ବଣାଇଗଡ଼ : ବଣାଇଗଡ ସହରରେ ଗତକାଲି ସନ୍ଧ୍ୟାରେ ଜଣେ କରୋନା ଆକ୍ରାନ୍ତ ବୃଦ୍ଧାଙ୍କ ମୃତ୍ୟୁ ହେବା ପରେ ୧୯ ଘଣ୍ଟାଧରି ନିଜ ଘରେ ଶବ ପଡ଼ି ରହିବା ପରେ ଆଜି ମଧ୍ୟାହ୍ନରେ ସ୍ଥାନୀୟ ପ୍ରଶାସନ ଓ ବଣାଇଗଡ ହନୁମାନ ମନ୍ଦିର କମିଟିର ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ସଂସ୍କାର କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ସହରର କଟାଖଣ୍ତି ଅଂଚଳରେ କେଶବ ବାରିକ ତାଙ୍କ ପତ୍ନୀ ମୁକ୍ତା ବାରିକ(୭୦) ଭିକ୍ଷା ବୃତି କରି ପରିବାର ପ୍ରତିପୋଷଣ କରିଥାନ୍ତି। ୮ ଦିନ ପୂର୍ବେ ମୁକ୍ତା କରୋନାରେ ଆକ୍ରାନ୍ତ ହେବା ପରେ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ସନ୍ଧ୍ୟା ୫ଟା ସମୟରେ ସେହି ଘରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାା ବୃଦ୍ଧାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜାଣିଲା ପରେ ପାଖ ପଡିଶା ଲୋକେ ପାଖ ମାଡି ନଥିଲେ, କିମ୍ବା ଶବସତ୍କାର ପାଇଁ ନିଜର ଆତ୍ମୀୟ ସ୍ବଜନ ଜ୍ଞାତି କୁଟୁମ୍ବ ଆଗଭର ହୋଇ ନଥିଲେ କାନ୍ଧ ଦେବାକୁ।
ଖବର ପାଇ ହନୁମାନ ମନ୍ଦିର କମିଟିର ସମ୍ପାଦକ ତପନ ଦଣ୍ତିଆ, ସିରାଜ ଖାନ ପ୍ରମୁଖ ଉପଜିଲାପାଳ, ତହସିଲଦାର, ବିଡିଓ, ସରପଂଚ, ଅଗ୍ନିଶମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆଗେଇ ଆସିଥିଲେ ଶେଷକୃତ୍ୟ କରିବାକୁ।
ସ୍ବେଚ୍ଛାସେବୀମାନେ କରୋନା କିଟ ପିନ୍ଧି ଦାହ ସଂସ୍କାର ସମ୍ପନ୍ନ କରିଥିଲେ। ପ୍ରଶାସନ ପକ୍ଷରୁ ଉପଜିଲାପାଳ ପ୍ରଦୀପ ଡାଙ୍ଗ, ତହସିଲଦାର ସୁଶୀଲ କୁଜୁର, ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମାରାଣ୍ତି, ପୁଲିସ ଅଧିକାରୀ ବରୁଣ ନାଏକ, ଅଗ୍ବିଶମ ଅଧିକାରୀ ବିଜୟ ସାସମଲ, ସରପଂଚ ବସନ୍ତ ନାଏକ, ରାଜସ୍ବ ଅଧିକାରୀ ରାମଚନ୍ଦ୍ର କିସାନ, ହନୁମାନ ମନ୍ଦିର କମିଟିର ତପନ ଦଣ୍ତିଆ, ବଳଭଦ୍ର ପ୍ରଧାନ, ଶ୍ରୀକାନ୍ତ ଦଣ୍ତିଆ, ଶରଦ ସାମନ୍ତ, ସିରାଜ ଖାନ, ତାପସ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ।
Follow Us