କୋରାପୁଟ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀ ବାସଭବନରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପଣ୍ଡାଙ୍କ ମୃତଦେହ ରବିବାର ଶିକ୍ଷା ଅଧିକାରୀଙ୍କ ବାସଭବନରୁ ମିଳିଛି। ଶିକ୍ଷକଙ୍କ ଏମିତି ସନ୍ଦେହଜନକ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିଲାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚିକାମ୍ବ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିବା ଚିତ୍ତରଂଜନ ପଣ୍ଡା ଡେପୁଟେସନରେ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିରାଣୀ ଭାବେ କାମ କରୁଥିଲେ। ଆଜି ତାଙ୍କ ମୃତଦେହ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡାଙ୍କ ବାସଭବନରୁ ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଆସିଥିଲେ। ପରେ ଶିକ୍ଷା ଅଧିକାରୀ କୌଣସି କାମରେ ବୈପାରୀଗୁଡା ଚାଲି ଯାଇଥିଲେ। ଶିକ୍ଷକ ଚିତ୍ତରଂଜନ ପଣ୍ଡା ଏକାକି ତାଙ୍କ ବାସଭବନରେ ରହିଥିଲେ। କିନ୍ତୁ ମଧ୍ୟାହ୍ନରେ ଶିକ୍ଷକଙ୍କ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ଉଠାଇ ନ ଥିଲେ। ସନ୍ଦେହ ହେବାରୁ ସେମାନେ ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଆସିଥିଲେ। କିନ୍ତୁ ଏଥିରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ। ଆଉ ଜଣଙ୍କୁ ଡାକି ବାସଭବନ ଖୋଲିବା ପରେ ଭିତରୁ ତାଙ୍କ ମୃତଦେହ ମିଳିଥିଲା।
Follow Us