ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ମାର୍କେଟ୍ରେ ରହୁଥିବା ତାରକେଶ୍ୱର ଦାସଙ୍କ ପତ୍ନୀ ଦୀପିକା ଦାସ (୨୭)ଙ୍କ ଝୁଲନ୍ତା ମୃତଦେହ ଘଟଣାରେ ୧ ତାରିଖରେ ବ୍ରଜରାଜନଗର ପୁଲିସ ସ୍ୱାମୀ ତାରକେଶ୍ୱର ଦାସ (୨୯) ଓ ଶାଶୁ ମାନସୀ ଦାସ(୬୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମଙ୍ଗଳବାର ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନର କର୍ମକର୍ତ୍ତାମାନେ ଏହା ଉପରେ ହସ୍ତକ୍ଷେପ କରିଛନ୍ତି। ଆଜି ସଂଗଠନର ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଦାୟିତ୍ୱରେ ଥିବା ସଭାପତି ଡ. ପ୍ରଦୀପ ପଟ୍ଟନାୟକ, ସଧାରଣସମ୍ପଦକ ମନୋଜ ବହିଦାର, ରାଜ୍ୟ ସଂଯୋଜକ ଡ. ସଂଯୁକ୍ତା ମେହେର, ଜିଲ୍ଲା ସଂଯୋଜକ ଡାଲିଆ ଦେବନାଥ ଓ ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ଶୁଭ ଦର୍ଶିନୀ ମହାନ୍ତି ଅପରାହ୍ନରେ ବ୍ରଜରାଜନଗର ଥାନାରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଦୀପିକାଙ୍କ ଭାଇ ବଟକୃଷ୍ଣ ପରିଡ଼ା ଓ ପୁତୁରା ପ୍ରଦ୍ୟୁତ ସ୍ୱାଇଁ ମଧ୍ୟ ଥିଲେ।
ଥାନାରେ ଆଇଆଇସି ବୈକୁଣ୍ଠ ସେଠଙ୍କ ସହିତ ଆଲୋଚନା କରିଥିଲେ। ଦୀପିକାଙ୍କ ମୃତ୍ୟୁର ସଂପର୍କରେ ସ୍ୱାମୀ ତାରକେଶ୍ୱର ଓ ଦୀପିକାଙ୍କ ପରିବାର ସଦସ୍ୟଙ୍କ ଭିତରେ ହୋଇଥିବା କଥାବାର୍ତ୍ତା, ହ୍ବାଟ୍ସଆପ୍ ଚାଟ୍ ସମ୍ପର୍କରେ ଥିବା ତଥ୍ୟ ଉପରେ ଶ୍ରୀ ସେଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ସଭାପତି ଡ. ପ୍ରଦୀପ ପଟ୍ଟନାୟକଙ୍କୁ ପଚାରିବାରୁ ତଦନ୍ତ ଠିକ ବାଟରେ ଯାଉଥିବା ତାଙ୍କର ହୃଦ୍ବୋଧ ହୋଇଥିବା ପ୍ରକାଶ କରିଛନ୍ତି। ଯୌତୁକ ପାଇଁ ଦୀପିକାଙ୍କୁ ଶାଶୁଘର ଲୋକ ନିର୍ଯାତନା ଦେବା ସହିତ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ସଂଗଠନର ସଭାପତି ଡ. ପଟ୍ଟନାୟକ ଅଭିଯୋଗ କରିଥିଲେ।
ସେହିପରି ସାଧାରଣ ସମ୍ପାଦକ ଶ୍ରୀ ବହିଦାର ତାଙ୍କ ପ୍ରତିକ୍ରିୟାରେ ମାମଲାର ଆଉ ଥରେ ଅନୁସନ୍ଧାନ କରିବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ଜୁନ୍ ୨୬ ତାରିଖରେ ବୈଦିକ ରୀତିରେ ତାରକେଶ୍ବରଙ୍କ ସହିତ ଦୀପିକାଙ୍କ ବିବାହ ହୋଇଥିଲା। ସେ ସମୟରେ ଯୌତୁକ ବାବଦରେ ୧ଲକ୍ଷ ଟଙ୍କା ଓ ୬ ଲକ୍ଷ ଟଙ୍କାର ଗହଣା ସହିତ ଅନ୍ୟାନ ଜିନିଷ ବାପଘର ପକ୍ଷରୁ ଦିଆଯାଇଥିଲା। ବିବାହର ମାସକ ପରେ ଶାଶୁଘର ଲୋକ ୪ ଲକ୍ଷ ଟଙ୍କା ଅଧିକ ଦାବି କରିଥିଲେ। ସେଥିପାଇଁ ଶାଶୁ, ସ୍ୱାମୀ, ନଣନ୍ଦ ଓ ନଣଦେଇ ଶାରୀରିକ, ମାନସିକ ନିର୍ଯାତନା ଦେଇଥିଲେ। ଶେଷରେ ସେମାନେ ସାବିତ୍ରୀ ଅମାବାସ୍ୟା ଭାର ସହିତ ୧ଲକ୍ଷ ଟଙ୍କା ଦେଇଥିଲେ। ଏଥିରେ ସେମାନେ ସନ୍ତୁଷ୍ଟ ନଥିଲେ। ସେଥିପାଇଁ ଭଉଣୀ ଗର୍ଭବତୀ ଥାଇ ମଧ୍ୟ ତାକୁ ମାରି ଦେଇଥିବା ଦୀପିକାଙ୍କ ଭାଇ ବଟକୃଷ୍ଣ ଅଭିଯୋଗ କରିଥିଲେ।
Follow Us