ଓଜନ ଓ ମାପ ବିଭାଗ ନିରବଦ୍ରଷ୍ଟା, ଓଜନ କମାଇବା ଯନ୍ତ୍ରରେ ଚାଷୀଙ୍କୁ ଲୁଟ୍

Advertisment
ଓଜନ ଓ ମାପ ବିଭାଗ ନିରବଦ୍ରଷ୍ଟା, ଓଜନ କମାଇବା ଯନ୍ତ୍ରରେ ଚାଷୀଙ୍କୁ ଲୁଟ୍

Sambad

ଜଗତସିଂହପୁର: ଜିଲ୍ଲାରେ ଓଜନ ଓ ମାପ ବିଭାଗର କାର୍ଯ୍ୟ ଶୈଳୀ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଭାଗୀୟ ଅଧିକାରୀମାନେ ଏତେ ଦକ୍ଷ ଯେ, ବଜାରରେ ଏବେ ନକଲି ଓଜନ ଓ ମାପ ଯନ୍ତ୍ର ଖୁଲମଖୁଲା ବୁଲୁଛି। ଚାଷୀମାନଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ଅସାଧୁ ବ୍ୟବସାୟୀମାନେ ବେଶ୍ ଲାଭ ଉଠାଉଛନ୍ତି। ଅଥଚ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ସପ୍ତାହରେ ଏରସମା ବ୍ଲକ୍ ଖଟିକୋଳଦା ଗାଁରେ ଏମିତି ଢଙ୍ଗରେ ଠକୁଥିବା ଜଣେ ବ୍ୟବସାୟୀଙ୍କୁ ଗାଁ ଲୋକ ଅଟକ ରଖିଥିଲେ। ପରେ ସେ କିଛି ଟଙ୍କା ଦେଇ ସେଠାରୁ ଖସି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ଏବେ ଏହି ମେସିନ୍‌ରବ ବ୍ୟବହାର ବିଷୟ ପ୍ରଘଟ ହୋଇଛି। ସୂଚନା ମୁତାବକ, ଖଟିକୋଳଦା ଗାଁରେ ଜଣେ ଘେରି ମାଲିକ ଚିଙ୍ଗୁଡ଼ି ବିକ୍ରି କରିବା ପାଇଁ ଜଣେ ବ୍ୟବସାୟୀଙ୍କୁ ଡାକିଥିଲେ। ଏହି ବେପାରୀ ଜଣକ ବଜାର ତୁଳନାରେ ଅଧିକ ୨୦ ଟଙ୍କାରେ ଚାଷୀମାନଙ୍କଠାରୁ ଚିଙ୍ଗୁଡ଼ି କିଣୁଥିଲେ। ବଡ଼ ବଡ଼ କମ୍ପାନି ଗୁଡ଼ିକ ଯେଉଁମାନେ ଏହି ବ୍ୟବସାୟ ସହ ଜଡ଼ିତ, ସେମାନଙ୍କର ସନ୍ଦେହ ହୋଇଥିଲା। ଏଣୁ ଏହି ବ୍ୟବସାୟୀଙ୍କ ଉପରେ ଅନ୍ୟମାନଙ୍କର କଡ଼ା ନଜର ଥିଲା। ଖଟିକୋଳଦା ଗାଁରେ ପହଞ୍ଚି ଜଣେ ଚାଷୀଙ୍କ ଠାରୁ ସେ ଚିଙ୍ଗୁଡ଼ି କିଣୁଥିବା ବେଳେ ଏହି କାରନାମାର ପର୍ଦ୍ଦାଫାଶ ହୋଇଥିଲା। ଭଲ ଭାବେ ଏହି ବ୍ୟବସାୟୀଙ୍କୁ ଯାଂଚ କରିବାରୁ ତାଙ୍କ ନିକଟରୁ ଏକ ମେସିନ ବାହାରିଥିଲା। ଯେଉଁଥରେ ଯେକୌଣସି ଜିନିଷର ଓଜନ ପ୍ରାୟ ୧୦ କିଲୋ କମି ଯାଉଥିଲା।

ଅର୍ଥାତ ଯେତେବେଳେ ଜିନିଷ କିଛି ଓଜନ କରାଯାଉଥିଲା, ଏହି ବ୍ୟବସାୟୀ ଜଣକ ଉକ୍ତ ମେସିନକୁ ବ୍ୟବହାର କରି ଓଜନ କମାଇ ଦେଉଥିଲେ। ଚିଙ୍ଗୁଡ଼ି ଓଜନ ସମୟରେ ଏହି ଘଟଣା ପ୍ରମାଣିତ ହୋଇଯାଇଥିଲା। ଆଉ ଏକ ଓଜନ ଯନ୍ତ୍ରରେ ଉକ୍ତ ଚିଙ୍ଗୁଡ଼ିକୁ ଓଜନ କରିବାରୁ ଅଧିକ ୧୦ କିଲୋ ବାହାରିଥିଲା। ଓଜନ ଠକେଇ ହେଉଥିବା ଜଣାପଡ଼ିବା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଉକ୍ତ ବ୍ୟବସାୟୀଙ୍କୁ ଅଟକ ରଖିବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲେ। ପୁଲିସକୁ ଜିମା ଦେବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଉଥିବା ଜାଣି ବ୍ୟବସାୟୀ ଜଣକ ସେଠାରୁ ଟଙ୍କା ଦେଇ ମୁକୁଳିଥିବା କୁହାଯାଉଛି। ତେବେ ମାପ ଓଜନରେ ଠକେଇ ପାଇଁ ଏପରି ଏକ ଯନ୍ତ୍ରର ବ୍ୟବହାର କଥା ଜଣାପଡ଼ିବା ପରେ ଚାଷୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ସେମାନେ ପରିଶ୍ରମ କରି ଉତ୍ପାଦନ କରୁଥିବା ସାମଗ୍ରୀ ଗୁଡ଼ିକର ଏପରି ବାଟମାରଣା ହେଉଥିବା ଜଣାପଡ଼ିଛି। ପୂର୍ବରୁ ଏମିତି ଢଙ୍ଗରେ ସେମାନଙ୍କ ଅଜାଣତରେ ବିପୁଳ କ୍ଷତି ସହିଛନ୍ତି। ମାତ୍ର ଏପଟେ ବିଭାଗୀୟ ଅଧିକାରୀମାନେ ଏ ନେଇ କେବେ ବି ଚଢ଼ଉ କିମ୍ବା ଯାଂଚ କରିବା ନଜିର ନାହିଁ। ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଇଚାଲିଛନ୍ତି। ପ୍ରକାଶ ଥାଉ କି, ପାରାଦୀପ ଓଜନ ଓ ମାପ ବିଭାଗର ମାନୁଆଲ ଆସିଷ୍ଟାଂଟ୍ ନବଘନ ସ୍ବାଇଁ ଏଠାରୁ ରିଲିଭ୍ ହୋଇ ମଧ୍ୟ ଜାଗା ଛାଡ଼ୁ ନାହାନ୍ତି। ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ଏହି ବିଭାଗ ଦୁର୍ନୀତିରେ ସମ୍ପୂର୍ଣ୍ଣ ବୁଡ଼ି ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe