ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏମିତି ଡାଏଲିସିସ୍ ସେବା: ତିନି ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ, ଦଦରା ଜେନେରେଟର ବଦଳାଯାଉନି

ସଙ୍କଟରେ ରୋଗୀଙ୍କ ଜୀବନ, ସମ୍ପର୍କୀୟ ବଖାଣିଲେ ଅସନ୍ତୋଷ

ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏମିତି ଡାଏଲିସିସ୍ ସେବା: ତିନି ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ, ଦଦରା ଜେନେରେଟର ବଦଳାଯାଉନି

ନୟାଗଡ଼: ଜୀବନ ମରଣ ସମସ୍ୟା ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପ୍ରତିଦିନ  ଅନେକ କିଡ୍‌ନି ରୋଗୀ  ଡାଏଲିସିସ୍‌ ହେବା ନିମନ୍ତେ ଆସୁଛନ୍ତି। କିନ୍ତୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ଡାଏଲିସିସ୍ ସେବା ଚାଲିଥିବା ଦେଖାଯାଇଛି। ବିଦ୍ୟୁତ୍ କଟିଗଲେ ଡାଏଲିସସସ୍ ସେବା ଏଠାରେ ଠପ୍‌ ହୋଇଯାଉଛି। ରୋଗୀ ଓ ‌ସେମାନଙ୍କ ସମ୍ପର୍କୀୟ ତ୍ରାହି ତ୍ରାହି ଡାକୁଛନ୍ତି। ଏକ ଦଦରା ଡିଜି (ଜେନେରେଟର) କୁ ଭରସା କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ କର୍ତ୍ତୃପକ୍ଷ ଏଠାରେ ଡାଏଲିସିସ୍ ସେବା ଚଳାଇଛନ୍ତି। ଏହା କେତେ ବେଳେ ଷ୍ଟାର୍ଟ ହେଉଛି ତ ଆଉ କେ‌ତେବେଳେ ସଂପୂର୍ଣ୍ଣ ଅଚଳ। ଆଜି ସକାଳେ ଓ ଅପରାହ୍ନରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ କାଟ ହେବାରୁ ଡାଏଲିସିସ୍ ହେବାକୁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।

ଡାଏଲିସିସ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସେବା ମାଗଣାରେ ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ସହାୟ ଯୋଜନା ଜରିଆରେ ବ୍ୟବସ୍ଥା କରିଛନ୍ତି। ‌ହେଲେ ନୟାଗଡ଼ରେ ସହାୟ ଯୋଜନା ସଂପୂର୍ଣ୍ଣ ଅସହାୟ ପାଲଟିଛି। ପିପିପି ମୋଡରେ ଚାଲିଥିବା ଏହି ସେବା ବ୍ୟାଧିଗ୍ର‌ସ୍ତ ହେବା ପଛରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନା ଘରୋଇ ସଂସ୍ଥା ଦାୟୀ ବାଲି ପ୍ରଶ୍ନ ଉଠିଛି। କେବଳ ଆଜି ନୁହେଁ , ମାସ ମାସ ଧରି ଏଭଳି ଅବ୍ୟବସ୍ଥା ଡାଏଲିସିସ୍‌ କେନ୍ଦ୍ରରେ ଲାଗିରହିଛି। ଡାଏଲିସିସ୍ ହେବା ନିମନ୍ତେ ଆଜି ଆସିଥିବା  ଦଶପଲ୍ଲାର ରୋଗୀ  ଦିଲ୍ଲୀପ ସେଠୀ,  ଖଣ୍ଡପଡ଼ାର  ଫିରୋଜ ବେଗମ୍  ପ୍ରମୁଖଙ୍କ ସମ୍ପର୍କୀୟ ଏଭଳି ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ କାହିଁକି ଏହି ଦଦରା ଜେନେରେଟରକୁ ବଦଳା ଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋଦ୍ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ‌ଖୋଦ୍ କିଛି କର୍ମଚାରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋ ସରକାର ତଥା ୫ଟି ମାଧ୍ୟମରେ ରାଜ୍ୟ ସରକାର ଚିକିତ୍ସାଳୟ ଉପରେ ଗୁରୁତ୍ବାରୋପ ପ୍ରକାଶ କରିଥିବା ବେଳେ, ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏହା ପ୍ରଭାବହୀନ ଭଳି ଲାଗୁଛି।  ଗତ ଜୁଲାଇ ମାସ ୬ ତାରିଖରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାଏଲିସିସ୍ ବେ‌ଳେ, ବିଦ୍ୟୁତ୍ କଟିଯିବା ସାଙ୍ଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦଦରା ଜେନେରେଟରକୁ ଚଳାଯାଇ ନପାରିବାରୁ   ଦଶପଲ୍ଲ‌ାର ଗଙ୍ଗ‌ାଧର ସ୍ବାଇଁଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପତ୍ନୀ ପ୍ରତିମା ଅଭିଯୋଗ କରିଥିଲେ।

ଏହାକୁ ନେଇ ସେତେବେ‌ଳେ ମୁଖ୍ୟଚିକିତ୍ସାଳୟ କର୍ତ୍ତୃପକ୍ଷ ତନାଘନା କରିଥି‌ଲେ ବି ରୋଗୀ ଗୁରୁତର ଥିବା‌ରୁ ମୃତ୍ୟୁ ଘଟିଥିବା ,  ଡାଏଲିସିସ୍ ନେଇ କୌଣସି ସମସ୍ୟା ନଥିବା କହିଥିଲେ। କିନ୍ତୁ ଜେନେରେଟର ଅଚଳ ଥିବା କଥା ମାନି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାକୁ ବଦଳା ଯାଇନାହିଁ।  ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜର କହିଛନ୍ତି, ସେସୁ କର୍ତ୍ତୃପକ୍ଷ କୌଣସି ପୂର୍ବ ସୂଚନା ନଦେଇ ବିଦ୍ୟୁତ୍ କାଟିଦେବାରୁ ଆମେ କୌଣସି ବିକଳ୍ପ ବ୍ୟବସ୍ଥା କରିପାରିନଥିଲୁ।  ଜେନେରେଟରଟି ଚାରି ଦିନ ହେବ ଅଚଳ ହୋଇଡ଼ିଥିବା ବେଳେ, ଏହାର ମରାମତି କାର୍ଯ୍ୟ ଚାଲିଛି।  ଆସନ୍ତାକାଲି ମରାମତି କାର୍ଯ୍ୟ ସରିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe