ଭୋକର ଜ୍ୱାଳା ସହିନପାରି ସୁରତରୁ ସାଇକଲ୍‌ରେ ଆସିଲେ ତିନି, ୧୩ ଦିନର ଯନ୍ତ୍ରଣା ଦାୟକ ଯାତ୍ରା ପରେ ଗାଁ ମାଟିରେ

Advertisment
ଭୋକର ଜ୍ୱାଳା ସହିନପାରି ସୁରତରୁ ସାଇକଲ୍‌ରେ ଆସିଲେ ତିନି, ୧୩ ଦିନର ଯନ୍ତ୍ରଣା ଦାୟକ ଯାତ୍ରା ପରେ ଗାଁ ମାଟିରେ

ଭଞ୍ଜନଗର: ବନ୍ଦ ହୋଇଗଲା କାରଖାନା । କାମଧନ୍ଦା ବନ୍ଦ ଯୋଗୁ ହାତ ବାନ୍ଧି ଘରେ ବସିଲୁ। ଖାଇବା ପିଇବା ମଧ୍ୟ ମିଳିବାରେ ସମସ୍ୟା ଦେଖାଦେଲା। ଭୋକ ଉପାସରେ ଦିନ କାଟିବା ଅପେକ୍ଷା ଘରକୁ ଯିବା ଉଚିତ ମନେକଲୁ। ଶେଷରେ ବାଧ୍ୟ ହୋଇ ସାଇକଲ୍‌ରେ ଘରକୁ ଫେରିବାର ନିଷ୍ପତି ନେଲୁ। ଏଭଳି କିଛି ଶଦ୍ଦ ଶୁଣିବାକୁ ମିଳିଛି ଗୁଜୁରାଟ ସୁରତ ଠାରେ ରହି କପଡା କାରଖାନାରେ ସୂତାକାମ କରୁଥିବା ତିନି ଦାଦାନ ଶ୍ରମିକଙ୍କ ମୁହଁରୁ। ଦୀର୍ଘ ୧୩ ଦିନ ଧରି ବହୁ ଯନ୍ତ୍ରଣା ସହ୍ୟକରି ଶେଷରେ ସାଇକଲ୍‌ ଯୋଗେ ନିଜ ଭିଟାମାଟିରେ ପହଞ୍ଚି ଅଙ୍ଗେନିଭା ଦୁଃଖ ଦୁର୍ଦ୍ଦଶାର କାହାଣୀ ବର୍ଣ୍ଣନା କରିଛନ୍ତି। କରୋନା ପାଇଁ ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ଘରକୁ ଫେରିବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଶେଷରେ ବାଧ୍ୟ ହୋଇ ସାଇକଲରେ ଆସିବା ବାଟ ଏହି ତିନି ଜଣ ଆ‌ପଣାଇଥିବା ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ୍ ପୋଚାଲୁଣ୍ଡି ପଞ୍ଚାୟତ ବିଷ୍ଣୁଚକ୍ର ଗ୍ରାମର ପିଣ୍ଟୁ ସ୍ବାଇଁ(୨୮), ପୋଲସରା ବ୍ଳକ୍‌ର ଢୁଙ୍କାପଡା ଗ୍ରାମର ବାବୁଲି ବେହେରା(୪୦) ଓ ବାଲିଛାଇ ଗ୍ରାମର କର୍ପୂର ନାହାକ(୪୨)। ସେମାନ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପରିବାର ପ୍ରତିପୋଷଣ କରିବା ପାଇଁ ସୁରତର ଠାରେ ରହି କପଡା କାରଖାନାରେ ସୂତା କାମ କରୁଥିଲେ। ପିଣ୍ଟୁ ଅଞ୍ଜନ ଅଞ୍ଚଳରେ ରହୁଥିବା ବେଳେ ବାବୁଲି ଏବଂ କର୍ପୂର ଧରତିନଗର ଠାରେ ରହି କାମ କରୁଥିଲେ। କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ୍ ଘୋଷଣା କରାଯିବା ‌ପରେ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। କମ୍ପାନି ବନ୍ଦ ହେବା ଫଳରେ ପାଖରେ ସଞ୍ଚିତ ରଖିଥିବା ଟଙ୍କା ମଧ୍ୟ ସରିବାକୁ ଲାଗିଲା।

publive-image

ରହୁଥିବା ମେସ୍‌ ବନ୍ଦ ହେବା ସହ ଘର ଖାଲି କରିବାକୁ ମାଲିକ କହିବାରୁ ଘର ଭଡା ଦେଇ ତିନି ଜଣ ଗତ ୧୫ ତାରିଖରୁ ସାଇକଲ୍‌ ଯୋଗେ ଗାଁକୁ ଆସିବାକୁ ନିଷ୍ପତି ନେଇଥିଲେ। ପ୍ରାୟ ଦୀର୍ଘ ୧୮ ଶହ କିମି ରାସ୍ତା ଅତିକ୍ରମ କରିବା ପାଇଁ ପ୍ର‌ଥମେ ସଂକୋଚ ହୋଇଥିବା ବେଳେ କୌଣସି ପରିସ୍ଥିତିରେ ବି କେହି କାହା ଠାରୁ ଅଲଗା ହେବାନାହିଁ ବୋଲି ଶପଥ ନେଇ ସାଇକଲରେ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦିନକୁ ଦେଢଶହରୁ ଦୁଇଶହ କିମି ସାଇକଲ ଚଲାଉଥିବା ସେମାନ‌େ ପ୍ରକାଶ କରିଥିଲେ। ଗୁଜୁରାଟ, ନାଗପୁର, ରାୟପୁର ଅତିକ୍ରମ କରି ଓଡିଶା ସୀମାରେ ପହଞ୍ଚିଥିଲେ। ଏହାପରେ ଓଡିଶାର ବରଗଡ, ବଲଙ୍ଗିର, ସୋନପୁର, ବୌଦ୍ଧ ଓ ଫୁଲବାଣୀ ଜିଲ୍ଲା ଅତିକ୍ରମ କରି ଆଜି ଭଞ୍ଜନଗର ଠାରେ ପହଞ୍ଚିଥିଲେ।

ବିଭିନ୍ନ ଯାଗ‌ାରେ ଯାଞ୍ଚର ସାମ୍ନା କରିଥିବା ବେଳେ କେଉଠିଁ କେହି ଅଟକାଇ ନଥିବା ପିଣ୍ଟୁ ପ୍ରକାଶ କରିଛନ୍ତି। ଏହମଦାବାଦ୍ ଓ ନାଗପୁର ଅଞ୍ଚଳରେ କିଛି ପଞ୍ଜାବୀ ଲୋକ ରାସ୍ତା‌ରେ ଖାଇବା ପାଇଁ ଦେଇଥିବା ବେଳେ ପାଖରେ ଥିବା ଟଙ୍କାରେ କେତେବେଳେ ପାଉରୁଟି,ବିସ୍କୁଟ ଖାଇ ଆସିଥିବା କହିଛନ୍ତି। ରାସ୍ତାରେ ଅନେକ ଥର ସାଇକଲ୍‌ ଖରାପ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ଯୋଗୁ ‌ସଜାଡିବାରେ ବହୁ ସମସ୍ୟାର ସମ୍ମୁଖିନ ହୋଇଥିବା ‌ପ୍ରକାଶ କରିଛନ୍ତି। ଓଡିଶା ଆସିବା ପରଠାରୁ ଦୀର୍ଘ ପାଞ୍ଚଦିନ ହେଲା ଆଉ ଭାତ ଖାଇ ନଥିବା ସେମାନେ ପ୍ରକାଶ କରିଥିଲେ। ପିଣ୍ଟୁଙ୍କ ସାଇକଲ ଦଦରଲୁଣ୍ଡା ଠାରେ ପେଚ୍‌ ହୋଇଯିବାରୁ ଚାଲିଚାଲି ଭଞ୍ଜନଗର ଆସିଥିଲେ। ଏଠାରେ କିଛି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ଖାଇବା ବ୍ୟବସ୍ଥା କରି ଏମାନଙ୍କ ସଂର୍ପକରେ ପ୍ରଶାସନକୁ ଖବର ଦେଇଥିଲେ।ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ବାରେନ୍‌ଟାଇନ୍‌ରେ ରଖାଯିବା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe