Democratic Accent
ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ କାମତା ଗ୍ରାମ ନିକଟ ଶୁଲିଆ ଜଙ୍ଗଲ ମଧ୍ୟରେ ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଠାବ ହୋଇଛି। ବେକରେ ରଶି ଦେଇ ଉକ୍ତ ଅଚିହ୍ନା ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଥିଛି. ଆଜି ସନ୍ଧ୍ୟାରେ କାମତା ଗ୍ରାମର ମନବୋଧ ଭତରା ଡାବୁଗାଁ ଥାନାରେ ଏ ନେଇ ଏତଲା ଦେଇଛନ୍ତି। ପୁଲିସ ଏତଲା ଗ୍ରହଣ କରିଥିଲେ ସୁଦ୍ଧା ରାତ୍ର ହୋଇ ଯାଇଥିବାରୁ ଆସନ୍ତାକାଲି ମୃତଦେହ ଉଦ୍ଧାର କରାଯିବ ବୋଲି କହିଛି।
ସୂଚନା ଅନୁସାରେ ଆଜି ଅପରାହ୍ନରେ ଡାବୁଗାଁ ଥାନା ଅନ୍ତର୍ଗତ କାମତା ଗ୍ରାମର ମହିଳା ଓ ପୁରୁଷମାନେ ଗ୍ରାମକୁ ଲାଗି ରହିଥିବା ଶୁଲିଆ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେହି ଜଙ୍ଗଲ ମଧ୍ୟରେ ଥିବା ଏକ ମହୁଲ ଗଛରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଅଜଣା ବ୍ୟକ୍ତି ଜଣକ ହାଫ୍ ପେଣ୍ଟ ପିନ୍ଧିଥିବା ବେଳେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିବା ନେଇ ଅନୁମାନ କରାଯାଉଛି।
ତେବେ ମୃତଦେହରୁ ଦୁର୍ଗନ୍ଧ ନିର୍ଗତ ହେଉଛି। ଗତ ସପ୍ତାହ ମଧ୍ୟରେ ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଥିବ ବୋଲି ଗ୍ରାମବାସୀ ଅନୁମାନ କରିଛନ୍ତି। ମୃତଦେହକୁ ଦେଖିବା ପରେ ଜଙ୍ଗଲ ମଧ୍ୟରେ କାଠ ସଂଗ୍ରହ କରିବାକୁ ଯାଇଥିବା ମହିଳା ଓ ପୁରୁଷମାନେ ଭୟରେ ସେଠାରୁ ଚାଲି ଆସିଥିଲେ।
Follow Us