ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ବହୁରୂପୀ ଏଣ୍ଡୁଅ ଜବତ; ୨ ଅଟକ

Advertisment
ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ବହୁରୂପୀ ଏଣ୍ଡୁଅ ଜବତ; ୨ ଅଟକ

ବ୍ୟାସନଗର: ଯାଜପୁରରୋଡ ଥାନା ଭିକିପୁର ଜଙ୍ଗଲରୁ ଆଜି ଯାଜପୁରରୋଡ ବନବିଭାଗ ପକ୍ଷରୁ ୫ଟି ହରିଣ ଶିଙ୍ଗ, ଗୋଟିଏ ହାତୀ ଦାନ୍ତ ଓ ଗୋଟିଏ ବହୁରୂପୀ ଏଣ୍ଡୁଅ ଜବତ କରାଯାଇଛି। ଏହି ଘଟଣାରେ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ୩ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ନୀଳଗିରି ଗ୍ରାମର ସିଦ୍ଧାର୍ଥ ରାଜ (୨୪) ଓ ଯାଜପୁରରୋଡ ଥାନା କହ୍ନେଇପୁର ଅଞ୍ଚଳର ବାବୁଲି ସାହୁ(୨୫)। ବନବିଭାଗର କର୍ମଚାରୀ ପହଞ୍ଚିବା ବ‌େଳକୁ ବାଇକ୍‌ ଓ ସ୍କୁଟିରେ ଅନ୍ୟ ୩ ଅଭିଯୁକ୍ତ ଖସି ପଳାଇ ଯାଇଥିଲେ।

ଆଜି ବାଘଛାଲ, ହାତୀଦାନ୍ତ ଓ ହରିଣଶିଙ୍ଗ ବାହାରକୁ ଚାଲାଣ ପାଇଁ ନୀଳଗିରିରୁ କେତେଜଣ ଯାଜପୁରରୋଡ ଆସୁଥିବା ବନବିଭାଗକୁ ସୂଚନା ମିଳିଥିଲା। ଯାଜପୁରରୋଡ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍‌ ସାଦା ପୋଷାକରେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଜଗିରହିଥିଲେ। ଆଜି ସନ୍ଧ୍ୟାରେ ଯାଜପୁରରୋଡ ଥାନା ତଥା ରସୁଲପୁର ବ୍ଲକ୍‌ର ଭିକିପୁର ଗାଁ ନିକଟ ଜଙ୍ଗଲରେ ୫ ଜଣ ଯୁବକ ଗ୍ରାହକଙ୍କୁ ଅପେକ୍ଷା କରି ରହିଥିଲେ।

ଯାଜପୁରରୋଡ ରେଞ୍ଜର ଓ କର୍ମଚାରୀ ନିର୍ମଳ ମଲ୍ଲିକ ଗ୍ରାହକ ବେଶରେ ପହଞ୍ଚି ଅଭିଯୁକ୍ତମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ରେଞ୍ଜର ଓ କର୍ମଚାରୀ ଜଣକ କାବୁ କରି ନେଇଥିଲେ। ସେମାନଙ୍କ ନିକଟରୁ ହରିଣ ଶିଙ୍ଗ, ହାତୀ ଦାନ୍ତ ଓ ଗୋଟିଏ ବହୁରୂପୀ ଏଣ୍ଡୁଅ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe