ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଡକାୟତି ମାମଲା: ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଜରିମାନା

ହତ୍ୟା ଉଦ୍ୟମ ମାମଲାରେ ୨ ଅଭିଯୁକ୍ତ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା

Sambad

ସୁନ୍ଦରଗଡ଼: ୨୦୧୬ ଅକ୍ଟୋବର ୧୨ରେ ରାଏବଗା ଥାନା ଘୋଘରରେ ସଂଘଟିତ ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ମଙ୍ଗଳବାର ସୁନ୍ଦରଗଡ଼ ପକ୍ସୋ କୋର୍ଟ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି। ଏହା ଛଡ଼ା ପୀଡ଼ିତା ନାବାଳିକାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୋର୍ଟ ସୁପାରିସ କରିଛନ୍ତି। ଆଜୀବନ ଜେଲ୍ ଦଣ୍ଡ ପାଇଥିବା ଅପରାଧୀମାନେ ହେଲେ ରାଏବଗା ଥାନା ଖଇରବାହାଲ ଗାଁର ମୁକ୍ତି ବଡ଼ (୨୪), ବୀରେନ୍ଦ୍ର ମାଝୀ (୨୪), ଅଜୟ କୁଜୁର (୨୫)। ଅଜୟ ଓ ମୁକ୍ତି ସୁନ୍ଦରଗଡ଼ ଜେଲରେ ଥିବା ବେଳେ ବୀରେନ୍ଦ୍ର ଜାମିନ ପାଇ ଘରେ ଥିବା ଜଣାପଡ଼ିଛି।

ଏକ ନାବାଳିକା ଦୁଷ୍କର୍ମ ମାମଲାରେ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ ଜେଲ୍ ଦଣ୍ଡ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି। ଯାହା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ମାମଲା ଅନୁସାରେ, ଗତ ୨୦୧୬ ଅକ୍ଟୋବର ୧୨ ତାରିଖରେ ରାଏବଗା ଥାନା ବରଟୋଲି ଘୋଘର ଚର୍ଚ୍ଚରେ ଆୟୋଜିତ ଏକ ଉତ୍ସବରେ ପାଖ ପୀଡ଼ିତା ନାବାଳିକା ଓ ତାଙ୍କ ସାଙ୍ଗ ଭାଗ ନେବାକୁ ଆସିଥିଲେ। ସନ୍ଧ୍ୟା ୭ଟାରେ ଦୁହେଁ ପାଖ ଦୋକାନକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଝୁନୁମୁରର ଆଶିଷ ଏକ୍କା ଓ ଅନୁଜ ଲାକ୍ରା ନାମକ ଦୁଇ ଯୁବକଙ୍କ ସହ ଭେଟ ହୋଇଥିଲା। ପୂର୍ବରୁ ଚିହ୍ନା ଥିବାରୁ ସେମାନେ କଥା ହେଉଥିବା ସମୟରେ ଅଭିଯୁକ୍ତ ୩ ଯୁବକଙ୍କ ସହ ଅନ୍ୟ ଦୁଇ ନାବାଳକ ସେଠାରେ ପହଞ୍ଚି ଦୁଇ ଯୁବକଙ୍କୁ ମାଡ଼ପିଟ କରି ମୋବାଇଲା ଓ ପର୍ସ ଛଡ଼ାଇ ନେଇଥିଲେ। ପ୍ରାଣ ଭୟରେ ଆଶିଷ ଓ ଅନୁଜ ଦୌଡ଼ି ପଳାଇବା ପରେ ଦୁଇ ଝିଅକୁ ଅଭିଯୁକ୍ତମାନେ ପାଖ ଜଙ୍ଗଲକୁ ଟେକି ନେଇଥିଲେ।

କିନ୍ତୁ ଜଣେ ଝିଅ ଅଭିଯୁକ୍ତ ମାନଙ୍କୁ ଚିହ୍ନ ଥିବାରୁ ତାଙ୍କୁ ଛାଡ଼ି ଅନ୍ୟ ନାବାଳିକାଙ୍କୁ ଅଜୟ ଓ ମୁକ୍ତି ଦୁଷ୍କର୍ମ କରିଥିଲେ। ଏହି ସମୟରେ ମାଡ଼ ଖାଇ ଚାଲି ଯାଇଥିବା ଆଶିଷ ଓ ଅନୁଜ ଗାଁ ଲୋକଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମୁକ୍ତି ଓ ବୀରେନ୍ଦ୍ରକୁ କାବୁ କରି ପୁଲିସ ହାତରେ ଦେଇଥିଲେ। ଫେରାର ଅନ୍ୟ ଅଭିଯୁକ୍ତ ମାନଙ୍କୁ ପରବର୍ତ୍ତୀ ସମୟରେ ପୁଲିସ ଗିରଫ କରିଥିଲା। ରାଏବଗା ଥାନାର ତତ୍କାଳୀନ ପୁଲିସ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ମାମଲାର ତଦନ୍ତ ଓ ଚାର୍ଜସିଟ୍ ଦାଖଲ କରିଥିଲେ। ସୁନ୍ଦରଗଡ଼ ପକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ ୨୭ ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ ଗତ ୧୬ ତାରିଖରେ ଜବାବ ସୁଆଲ ପରେ ପକ୍ସୋ ଜଜ୍ ପାର୍ଥ ସାରଥୀ ପଟ୍ଟନାୟକ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧୀକରଣ ଗତ ୨୦୨୧ ଜାନୁଆରୀ ୧୮ରେ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ପ୍ରଦାନ କରି ସାରିଥିବାରୁ ବାକି ଅର୍ଥ ଦେବାକୁ କୋର୍ଟ ଆଦେଶ କରିଛନ୍ତି। ସରକାରୀ ଓକିଲ ଦେବାଶିଷ ମିଶ୍ର ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe