ପାଇକପଡାର ତନ୍ତ୍ରପୀଠ ମା‘ଦକ୍ଷିଣକାଳୀ: ଆଜ୍ଞାମାଳ ଗଲେ ଆରମ୍ଭ ହୁଏ ଜୟପୁରର ଦଶହରା

Advertisment
ଭଦ୍ରକର ପ୍ରସିଦ୍ଧ ଚରମ୍ପା କାଳୀପୂଜା ଉଦଯାପିତ  

ରାୟଗଡା: ରାୟଗଡାର ଅନ୍ୟତମ ଶକ୍ତିପୀଠ ହେଲା ପାଇକପଡାର ମା‘ ଦକ୍ଷିଣ କାଳୀ। ଶାରଦୀୟ ପୂଜା ଅବସରରେ ମା‘ଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ। ଦଶହରା ଅବସରରେ ଏଠାରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବାରୁ ଏବେଠାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଶାରଦୀୟ ପୂଜା ଅବସରରେ ଏଠାରେ ପ୍ରବଳ ଜନସମାଗମ ହେଉଥିବାରୁ ତାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ମନ୍ଦିର ସହ ଜୟପୁର ରାଜ ପରିବାର ଓ ଜୟପୁରର ପ୍ରସିଦ୍ଧ ଦଶହରା ପରଂପରା ଜଡିତ ହୋଇ ଆସିଛି। ଏହି ପୀଠରୁ ଆଜ୍ଞାମାଳ ଗଲେ ଜୟପୁରର ପ୍ରସିଦ୍ଧ ଦଶହରାର ଶୁଭାରମ୍ଭ ହେଉଥିବା ଜଣାଯାଏ।ତେବେ ଏହି ମନ୍ଦିର ନିର୍ମାଣ ସଂପର୍କରେ କୌଣସି ସଠିକ ପ୍ରାମାଣିକ ତଥା ଐତିହାସିକ ତଥ୍ୟ ହସ୍ତଗତ ନହୋଇଥିଲେ ବି ଜନଶ୍ରୃତି ମୁତାବକ ଏକଦା ପାହାଡ ଗୁମ୍ଫାରେ ପାତାଳେଶ୍ୱର ମହାଲିଂଗ ବନବାସୀ ସଂପ୍ରଦାୟର କନ୍ଧ ଲୋକମାନଙ୍କ ଦ୍ୱାରା ପୂଜିତ ହୋଇ ଆସୁଥିଲା। ପରବର୍ତ୍ତୀ ଅବସ୍ଥାରେ ରାଜ ପୃଷ୍ଠପୋଷକତା ଲାଭ କରି ଏହି ମନ୍ଦିର ନିର୍ମାଣ ହୋଇଛି। ଏହା ଏକ ତନ୍ତ୍ରପୀଠ ଭାବେ ବେଶ ଜଣାଶୁଣା। କେତେକ କୁହନ୍ତି ଏଇ ମନ୍ଦିର ଦେବତାମାନଙ୍କ ଦ୍ୱାରା ଗୋଟିଏ ରାତ୍ରିରେ ନିର୍ମାଣ କରାଯାଇଅଛି। ରାତି ପାହିଯିବାରୁ ନିର୍ମାଣ କାର୍ଯ୍ୟ ଅଧାରେ ରହିଯାଇଥିବା କଥା ଅଦ୍ୟାବଧୀ କେତକ ଅର୍ଦ୍ଧନିର୍ମିତ କାରୁକାର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ। ଲୋକଶ୍ରୁତିରୁ ଜଣାଯାଏ ଅତୀତରେ ଏଠାରେ ନରବଳି ପ୍ରଥା ମଧ୍ୟ ପ୍ରଚଳିତ ଥିଲା। ଅଭୀଷ୍ଟ ଫଳ ଲାଭ ଆଶାରେ ତଥା ରାଜ୍ୟର ମଂଗଳବିଧାନ ପାଇଁ ଶ୍ରୀ ପୁରୁଷୋତ୍ତମ ବଡପଣ୍ଡାଙ୍କ ସେବା କାଳରେ ମନ୍ଦିରର ସେବକ ଘାସି ଦଣ୍ଡସେନାଙ୍କ ଦ୍ୱାରା ଶେଷ ନରବଳି ସଂପାଦିତ ହୋଇଥିବା କଥା ତାଙ୍କର ବଂଶଧରମାନଙ୍କଠାରୁ ଶୁଣିବାକୁ ମିଳେ। ଯେଉଁ ଶିଳା ଉପରେ ନରବଳି ଦିଆଯାଉଥିଲା ସେହି ବଦ୍ଧଶିଳା ଏବେ ବି ଦକ୍ଷିଣ କାଳୀ ମନ୍ଦିରର ପଶ୍ଚାତ ଭାଗରେ ରହିଛି।

ଏହା ଏକ ତନ୍ତ୍ର ପୀଠ ହୋଇଥିବାରୁ ବହୁ ତନ୍ତ୍ରସାଧକ ଏଠାରେ ସାଧନା କରି ସଫଳତା ଲାଭ କରିଥିବାର ପ୍ରମାଣ ରହିଅଛି । ଶ୍ରୀ ପାତାଳେଶ୍ୱରଙ୍କର ଦକ୍ଷିଣ ପାଶ୍ୱର୍ରେ ଏକ ଗମ୍ଭୀରା ମଧ୍ୟରେ ପ୍ରତିଷ୍ଠିତ ହୋଇଛନ୍ତି ପରମାରାଧ୍ୟା ଶକ୍ତି ସ୍ୱରୂପିଣୀ ,ଦକ୍ଷୀଣମୁଖା ମା’ ଦକ୍ଷିଣକାଳୀ। ମା’ ପ୍ରତ୍ୟକ୍ଷ ଦେବୀ ବୋଲି ଜନମୁଖରୁ ଶୁଣିବାକୁ ମିଳେ।ମୂର୍ତ୍ତିତନ୍ତ୍ର ଅନୁଯାୟୀ ମା’ଙ୍କର ଅଂଗ ସୌଷ୍ଠବ ଗଠନକୁ ଦେଖିଲେ ଦେବୀ ପରମା ବୈଷ୍ଣବୀ ବୋଲି ଅନୁମତି ହୁଅନ୍ତି। ମା’ଙ୍କର ପାଦ ଦେଶରେ ପ୍ରସ୍ତର ଉପରେ ନିର୍ମିତ ହୋଇ ସ୍ଥାପିତ ହୋଇଛି ଏକ କାଳୀ ଯନ୍ତ୍ର। ତେଣୁ ଏହା ଏକ ତନ୍ତ୍ର ପୀଠ ବୋଲି ଧରି ନିଆଯାଇଛି।ଏଠାରେ ଦକ୍ଷିଣକାଳୀଙ୍କ ନିକଟରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ପକ୍ଷରେ ନବରାତ୍ର ପୂଜା ପାଳନ କରାଯାଏ। ଅତୀତରେ ଏହା ଷୋହଳ ଦିନ ବ୍ୟାପୀ ପୂଜା କରାଯାଉଥିଲା। ପ୍ରତିପଦାରେ ଘଟ ସ୍ଥାପନ ହୁଏ। ନିଜ ନିଜର ମନସ୍କାମନା ପରିପୂର୍ଣ୍ଣ ହେଉଥିବା ଯୋଗୁଁ ଏଠାରେ ମହାଷ୍ଟମୀ ଦିନ ରାତ୍ରିରେ ବହୁ ଭକ୍ତଙ୍କ ଭିଡ ଜମିଥାଏ। ବହୁ ଛାଗବଳି ତଥା ପାରାବଳି ଦିଆଯାଏ। ମା’ଙ୍କ ଗମ୍ଭୀରା ପଶୁ ରକ୍ତରେ ପରିପୂର୍ଣ୍ଣ ହୋଇଯାଏ। ଏଠାରେ ପଶୁ ବଳି ଦିଆହେବା ପୂର୍ବରୁ ମା’ଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତ କରାଯାଇଥାଏ।

ଆଜ୍ଞାମାଳ ପ୍ରାପ୍ତ କରିବାର ଏକ ନିର୍ଦ୍ଦିଷ୍ଟ ବିଧି ରହିଛି। ଉକ୍ତ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶୁଚିମନ୍ତ ହୋଇ ଏହି ମନ୍ଦିରର ସେବାୟତ ‘ଚଉକିଆ’ କେହି ନ ଦେଖୁଣୁ ହଳଦିଆ ରଂଗର ଇଟଳା ଫୁଲ ଆଣି ଏକ ମାଳା ଗୁନ୍ଥି ରଖେ ଏବଂ ଏହି ସମୟରେ ସେ କାହାରି ସହ କଥାବାର୍ତ୍ତା କରିବାକୁ ମନା। କେତେକ ବିଶ୍ୱାସବୋଧକୁ ନେଇ ଏହି ପରଂପରା ବଂଶାନୁକ୍ରମେ ପାଳିତ ହୋଇ ଆସୁଛି। ଉକ୍ତ ଫୁଲମାଳକୁ ଧଣ୍ଡାମାଳ କୁହାଯାଏ। ସେହି ଫୁଲମାଳକୁ ଲୁକାୟିତ ଭାବେ ଆଣି ଚଉକିଆ ମନ୍ଦିରର ମୁଖ୍ୟ ପୂଜକକୁ ପ୍ରଦାନ କରନ୍ତି। ମୁଖ୍ୟ ପୂଜକ ଉକ୍ତ ଫୁଲମାଳକୁ ଶିବଙ୍କର ମସ୍ତକରେ ଲାଗି କରନ୍ତି । ଶିବଙ୍କର ମସ୍ତକରେ ମଧ୍ୟ ମାଳାଟି ଏପରି ଲୁକ୍କାୟିତ ଭାବରେ ଲାଗି କରାଯାଏ ଯେ ସହଜରେ ଜାଣିହୁଏନି। ସେହିଦିନ ରାତ୍ରିରେ ଘଣ୍ଟ ,ଘଣ୍ଟା ,ଶଂଖ,ଘୁମୁରା ବାଦ୍ୟର ଗୁଂଜରଣ ମଧ୍ୟରେ ପୂଜକ ଶୁଦ୍ଧପୂତ ହୋଇ ଲୁକ୍କାୟିତ ଭାବେ ଉକ୍ତ ଧଣ୍ଡାମାଳକୁ ଶିବଙ୍କ ମସ୍ତକରୁ ଆଣି ମା’ ଦକ୍ଷିଣକାଳୀଙ୍କ ମସ୍ତକ ଉପରେ ଲାଗି କରନ୍ତି ଏବଂ ତା ପରେ ଆଜ୍ଞାମାଳ ପାଇବା ପାଇଁ ଜାନୁପତି ମା’ଙ୍କ ନିକଟରେ ଶରଣାପନ୍ନ ହୁଅନ୍ତି । ଭକ୍ତମାନେ ମଧ୍ୟ ମା’ଙ୍କୁ ଗୁହାରି ହୁଅନ୍ତି। ପରମ କଲ୍ୟାଣମୟୀ ମା’ ପ୍ରୀତ ହୋଇ ତାଙ୍କ ମସ୍ତକରୁ ଧଣ୍ଡାମାଳ ସ୍ୱେଚ୍ଛାକୃତ ଭାବେ ପୂଜକ ହାତରେ ପକାଇ ଆଜ୍ଞା ଦିଅନ୍ତି ଏବଂ ଏହା ହିଁ ମାଙ୍କ ମହିମାକୁ ସଦାକାଳେ ପ୍ରତିପାଦିତ କରି ଆସୁଛି ବୋଲି ଜନଜାତି ଗବେଷକ ତଥା ସାହିତ୍ୟିକ ଦ୍ୱିତୀ ଚନ୍ଦ୍ର ସାହୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe