ବ୍ରହ୍ମପୁରରେ ପୁଣି ଭାଇଗିରି: ଦାଦାବଟି ମାଗି ଭାଇ-ଭଉଣୀଙ୍କୁ ଖଣ୍ଡା ଚୋଟ

Advertisment
ବ୍ରହ୍ମପୁରରେ ପୁଣି ଭାଇଗିରି: ଦାଦାବଟି ମାଗି ଭାଇ-ଭଉଣୀଙ୍କୁ ଖଣ୍ଡା ଚୋଟ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦୀର୍ଘଦିନ ପରେ ପୁଣିଥରେ ଭାଇଗିରି ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ଭାଇରାଜ୍‌ ଦେଖାଇ ଆତଙ୍କ ସୃଷ୍ଟି କରିବା ସହିତ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗି ଖଣ୍ଡା ଚୋଟ ପକାଇଛନ୍ତି। ଏଥିରେ ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ଖଣ୍ଡା ଚୋଟ ଖାଇ ଆହତ ହୋଇଛନ୍ତି। ଆହତଙ୍କ ନାମ ଏସ୍. ସୁନିତା ପାତ୍ର(୪୦) ବୋଲି ପୁଲିସ କହିଛି। ଭାଇ ଜି. କାଳିଆ ପାତ୍ରଙ୍କ ଅଭିଯୋଗ କ୍ରମେ ବଡ଼ ବଜାର ଥାନା ପୁଲିସ କେସ୍ ନମ୍ବର ୨୦୯/୨୦ରେ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା କାଳିଆ ମିକ୍ସଚର୍‌ ବ୍ୟବସାୟ କରନ୍ତି। କିଛିଦିନ ତଳେ କିଛି ଦୁର୍ବୃତ୍ତ ତାଙ୍କୁ ୧୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ବଟି ଦେବାକୁ କାଳିଆ ମନା କରିଥିଲେ। ଆଜି ସକାଳେ ସେହି ଦୁର୍ବୃତ୍ତମାନେ କାଳିଆଙ୍କ ଘରେ ପହଞ୍ଚିଥିଲେ। କାଳିଆଙ୍କୁ ଡାକି ବଟି ମାଗିବା ସହିତ ଧସ୍ତାଧସ୍ତି କରିଥିଲେ। କାଳିଆ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ନିକଟରେ ଛିଡ଼ା ହୋଇଥିବା ଭଉଣୀ ଭାଇକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଉପରେ ଖଣ୍ଡା ଚୋଟ ପଡ଼ିଥିଲା। ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ‌ଚମ୍ପଟ ମାରିିଥିବା ବେଳେ ସୁନିତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହାତ ଓ ଗୋଡ଼ରେ ଖଣ୍ଡା ଚୋଟ ପଡ଼ିଥିବା ଜଣାପଡ଼ିଛି। ସେପଟେ ଏଭଳି ଦାଦାବଟିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଏସ୍‌.ପି.ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ବ୍ରହ୍ମପୁର ପୁଲିସ ଏଭଳି ତଥାକଥିତ ଦାଦାମାନଙ୍କୁ କିଭଳି ସାବାଡ଼ କରୁଛି ତାହା ଦେଖିବାକୁ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe