ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ଥାନାରେ ଛାଡି ଦେଲେ ସମସ୍ତ ଥାନାରେ ସାଇବର କ୍ରାଇମ ନେଇ କେଶ ରୁଜୁ କରାଯାଇଛି। ମାଲକାନଗିରି ଜିଲ୍ଲାରେ ଗତ ଦୁଇ ବର୍ଷ ମଧ୍ୟରେ ଯେଉଁ ରେକର୍ଡ କେଶ କରାଯାଇଛି ତାହା ଦେଖିଲେ ଏହାଠାରୁ ଆହୁରି ଅଧିକ ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଏ।

ମାଲକାନଗିରି ସାଇବର କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ଗତ ୨୦୨୦ ମସିହାରେ ମୋଟ ୧୫୯୯ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି।ଏଥିରୁ ୧୫୨୨ଟି ଚାର୍ଜସିଟ ହୋଇଥିବା ବେଳେ ଏବେ ବି ୭୭ଟି ମାମଲାର ଯାଞ୍ଚ ଚାଲିଛି। ସେହିପରି ୨୦୨୧ ମସିରା ଜିଲ୍ଲାରେ ୨୦୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୧୫୨୪ଟି କେଶର ଚାର୍ଜସିଟ ଫାଇଲ ହୋଇଥିବା ବେଳେ ୫୪୪ଟି କେଶ ଏବେ ବି ଯାଞ୍ଚର ପରିଧି ଭିତରେ ରହିଛି।ତେବେ ଗତ ଦୁଇ ବର୍ଷରେ ମୋଟ ୬୨୧ଟି ସାଇବର କ୍ରାଇମ କେଶ ଏବେ ବି ପେଣ୍ଡିଂ ରହିଛି। ଏହାର ଚାର୍ଜସିଟ କେବେ ଦାଖଲ ହେବା ଦେଖିବାକୁ ବାକି ରହିଲା।

ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ବିଭିନ୍ନ ରକମର ଠକ ଏଠାରେ ଲୋକଙ୍କୁ ଠକିବାରେ ସଫଳ ହେଉଛନ୍ତି। ବିଶେଷକରି ଲୋଟେରି ବାହାରିଥିବା କହି ହଜାର ହଜାର ଟଂକା ଠକିବା, ପୋଷ୍ଟ ଅଫିସରେ ଟଂକା ହଡପ କରି ନେବା, ଫୋନ ପେ’, ଗୁଗୁଲ ପେ’ରେ ଗ୍ରାହକଙ୍କୁ ଠକିବା, ଏଟିଏମ କାର୍ଡ ଲକ୍ ହୋଇଯାଇଥିବା କହି ଠକିବା, ଜିଓ ଟାଵାର ବସାଇବା ନେଇ ଠକିବା, ଫେସବୁକ ହ୍ୟାକ କରି ଠକିବା ଭଳି ବିଭିନ୍ନ ପ୍ରକାର ଆଳ କରି ଦଲାଲମାନେ ଠକି ଚାଲିଛନ୍ତି। ସାଇବର କାର୍ଯ୍ୟାଳୟରେ ଯାହା ରେକର୍ଡ ରହିଛି ତା ଠାରୁ ଆହୁରି ଅଧିକା ଲୋକ ଜିଲ୍ଲାରେ ଠକେଇ ହେଉଥିବା ଆଲୋଚନା ହେଉଛି। କାରଣ ବହୁ ଲୋକ ନିଜ ଟଂକାକୁ ହରାଇ ଲଜ୍ଜାରେ ଥାନାକୁ ଯାଉନଥିବା ସହ କାହାରିକୁ ମଧ୍ୟ କହୁନଥିବା ଦେଖିବାକୁ ମିଳିଛି। ଗାଁ ଗହଳିରେ ଲୋକେ ଠକାମିର ଶିକାର ହେଲେ ମଧ୍ୟ ଥାନା କଚେରୀରେ ପଡିବା ଅପେକ୍ଷା ଚୁପ ରହିବା ଭଲ କହି କେଶ କରୁନଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବହୁ ଯୁବକଯୁବତୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯିବା ନେଇ ଠକେଇ କରାଯାଉଛି।

ସେହିପରି ଲକ୍‌ଡାଉନ ସମୟରେ ଲୋକେ ୟୁପିଆଇ ମାଧ୍ୟମରେ ଟଂକା ନେଣଦେଣ କରୁଥିବାରୁ ଦଲାଲମାନେ ଏହାକୁ ମଧ୍ୟ ବ୍ୟବହାର କରି ଟଂକା ଠକେଇ ନେଇଥିବା ନଜିର ରହିଛି। ଜିଲ୍ଲାରେ ଏତେ ସଂଖ୍ୟାରେ ଠକେଇ ହେଉଥିଲେ ମଧ୍ୟ ପୁଲିସର ଧିମା ଯାଞ୍ଚ ଏବଂ ଉଚିତ କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁଁ ଏହା ଆଗେଇ ଚାଲିଛି। ପ୍ରତିଦିନ ଜିଲ୍ଲାର କୌଣସି ନା କୌଣସି ଗାଁରେ ଲୋକେ ଠକେଇ ହେଉଛନ୍ତି।ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଗଲେ ହୁଏତ ଅଶିକ୍ଷିତ ଲୋକେ ଏବଂ ଦୁର୍ଗମ ଅଂଚଳରେ ରହୁଥିବା ନିରୀହ ଲୋକେ ଏଥିରୁ ବର୍ତ୍ତିଯିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଲୋକେ ଯେତେ ସଚେତନ ହେଲେ ମଧ୍ୟ ବେଳେ ବେଳେ ଦଲାଲଙ୍କ କବଜାରେ ପଡି ଠକେଇ ହେଉଛନ୍ତି। ତେଣୁ ଏହି କ୍ରାଇମ କରୁଥିବା ଅଭିଯୁକ୍ତମାନଙ୍କୁ କଡା ଦଣ୍ଡ ଦିଆଗଲେ ଏଭଳି ଆଗକୁ କରିବେ ନାହିଁ ବୋଲି କୁହାଯାଇଛି। ଏବେ ବି ଲୋକେ ସଚେତନ ହେଲେ ଆଗକୁ ନିଜର କଷ୍ଟାର୍ଜିତ ଟଂକାକୁ ସୁରକ୍ଷିତ ରଖିପାରିବେ ବୋଲି କୁହାଯାଇଛି। କୌଣସି ଫୋନ କଲକୁ ବିଶ୍ବାସକୁ ନେବେ ନାହିଁ। କୌଣସି ବ୍ୟାଙ୍କ ଗ୍ରାହକୁ ଏଟିଏମ ପିନ ବନ୍ଦ ହୋଇଯାଇଥିବା ନେଇ ଫୋନ କରନ୍ତି ନାହିଁ। କେହି ମଧ୍ୟ ପୋନ କରି ଋଣ ପ୍ରଦାନ କରନ୍ତି ନାହିଁ। ସେହିପରି ଲଟେରି ଟିକଟ କିଣିନଥିବା ବେଳେ କିପରି ଲଟେରି ଉଠାଣ ହେଲା ଏହା ଚନ୍ତା କରିବା ଦରକାର। ଏଭଲି କୌଣସି ଲୋଭନୀୟ ଫୋନ କଲ ଆସିଲେ ତୁରନ୍ତ କାଟି ଦେବାକୁ କୁହାଯାଇଛି। ତେଣୁ ସତର୍କତା ହିଁ ନିଜ ଟଂକାକୁ ରକ୍ଷା କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe