ବେତନଟୀ ସଦର: ଆଷାଢ଼ ସରି ଶ୍ରାବଣ ଆସିଲାଣି, ହେଲେ ଆକାଶରେ ମେଘର ଦେଖା ନାହିଁ। ଡହଡ଼ହ ଖରାରେ ଶୁଖି ଗଲାଣି ତଳା କିଆରୀ। ମୟୂରଭଂଜ ଜିଲ୍ଲାର ସାରା ବେତନଟୀ ବ୍ଲକରେ ନିଅଣ୍ଟିଆ ବର୍ଷା, ଚାଷୀ ଚିନ୍ତାରେ। କିଭଳି ଚାଷ ବାସ କରିବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ। ଗୋଟେ ପଟେ କାମରେ ନଆସି ଅସଜଡ଼ା ପଡ଼ିଛି ଶତାଧିକ ଉଠା ଜଳ ସେଚନ ପ୍ରକଳ୍ପ। ଅନ୍ୟପଟେ କେନାଲରେ ପାଣି ନଛାଡି ବହସ୍ପଟ ମାରୁଛି ସୁବର୍ଣ୍ଣରେଖା ପ୍ରକଳ୍ପ। ସେହିପରି ଯେଉଁ ପରିମାଣରେ ବର୍ଷା ହେବା କଥା ତାଠାରୁ ୯୦ପ୍ରତିଶତ କମ ବୃଷ୍ଟି ହେବାରୁ ପ୍ରାୟ ୯୯ପ୍ରତିଶତ ଜମି ଏବେବି ଶୁଖିଲା ପଡିଛି। ବର୍ଷା ନହେବାରୁ ତଳି ପଡି ପାରୁନି, ଆଉ ଯୋଉଠି ପାଣି ମଡ଼େଇ ତଳା ପଡ଼ିଛି । ତାହା ଜଳାଭାବରୁ ଡହ ଡହ ଖରାରେ ଶୁଖି ଗଲାଣି। କିଛି କିଛି ଜାଗାରେ ବର୍ତ୍ତମାନ ଚାଷୀମାନେ ନିଜ ନିଜ ଜମିରେ ଧାନ ତଳି ଦେଇଥିଲେ ମଧ୍ୟ ଆବଶ୍ୟକ ବର୍ଷା ପାଇପାରି ନାହାନ୍ତି। ଫଳରେ ରୋଇବା ପାଇଁ ଜମି ପ୍ରସ୍ତୁତ ହୋଇପାରୁ ନାହିଁ। ଏମିତି ବି ନିଅଣ୍ଟିଆ ବର୍ଷା ହେବାରୁ ଚଳିତ ବର୍ଷ ହାତ ଗଣତି ଚାଷୀ ବିଳମ୍ବରେ ଧାନ ବୁଣିଛନ୍ତି, ୯୯ ପ୍ରତିଶତ ଶୁଖିଲା ପଡିଛି ଚାଷ ଜମି । ତଥାପି ଆଶା ଆଶଙ୍କାରେ ରହି ଭଗବାନଙ୍କୁ ଭରଷା କରି ବର୍ଷାକୁ ଚାହିଁ ବସିଛନ୍ତି ଉକ୍ତ ବ୍ଲକର ହଜାର ହାଜର ଧାନ ଚାଷୀ।
ସୂଚନାଯୋଗ୍ୟ ସମଗ୍ର ବେତନଟୀ ବ୍ଲକରେ ୨୧ହଜାର ୩ଶହ ପାଞ୍ଚ ହେକ୍ଟର ଚାଷ ଜମି ଥିବାବେଳେ ସେଥିମଧ୍ୟରୁ ୧୬ହଜାର ୬୨୯ହେକ୍ଟର ଜମିରେ କେବଳ ଧାନ ଚାଷ କରି ବର୍ଷକର ରୋଜଗାର ସଂଗ୍ରହ କରନ୍ତି ଚାଷୀ। ସରକାରୀ ସୂତ୍ରରୁ ଗତବର୍ଷ ୯୭୦ମିମି ବର୍ଷା ହୋଇଥିଲା, ଯାହା ସାମାନ୍ୟ ବୃଷ୍ଟିପାତ ଠାରୁ ୩୬ପ୍ରତିଶତ କମ ବର୍ଷା।ହେଲେ ବି ଠିକ ଦରକାର ସମୟରେ ବୃଷ୍ଟିପାତ ହୋଇଥିବାରୁ ଧାନ ଚାଷ ଉପରେ ସେମିତି କିଛି ପ୍ରଭାବ ପଡ଼ିନଥିଲା। ଚାଷୀ ଭଲ ଧାନ ଅମଳ କରିଥିଲେ। ହେଲେ ଚଳିତ ବର୍ଷ ମୌସୁମୀ ଆସିଛି ସତ କିନ୍ତୁ ଯେତିକି ବର୍ଷିବା କଥା ବର୍ଷା ହୋଇନାହିଁ। ମେ ଓ ଜୁନ ମାସରେ ୧୬୦. ୫ମିମି ବର୍ଷା ହୋଇଥିଲା, ଯାହା ସାମାନ୍ୟ ବର୍ଷା ଠାରୁ ୧୪% କମ ବର୍ଷା ହୋଇଥିଲେ ବି ସେମିତି କିଛି ପ୍ରଭାବ ପଡ଼ିନଥିଲା। ହେଲେ ଜୁଲାଇ ମାସରେ ସର୍ବାଧିକ ବୃଷ୍ଟିପାତ ଆବଶ୍ୟକତା ଥିବାବେଳେ ଏବେବି ଟାଣ ଖରା ପାଇଁ ଶୁଖିଲା ପଡ଼ିଛି ଚାଷ ଜମି। ଏହି ଋତୁରେ ବେତନଟୀ ବ୍ଲକର ଜୁଲାଇ ମାସରେ ୩୦୦ମିମିରୁ ଅଧିକ ବୃଷ୍ଟିପାତ ହବାକଥା, ଯାହା ଧାନ ଚାଷ ପାଇଁ ସମ୍ପୂର୍ଣ ଅନୁକୂଳ।
ତେବେ ଏହି ସମୟରେ ଲଗାଣ ବର୍ଷା ଲାଗି ରହିବା ସହିତ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥାଏ। ମାତ୍ର ଜୁଲାଇ ଅଧା ହେବାକୁ ବସିଲାଣି ହେଲେ ବେତନଟୀ ବ୍ଲକରେ ଆଜିସୁଦ୍ଧା ମାତ୍ର ୩୮ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସାମାନ୍ୟ ବୃଷ୍ଟିପାତ ଠାରୁ ୯୦% କମ। ଫଳରେ ନା କେନାଲରେ ପାଣି ଆସୁଛି ନା ନଈ ପୋଖରୀରେ ପାଣି ଅଛି, ଯାହାକୁ ନେଇ ଚାଷୀ ଆଶଙ୍କାରେ।
କୃଷି ବିଭାଗ ସୂଚନା ଅନୁଯାଇ ଏଯାବତ ମାତ୍ର ୧୨୦ହେକ୍ଟର ଜମିରେ ଚାଷ କାମ ଆରମ୍ଭ ହୋଇପାରିଛି, ଯାହା ସମ୍ପୂର୍ଣ ଚାଷଜମିର ମାତ୍ର ୧ପ୍ରତିଶତ। ସେହିପରି ସରକାରୀ କାଗଜପତ୍ରରେ ୯୧୦୮ହେକ୍ଟର ଜମି ଜଳସେଚିତ, ହେଲେ ପ୍ରାୟତଃ ଉଠା ଜଳସେଚନ ପ୍ରକଳ୍ପ ଅକାମି ଥିବାରୁ ଜମି ସବୁ ଶୁଖିଲା ପଡ଼ିଛି। ଅନ୍ୟପଟେ ସୁବର୍ଣ୍ଣରେଖା କେନାଲ ଦ୍ୱାରା ୭ହଜାରରୁ ୯ହଜାର ହେକ୍ଟର ଜମି ଜଳ ସେଚିତ ହେବାନେଇ ସରକାର ବାହାସ୍ପଟ ମାରୁଥିବାବେଳେ ଏଯାବତ କେନାଲରେ ପାଣି ମୁନ୍ଦେ ଗଡ଼ିନି। ଏବେବି ବେତନଟୀ ବ୍ଲକରେ ବର୍ଷା ଅପେକ୍ଷାରେ ଚାଷୀ। ଉକ୍ତ ବ୍ଲକର ଚାଷୀ କୃପାନିଧି ମହାପାତ୍ର , ଛୋଟ ବେଳୁ ଚାଷ ବାସ କରନ୍ତି।
ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିଛନ୍ତି । କିନ୍ତୁ ବର୍ଷାର ନାହିଁ ଦେଖା। ସେହିପରି ଅନେକ ଚାଷୀ ବର୍ଷାକୁ ଅପେକ୍ଷା କରି ହା’ହୁତାଶରେ ଦିନ କାଟୁଛନ୍ତି। ସେପଟେ ଜୁଲାଇ ଆରମ୍ଭରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହୁଛି, ହେଲେ ବର୍ଷାର ଦେଖାନାହିଁ। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଥିବାରୁ ଆଗକୁ କିପରି ଧାନ ଚାଷ ହେବ ସେନେଇ ଚିନ୍ତାରେ ଚାଷୀ। ଏ ନେଇ ବ୍ଲକ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି, ଜୁନ ମାସରେ ବର୍ଷାର ପରିମାଣ ସାମାନ୍ୟ କମ ରହିଥିଲା ମାତ୍ର ଜୁଲାଇ ମାସ ବର୍ତ୍ତମାନ ସୁଦ୍ଧା ବହୁତ କମ ବର୍ଷା ହୋଇଛି। ହୋଇଥିବା ବର୍ଷାର ପରିମାଣ ଦେଖିଲେ ଆଉ ୧୮ ଦିନ ଭିତରେ ସ୍ବାଭାବିକ ବର୍ଷା ଅନୁମାନ କରାଯାଉଛି। ଏହି ବର୍ଷା ହେଲେ ଚାଷ କାର୍ଯ୍ୟ ବହୁ ପରିମାଣରେ ଆଗେଇ ପାରିବ ନହେଲେ ପରିସ୍ଥିତି ଗମ୍ଭୀର ହେବା ବୋଲି ସୂଚନା ଦେଇଛନ୍ତି।
Follow Us