କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଏନଟିୟୁସିର ବିକ୍ଷୋଭ

Advertisment
କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇଏନଟିୟୁସିର ବିକ୍ଷୋଭ

ଫୁଲବାଣୀ: ସଂପ୍ରତି କରୋନା ମହାମାରୀକୁ ନେଇ ଶ୍ରମିକମାନେ ଦୁଃଖରେ ଦିନ କାଟୁଛନ୍ତି। ବାହାର ରହୁଥିବା ଶ୍ରମିକମାନେ ଭୋକ ଉପାସରେ ରହି ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଶ୍ରମିକଙ୍କ ଦୁଃଖ ବୁଝିବା ପରିବର୍ତ୍ତେ କାମ ଯୋଗାଇ ଦେବା ନାଁରେ କେନ୍ଦ୍ର ସରକାର ସେମାନଙ୍କୁ ଶୋଷଣ କରିବାକୁ ଉଦ୍ୟମ ଚଳାଇଛନ୍ତି।  ଦିନକୁ ୮ ଘଣ୍ଟା କାମ କରିବାର ନିୟମ ରହିଛି। ଶ୍ରମ ଆଇନ ସଂଶୋଧନ କରି ଦିନକୁ ୮  ପରିବର୍ତ୍ତେ ୧୨ ଘଣ୍ଟା କାମ କରିବାକୁ କୁହାଯାଉଛି। ଏଥି ଯୋଗୁ ଶ୍ରମ ଆଇନ ଉଲ୍ଲଘଂନ ହେଉଛି।

କେନ୍ଦ୍ର ସରକାରଙ୍କ ଏହି ଶ୍ରମିକ ମାରଶା ନୀତିକୁ  ବିରୋଧ କରିଛି ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ସାମାଜିକ ଦୂରତା ରକ୍ଷା କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ୧୨ ଘଣ୍ଟା କାମ କରିବା ନିଷ୍ପତ୍ତିର ପ୍ରତ୍ୟାହାର,ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା,ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଅଧିକ ସହାୟତା ପ୍ରଦାନ,ଫେରୁଥିବା ପ୍ରବାସୀଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ  ସହ ସବୁ ଶ୍ରେଣୀୟ ଶ୍ରମିକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି।

ଏ ନେଇ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରାଯାଇଛି। ଶ୍ରମିକ ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ କେହି କ୍ଷୂର୍ଣ୍ଣ କଲେ ଆଗାମୀ ଦିନରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଶ୍ରମିକ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରୀ ଶବର ସତର୍କ କରାଇ ଦେଇଥିଲେ। ସଂଗଠନର କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ କୁମାର ବେହେରା,ଜାକିର ଉଲ୍ଲା ଖାନ୍,ଶିବଶଙ୍କର ବେହେରା,ଗଜେନ୍ଦ୍ର କହଁର,ସୁଦାମ ବେହେରା ଓ ରାଧାକାନ୍ତ ଦିଗାଲଙ୍କ ସମେତ ଜିଲ୍ଲାର ଦୁରଦୁରାନ୍ତରୁ ଶ୍ରମିକମାନେ ଏହ‌ି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe