ଗ୍ରାମବାସୀ ଓ ଦଣ୍ତୁଆଙ୍କ ପ୍ରତିବାଦ: ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଦଣ୍ତୁଆଙ୍କ ମୃତଦେହ

ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଲାଗିଛି ଚର୍ଚ୍ଚା

ଗ୍ରାମବାସୀ ଓ ଦଣ୍ତୁଆଙ୍କ ପ୍ରତିବାଦ: ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଦଣ୍ତୁଆଙ୍କ ମୃତଦେହ

ଦଶପଲ୍ଲା: ଗତ ୫ ତାରିଖ ରାତିରୁ ଘୁଗୁଡିପଡା ଠାରୁ ନିଖୋଜ ଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମର ଦଣ୍ତୁଆ ବିଜୟ ନାହାକଙ୍କ ଗଳିତ ମୃତଦେହ ଆଜି ଅପରାହ୍ନରେ ଝିଣ୍ଟିକା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ଏକ ଗାମୁଛାକୁ ବେକରେ ଫାଶ ପକାଇ ଝୁଲିଥିବା ଦେଖିବାକୁ ମିଳିଛି। ହେଲେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ତାଙ୍କ ନିଖୋଜକୁ ନେଇ ଗ୍ରାମରେ ନାନା ବିବାଦୀୟ ପରିସ୍ଥିତି ଉପୁଜିବା ସହ ପୂଜାର୍ଚ୍ଚନା ଚାଲିଥିଲା। ଆଜି ପୂର୍ବାହ୍ନରେ ଦଣ୍ତୁଆ ଏବଂ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକତ୍ର ହୋଇ ଠାକୁର ନେଇ ଘୁଗୁଡିପଡାରେ ପହଁଚିଥିଲେ। ସେଠାରେ ପ୍ରତିବାଦ ସୃଷ୍ଟି ହୋଇଥିଲା। ଏପରିକି ଗ୍ରାମବାସୀ ଏବଂ ଦଣ୍ତୁଆ ମାନେ ନିଖୋଜ ବିଜୟଙ୍କୁ ନପାଇବା ପର୍ଯ୍ୟନ୍ତ ବସି ରହିବା ପାଇଁ ଅଡି ବସିଥିଲେ।

ଏହାପରେ ସ୍ଥାନୀୟ ଜନସାଧାରଣ, ସରପଞ୍ଚ ଏବଂ ପୁଲିସ ଉପସ୍ଥିତିରେ ଆଲୋଚନା ହେବାପରେ ସମସ୍ତେ ଖୋଜାଖୋଜି କରିବା ପାଇଁ ଜଙ୍ଗଲକୁ ଯାଇଥିଲେ। ହେଲେ ବୃତଙ୍ଗ ନଦୀଠାରୁ ପ୍ରାୟ ୨ କିମି ଦୂରରେ ଏକ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବା ପରେ ସମସ୍ତେ ତାଜୁବ୍ ହୋଇ ପଡିଥିଲେ। କିଭଳି ଏବଂ କେଉଁ ପରିସ୍ଥିତିରେ ଜଣେ ମାନସିକଧାରୀ ଦଣ୍ତୁଆ ଆତ୍ମହତ୍ୟା କରିବ ତାକୁ ସମସ୍ତେ ସହଜେ ଗ୍ରହଣ କରି ପାରୁନଥିବା ବେଳେ ଏହା ପଛରେ କଣ ରହସ୍ୟ ରହିଛି ତାର ବିଦ୍ଧିବଦ୍ଧ ତଦନ୍ତ ପାଇଁ ଦାବି ହୋଇଛି। ଏପଟେ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଁଚି ବିଭିନ୍ନ ଦିଗ ଉପରେ ଦୃଷ୍ଟି ରଖିବା ସହ ପଚରାଉଚରା ଚଳାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏହାର ତଦନ୍ତ ପ୍ରକ୍ରିୟା ଆଗକୁ ବଢି ପାରିବ ବୋଲି କୁହାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଦଣ୍ତୁଆ ଏବଂ ଗ୍ରାମବାସୀ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe