ପଥରଖଣିରୁ ବଟି ଆଦାୟ ଅଭିଯୋଗ: ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବିପତ୍ର

ପଥରଖଣିରୁ ବଟି ଆଦାୟ ଅଭିଯୋଗ: ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବିପତ୍ର

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା, ଗୋଡ଼ା, ସାମନ୍ତରାୟପୁର, ଦଲକ, ଦେଉଳି, ଜାମୁସାହି ଆଦିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥର ଖଣିରୁ ଗ୍ରାମବାସୀଙ୍କ ନାମରେ ବଟି ଆଦାୟ କରାଯାଉଛି ବୋଲି ଗ୍ରାମର କେତେକ ବାସିନ୍ଦା ଅଭିଯୋଗ କରିଛନ୍ତି। ତେବେ ଅପରଗୋଷ୍ଠୀ ଏହା ବେଆଇନ ଖଣି ମାଫିଆଙ୍କ ପ୍ରାୟୋଜିତ ଅଭିଯୋଗ ବୋଲି ପ୍ରତିକ୍ରିୟାରେ ଦର୍ଶାଇଛନ୍ତି।

ଗତକାଲି ପ୍ରାୟ ୩୦ରୁ ଉର୍ଧ୍ବ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। ଏନେଇ ଦିବ୍ୟଲୋଚନ ବିଶ୍ବାଳ, ବିଶ୍ବଲୋଚନ ବିଶ୍ବାଳ, ପ୍ରମୋଦ ଶ୍ରୀଚନ୍ଦନ, ହରିଶ୍ଚନ୍ଦ୍ର ମାନସିଂହ ପ୍ରମୁଖ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ଥିବା ୫ଟି ବୈଧ ଖଣି ରହିଛି। ନିକଟରେ କେତେକ ବ୍ୟକ୍ତି ଗ୍ରାମରେ ଥିବା ମା’ ତାରିଣୀ ମନ୍ଦିରର ରୋଶ ଘର ନିର୍ମାଣ ନାମରେ ଖଣି ମାଲିକଙ୍କ  ଠାରୁ  ଟଙ୍କା ଆଦାୟ କରି ଆତ୍ମସାତ କରିଛନ୍ତି। ଏହା ବ୍ୟତୀତ ୫ଲକ୍ଷ ଟଙ୍କା ବଟି ନଦେଲେ  ଖଣିଗୁଡ଼ିକୁ ବନ୍ଦ କରିଦିଆଯିବ ବୋଲି ଧମକ ଦେଉଛନ୍ତି। ଏହି ସମସ୍ତ ଗ୍ରାମର ୫ଶହ ପରିବାର ଅଞ୍ଚଳର ୫ଟି ଖଣିରେ କାମ କରି ନିଜର ପରିବାର ପ୍ରତି​ପୋଷଣ କରୁଛନ୍ତି। ଯେଉଁମାନେ ଧମକ ଦେଉଛନ୍ତି ସେମାନେ ପୂର୍ବରୁ ଏସ୍‌ଟିଏଫ୍‌ ଦ୍ବାରା ଗିରଫ ହୋଇଛନ୍ତି, ବଟି ଆଦାୟ ମାମଲାରେ ପୁଲିସ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି। ସେମାନଙ୍କୁ ବିରୋଧ କଲେ ଓଲଟି ଧମକଚମକ ଦେଉଛନ୍ତି। ଏନେଇ ଚଳିତ ମାସ ୧ ତାରିଖରେ ବେଗୁନିଆ ପୁଲିସରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ କୌଣସ ପଦକ୍ଷେପ ନେଉନାହିଁ। ଏଣୁ ସେମାନେ ଜିଲ୍ଲାପାଳ, ଏସ୍‌ପିଙ୍କୁ ଜଣାଇଛନ୍ତି।

ପ୍ରତିପକ୍ଷର ଅଭିଯୋଗ ହେଲା, ଜନଶୁଣାଣି ସମୟରେ ଯେଉଁ ସବୁ ନିୟମ ପାଳନ କରିବେ ବୋଲି ଖଣି ମାଲିକମାନେ ପ୍ରତିଶ୍ରୁତି ଦେଇଥିଲେ ସେସବୁ ପାଳନ କରୁନାହାନ୍ତି। ନିର୍ଦ୍ଧାରିତ ପରିସୀମାରୁ ଅନ୍ୟସ୍ଥାନରେ ବିସ୍ଫୋରଣ ଘଟାଇ ପଥର ଉତ୍ତୋଳନ କରୁଛନ୍ତି। ଏଣୁ ସେମାନେ ୧ ତାରିଖରେ ଯାଇ ଖଣି ବନ୍ଦ କରିଥିଲେ। ଏହା ବିରୋଧରେ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି। ଏନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କୁ ପଚାରିବାରେ ସେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଯେଉଁ ସବୁ ଖଣି ଚାଲୁଛି ତାହା ସମସ୍ତ ବୈଧ। ଲୋକଙ୍କ ଅଭିଯୋଗ ପରେ ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe