ସଙ୍କଟରେ ୩୬୫ ଏକର ସମ୍ପତ୍ତିର ମାଲିକ ଶ୍ରୀଦଧିବାମନଜିଉ

Advertisment

ଅର୍ଥାଭାବ; ନୀତିକାନ୍ତିରେ ବିଭ୍ରାଟ, ହଡ଼ପ କରିନେଉଛନ୍ତି ଜମି, ଦୃଷ୍ଟି ଦେଉନି ଦେବୋତ୍ତର ବିଭାଗ

ଅର୍ଥାଭାବ; ନୀତିକାନ୍ତିରେ ବିଭ୍ରାଟ, ହଡ଼ପ କରିନେଉଛନ୍ତି ଜମି, ଦୃଷ୍ଟି ଦେଉନି ଦେବୋତ୍ତର ବିଭାଗ

ସଙ୍କଟରେ ୩୬୫ ଏକର ସମ୍ପତ୍ତିର ମାଲିକ ଶ୍ରୀଦଧିବାମନଜିଉ

Sambad

ଡେରାବିଶ: ଡେରାବିଶର ପରମ ଆରାଧ୍ୟ ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ୩୬୫ ଏକର ସମ୍ପତ୍ତିର ମାଲିକ। ରାଜ୍ୟର କୋଣ ଅନୁକୋଣରେ ରହିଛନ୍ତି ପ୍ରଭୁଙ୍କ ଭକ୍ତ। ହେଲେ, ଅର୍ଥାଭାବ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନାରେ ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିର ପରିଚାଳନାରେ ଏବେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଭକ୍ତମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦେବୋତ୍ତର ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ହୋଇଛି।
ସୂଚନା ଅନୁସାରେ, ପ୍ରାୟ ୪ ଶହ ବର୍ଷ ତଳେ ଚଷାଖଣ୍ତଠାରେ ଆଳି ରାଜାଠାକୁରଙ୍କ ପାଇଁ ମନ୍ଦିର ପ୍ରତିଷ୍ଠା କରାଇଥିଲେ। ଠାକୁରଙ୍କ ନୀତିକାନ୍ତି ପାଇଁ ରାଜା ପ୍ରାୟ ୭୦୦ ଏକର ଜମି ଦାନ କରିଥିଲେ। ବିଭିନ୍ନ ବର୍ଗର ଲୋକମାନଙ୍କୁ ସେବକ ଭାବେ ନିଯୁକ୍ତି ମଧ୍ୟ ଦେଇଥିଲେ। ସେବକମାନଙ୍କୁ ଉକ୍ତ ଜମିରୁ ୩୩୫ ଏକର ଦାନ କରାଯାଇଥିଲା। ଏହା ପ‌ରେ ଠାକୁରଙ୍କ ନାମରେ ୩୬୫ ଏକର ସମ୍ପତ୍ତି ରହିଥିଲା। ହେଲେ, ମୋଟ୍‌ ୩୬୫ ଏକର ଜମିର ମାଲିକ ପ୍ରଭୁ ଶ୍ରୀବଳଦେବଜିଉ କିଛି ବର୍ଷ ହେଲା ଘୋର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ମନ୍ଦିର ପରିଚାଳନା ପାଇଁ ବିଭିନ୍ନ ସମୟରେ ଦେବୋତ୍ତର ବିଭାଗ ଟ୍ରଷ୍ଟ ଗଠନ କରିଥିବା ବେଳେ ଏହାର କର୍ମକର୍ତ୍ତାଙ୍କ ଅପରିମାଣଦର୍ଶିତା ପାଇଁ ଠାକୁରଙ୍କ ବହୁ ଜମିକୁ କିଛି ଲୋକ କୌଶଳକ୍ରମେ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି। ଏକଦା ଠାକୁରଙ୍କ ପାଇଁ ନିର୍ମାଣ ହେଉଥିବା ରଥର ଉଚ୍ଚତା ସର୍ବାଧିକ ରହି ଆସୁଥିଲା।

କାଳକ୍ରମେ ଅର୍ଥାଭାବ ଯୋଗୁଁ ରଥର ଉଚ୍ଚତା କମାଇ ଦିଆଯାଇଛି। ସେହିପରି ଅର୍ଥାଭାବ ଯୋଗୁଁ ମନ୍ଦିର ଓ ଠାକୁରଙ୍କ ପୂଜାର୍ଚ୍ଚନାରେ ବିଭ୍ରାଟ ଦେଖା ଦେଉଛି। ଦୀର୍ଘ ବର୍ଷ ହେଲା ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଭାଙ୍ଗି ଯାଇଛି। ସଭାପତି କାମଚଳା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଅର୍ଥାଭାବ ଦୂର ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିର ପରିସରରେ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ତପ ନିର୍ମାଣ କରିଥିଲେ। ଠାକୁରଙ୍କ ଜମିରୁ ଆସୁଥିବା ଫସଲ ବାବଦ, ଦୋକାନ ଭଡା ଓ କଲ୍ୟାଣ ମଣ୍ତପରୁ ଆୟ ହେଉଥିବା ଅର୍ଥ ବି ଏବେ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ନିଜକୁ ସେବକ ବୋଲାଉଥିବା କିଛି ବ୍ୟକ୍ତି ଏହି ଅର୍ଥ ହଡପ କରି ନେଇଥିବା କୁହାଯାଉଛି। ଏଥିପାଇଁ ବିଗତ ବର୍ଷରେ ସ୍ଥାନୀୟ ଅଂଚଳବାସୀ ମନ୍ଦିରରେ ବୈଠକ କରି ହଡ଼ପକାରୀଙ୍କୁ ଅର୍ଥ ଫେରାଇଦେବାକୁ ତାଗିଦା କରିଥିଲେ ହେଁ କିଛି ସୁଫଳ ମିଳିନାହିଁ। ଏପରି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଅବ୍ୟବସ୍ଥା ସୁଧାରିବା ଦିଗରେ ପଦକ୍ଷେପ ନ ନେଲେ ଅଂଚଳବାସୀ ଦେବୋତ୍ତର ବିଭାଗ ଓ ଠାକୁରଙ୍କ ଅର୍ଥ ହଡପକାରୀଙ୍କ ବିରୋଧରେ ଆନ୍ଦୋଳନ କରିବେ ବୋଲି ମନ୍ଦିରର ମୁଖ୍ୟ ସେବାୟତ କରୁଣାକର କର, ଗୋଲରାହାଟ ସରପଞ୍ଚ କାଶିନାଥ କାଣ୍ତି, ସମିତିସଭ୍ୟ କରୁଣାକର କାଣ୍ତି, ପ୍ରାକ୍ତନ ସରପଞ୍ଚ ତ୍ରିଲୋଚନ ରାଉତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe