ବରୁଣେଇ ଶ୍ମଶାନର ପୁନରୁଦ୍ଧାର ଦାବି

Advertisment
ବରୁଣେଇ ଶ୍ମଶାନର ପୁନରୁଦ୍ଧାର ଦାବି

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠରେ ଥିବା ପୁରାତନ ବରୁଣେଇ ଶ୍ମଶାନକୁ ନେଇ ଗତ କିଛିବର୍ଷ ଧରି ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମଧ୍ୟରେ ଟଣାଓଟରା ଜାରି ରହିଛି। ପ୍ରଶାସନର ଅବହେଳାର ଶିକାର ହୋଇ ରହିଥିବା ଶ୍ମଶାନର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବାସିନ୍ଦା ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜ ହାତକୁ ନେବା ପରେ ପୌର ପ୍ରଶାସନର ନିଦ ଭାଙ୍ଗିଛି। ଶିଳ୍ପାଞ୍ଚଳ ନିକଟରେ ଖୋର୍ଦ୍ଧା ପୌରାଞ୍ଚଳର ଅନ୍ୟତମ ପୁରାତନ ବରୁଣେଇ ଶ୍ମଶାନ ରହିଛି। ଏହି ଶ୍ମଶାନ ଉପରେ ୩,୪,୫,୬,୭,୮ ଓ ୧୩ ନମ୍ବର ୱାର୍ଡ ବାସିନ୍ଦା ଦାହ ସଂସ୍କାର ଆଦି କର୍ମପାଇଁ ନିର୍ଭର କରିଥାନ୍ତି। ଏକଦା ଏହି ଶ୍ମଶାନର ଆୟତନ ପ୍ରାୟ ୨ ଏକର ଥିଲା, ବର୍ତ୍ତମାନ ଏହା ମାତ୍ର କିଛି ଡେସିମଲ ମଧ୍ୟରେ ସୀମିତ ହୋଇଯାଇଛି। ବରୁଣେଇ ବର୍ଦ୍ଧିତ ଶିଳ୍ପାନୁଷ୍ଠାନକୁ ଜମି ଯୋଗାଇ ଦେବା ଆଳରେ ଶ୍ମଶାନ ଜମିକୁ ସଂକୀର୍ଣ୍ଣ କରାଯାଉଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଅନେକ ଥର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି।

ଅନେକ ଦାବି ପରେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ ଶ୍ମଶାନର ରକ୍ଷଣାବେକ୍ଷଣ ଓ ପରିଚାଳନା ପ୍ରତି ଦୃଷ୍ଟି ଦେଇନଥିବା ହେତୁ ସ୍ଥାନୀୟ ବାସିନ୍ଦା ବର୍ତ୍ତମାନ ଏହାର ଦାୟିତ୍ୱ ନିଜ ହାତକୁ ନେଇଛନ୍ତି। ୮ ନମ୍ବର ୱାର୍ଡ କାଉନ୍ସିଲର ସୁଶାନ୍ତ ଜେନା, ୩ ନମ୍ବର ୱାର୍ଡ କାଉନ୍ସିଲର ଦିଲିପ ପରିଡ଼ା, ରାଜେଶ ପ୍ରଧାନ, ୪ ନମ୍ବର ୱାର୍ଡ କାଉନ୍ସିଲର ପ୍ରଶାନ୍ତ ସେଠୀ, ୭ ନମ୍ବର ୱାର୍ଡ କାଉନ୍ସିଲର ଅଜିତ ମହାପାତ୍ର, ଶିବ ରାଉତରାୟ, ଗୋପାଳ ମହାନ୍ତି, ଦ୍ୱିତିକୃଷ୍ଣ ବେଜ, ସୁଧାଂଶୁ ଦାସଗୁପ୍ତା, ବାବି ପରିଡ଼ା, ପ୍ରକାଶ କୁମାର ହାତୀ, ଲଳିତ ମୋହନ ମହାପାତ୍ର, ପ୍ରବୀଣ ଭଞ୍ଜଙ୍କ ସମେତ ଯୁବକମାନେ ଶ୍ମଶାନକୁ ସଫା କରିବା ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଗତକାଲି ପୌର ପ୍ରଶାସନ ପକ୍ଷରୁ କାଉନ୍ସିଲରଙ୍କ ସହ ଆଲୋଚନା କରାଯାଇ ଶ୍ମଶାନର ପାଚେରୀ ନିର୍ମାଣ ଓ ଏହାକୁ ସ୍ମାର୍ଟ ଶ୍ମଶାନରେ ପରିଣତ କରିବାକୁ ପ୍ରତିଶ୍ରୁତି। ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନା କ୍ୱାବାକୁମ୍ କହିଛନ୍ତି ଯେ ଏନେଇ ପ୍ରସ୍ତାବ ଭୁବନେଶ୍ୱର ମହାନଗର ନିଗମକୁ ପୂର୍ବରୁ ପଠାଯାଇଛି, ଏହି ପ୍ରସ୍ତାବକୁ ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ପୁଣିଥରେ ବିଭାଗକୁ ଅନୁରୋଧ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe