VectorStock
ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଅନୁଗୁଳ ଥାନା ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ବାବୁଲା ବେହେରାଙ୍କ ପୁଅ ସିପୁନ ବେହେରା (୨୨) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ସିପୁନ ବୁଧବାର ସମ୍ବଲପୁର ଜିଲ୍ଲା ମାନେଶ୍ୱର ଥାନା ଅନ୍ତର୍ଗତ ଭେଲୁଆଟିକ୍ରା ଗ୍ରାମରେ ଥିବା ତାଙ୍କ ଭିଣୋଇ ରାଜୁ ନାୟକ (୨୮)ଙ୍କ ସହ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଥିବା ରାଜୁଙ୍କ ମାମୁଁ ଘରକୁ ଏକ ବାଇକ ଯୋଗେ ଯାଉଥିବା କହି ଘରୁ ବାହାରିଥିଲେ। ବୁଧବାର ଦିନରୁ ସିପୁନ ନିଖୋଜ ଥିବା ବେଳେ ସେ ରାସ୍ତାରେ କୁଆଡ଼େ ଓହ୍ଲାଇ ଚାଲି ଯାଇଥିବା ଭିଣୋଇ ରାଜୁ ଆଜି ପ୍ରକାଶ କରିଥିଲେ।
ଅନ୍ୟପଟେ ବୁଧବାର ଦିନରୁ ହିଁ ସିପୁନ ବ୍ୟବହାର କରୁଥିବା ବାଇକକୁ ଉକ୍ତ ନାଳ ନିକଟସ୍ଥ ରସ୍ତା କଡ଼ରୁ ଭିଣୋଇ ରାଜୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣା ସମ୍ପର୍କରେ ଅଭିଯୋଗ କରି ନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚ ପାଇଁ ଉକ୍ତ ନାଳକୁ ଯାଇଥିବା ବେଳେ ମୃତଦେହ ଭାସୁଥିବା ଦେଖି ଦେବଗଡ଼ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି। ତାଙ୍କୁ କେହି ହତ୍ୟା କରି ନାଳ ମଧ୍ୟକୁ ଫିଙ୍ଗି ଦେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
Follow Us