SheThePeople
ପୁରୀ: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶୀରର ରବିବାର ରାତି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ପହଂଚିଛି। ଏହି ଅବସରରେ କଳ୍ପନାଙ୍କ ଆତ୍ମୀୟ ସଜ୍ଜନ, ପରିବାରର କିଛି ସଦସ୍ୟ, ଜଣାଶୁଣା କ୍ରୀଡ଼ାବିଦ୍ ଉପସ୍ଥିତ ଅଛନ୍ତି।
ଏଭରେଷ୍ଟ ଆରୋହୀ କଳ୍ପନା ଦାଶଙ୍କ ମରଶରୀର ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ପହଂଚିଥିଲା। ରାଜଧାନୀରେ ପହଂଚିବା ପରେ ସର୍ବସାଧାରଣ ଦର୍ଶନ ପାଇଁ କଳ୍ପନାଙ୍କ ମରଶରୀର କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା। ସେଠାରେ କ୍ରୀଡ଼ାମନ୍ତ୍ରୀ ଏବଂ ସଚିବ ସମେତ କ୍ରୀଡ଼ା ବିଭାଗର ଅନେକ ଅଧିକାରୀ ଏବଂ କ୍ରୀଡ଼ାବିଦ କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ। ଏହା ପରେ ଢେଙ୍କାନାଳ ଅଭିମୁଖେ ବାହାରିଥିଲା। କଳ୍ପନାଙ୍କ ମରଶରୀରକୁ ଢେଙ୍କାନାଳ ମିନି ଷ୍ଟାଡିୟମରେ କିଛି ସମୟ ପାଇଁ ରଖାଯାଇଥିଲା। ସେଠାରେ ସ୍ଥାନୀୟ ଲୋକେ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ସନ୍ଧ୍ୟାରେ କଳ୍ପନାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା।
ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ ୨୩ ତାରିଖରେ କଳ୍ପନା ଫେରିବା ବେଳେ ପ୍ରାଣ ହରାଇଥିବା ସୂଚନା ମିଳିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟର ବାଲକୋନୀ ଅଂଚଳରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଉଦ୍ଧାର କରିଥିଲେ। କାଠମାଣ୍ଡୁ ଟିଚିଂ ହସ୍ପିଟାଲରେ କଳ୍ପନାଙ୍କ ମରଶରୀର ବ୍ୟବଚ୍ଛେଦ ପରେ ଆନୁସଙ୍ଗିକ କାଗଜପତ୍ର କାମ ଶେଷ କରି ଶନିବାର ଦିଲ୍ଲୀ ଅଣାଯାଇଥିଲା।
Follow Us