ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ବଡ଼ଡାକ୍ତରଖାନା: ଟ୍ରଲିରେ ବୁହାହେଲା ଶବ, ମିଳିଲାନି ମହାପ୍ରୟାଣ ଗାଡ଼ି

Advertisment
ଅବ୍ୟବସ୍ଥା ଘେରରେ ବ୍ରହ୍ମପୁର ବଡ଼ଡାକ୍ତରଖାନା: ଟ୍ରଲିରେ ବୁହାହେଲା ଶବ, ମିଳିଲାନି ମହାପ୍ରୟାଣ ଗାଡ଼ି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲରେ ଅବ୍ୟବସ୍ଥା ଦେଖାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ଆଜି ଜଣେ ଝିଅଙ୍କୁ ମା’ଙ୍କ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳି ନ ଥିବା ଅଭିଯୋଗ ହୋଇଛି। ମା’ଙ୍କ ମୃତଦେହ ନେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅନୁରୋଧ କରିଥିଲେ ଝିଅ। କିନ୍ତୁ ଫଳ ଶୂନ୍ୟ ହୋଇଥିଲା। ଶେଷରେ ଉପାୟ ନ ପାଇଁ ସଂପୃକ୍ତ ଝିଅ ଜଣକ ମା’ଙ୍କ ମୃତଦେହକୁ ଟ୍ରଲିରେ ବୋହିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ରାଜରାସ୍ତାରେ ମା’ଙ୍କ ମୃତଦେହକୁ ଝିଅ ଟ୍ରଲି ନେଇଯାଉଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା।

ସୂଚନା ଅନୁସାରେ ଗେଟ୍‌ ବଜାର ଅଞ୍ଚଳରେ ଯାଯାବର ଜୀବନ ବତାଉଥିବା ତ୍ରିନାଥ ସିଂ ଓ ତାଙ୍କ ଭଉଣୀ ସନ୍ତୋଷିନୀ ବେହେରାଙ୍କ ମା’ ଚନ୍ଦ୍ରମା ସିଂ ଅସୁସ୍ଥ ଥିଲେ। ଏହା ପରେ ଚନ୍ଦ୍ରମା ସିଂଙ୍କୁ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରମାଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ମୃତ୍ୟୁ ହୋଇ ଯାଇଥିଲା।

ତେବେ ଚନ୍ଦ୍ରମା ସିଂଙ୍କ ମୃତ୍ୟୁ ପରେ ଉଭୟ ଭାଇ ଭଉଣୀ ତ୍ରିନାଥ ଓ ସନ୍ତୋଷିନୀଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ହଟହଟା ହେବାକୁ ପଡ଼ିଥିଲା। ମା’ଙ୍କ ମୃତଦେହ ନେବା ପାଇଁ ଦୀର୍ଘ ସମୟ ଯାଏଁ ପ୍ରଶାସନ ଦ୍ୱାରା ହଇରାଣ ହେବାକୁ ପଡ଼ିଥିଲା। ପାଖରେ ଟଙ୍କା ନ ଥିବାରୁ ସେମାନଙ୍କୁ ମହାପ୍ରୟାଣ ଗାଡ଼ି ମିଳି ନଥିଲା। କାରଣ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବାକୁ ହେଲେ ସରକାରୀ ନିୟମ ଅନୁଯାୟୀ କିଛି ରାଶି ପୈଠ କରିବାକୁ ପଡ଼ିଥାଏ। କିନ୍ତୁ ଭାଇ ଓ ଭଉଣୀଙ୍କ ପାଖରେ ସେତକ ବି ନଥିଲା।

ମହାପ୍ରୟାଣ କିମ୍ବା ଆମ୍ବୁଲାନ୍ସ ଗାଡ଼ି ନ ମିଳିବାରୁ ଚନ୍ଦ୍ରମାଙ୍କ ମୃତଦେହକୁ ଟ୍ରଲିରେ ନେଇଥିଲେ ଭାଇ-ଭଉଣୀ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଶେଷରେ ଏକ ଆମ୍ବୁଲାନ୍ସ ଗାଡ଼ି ମୃତଦେହ ନିକଟକୁ ପହଞ୍ଚିଥିଲା। ତେବେ ସେହି ସମୟରେ ମୃତଦେହ ବଡ଼ମେଡିକାଲରୁ ଗେଟ୍‌ ବଜାର ଅଭିମୁଖେ ବାହାରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe