ରାୟଗଡ଼ାରେ ଡେଙ୍ଗୁ ଅଣାୟତ୍ତ: ଟିକରପଡ଼ାର ୪୨ ଜଣଙ୍କ ନମୁନା ପଜିଟିଭ, ଗାଁରେ ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

ରାୟଗଡ଼ାରେ ଡେଙ୍ଗୁ ଅଣାୟତ୍ତ: ଟିକରପଡ଼ାର ୪୨ ଜଣଙ୍କ ନମୁନା ପଜିଟିଭ, ଗାଁରେ ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ କାୟା ମେଲାଇଛି ଡେଙ୍ଗୁ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ଏବେ ସ୍ଥିତି ଅଣାୟତ୍ତ ହୋଇ ପଡିଛି। ଜିଲ୍ଲାର ୧୩୭ ନମୁନାରୁ ୪୯ ନମୁନା ପଜିଟିଭ ଚିହ୍ନଟ ହୋଇଛି। ସେଥି ମଧ୍ୟରୁ କେବଳ ୪୨ ନମୁନା ମୁନିଗୁଡା ବ୍ଲକ ଟିକରପଡ଼ା ଗ୍ରାମର। ଗୋଟିଏ ଗ୍ରାମର ଏତେ ସଂଖ୍ୟକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ଜଣା ପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ମୁନିଗୁଡା, ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ଓ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ଟିକରପଡ଼ା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ପ୍ରତିଦିନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନମୁନା ସଂଗ୍ରହ ଚାଲିଛି।

ମୁନିଗୁଡ଼ା ବ୍ଲକ୍ ଟିକରପଡ଼ା ଗାଁରେ ଗତ ୨ ମାସରେ ୧୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି। ଅନ୍ୟ କିଛି ଆକ୍ରାନ୍ତ ଭୟରେ ଅଧିକ ଚିକିତ୍ସା ପାଇଁ ବିଷମକଟକ ଘରୋଇ ମେଡିକାଲରେ ଭର୍ତ୍ତି ହେବା ପରେ ଡେଙ୍ଗୁ ବ୍ୟାପିଥିବା ଜଣା ପଡିଥିଲା। ଚିକିତ୍ସାଧୀନ ଆନନ୍ଦ ବାଘଙ୍କ ରିପୋର୍ଟ ଡେଙ୍ଗୁ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଥିଲା। ଗାଁରେ ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପ ପକାଇ ଲୋକଙ୍କୁ ସଚେତନ କରିବା ସହିତ ଚିକିତ୍ସା ଆରମ୍ଭ କରିଛି।

publive-image

ଗତ ୨ ମାସ ମଧ୍ୟରେ ଟିକରପଡ଼ାର ମୀରା ପଲକିଆ, ଶବର ଗରଡ଼ିଆ, ରୁକୁନି ଗରଡ଼ିଆ, ସୁକ ବାଘ, ବିଭୂ କିଶୋର ବାଘ, ଜିତୁ କନ୍ଧପାଣି, ବୀର କରକରିଆ, ରଥ ନାଗ, ସିକେନ୍ଦ୍ର ବାଗଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଉର୍ଧ୍ବ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପ୍ରିଲ ୧୧ ତାରିଖରୁ ଆଜି ସୁଦ୍ଧା ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ କେବଳ ଟିକରପଡ଼ାର ୪୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ନଜରକୁ ଆସିବା ପରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ବି. ଏଲ୍. ଏନ୍. ପୃଷ୍ଟିଙ୍କ ସମେତ ସ୍ବାସ୍ଥ୍ୟ ଟିମ୍, ମୁନିଗୁଡ଼ା ବିଡ଼ିଓ ଡ. ଦିଲ୍ଲୀପ କୁମାର ବେହେରା, ତହସିଲଦାର ଡ. ଦେବାଶିଷ ଗୌଡ ଗାଁରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିବା ସହ ପରିମଳ ବ୍ୟବସ୍ଥାରେ ସୁଦ୍ଧାର ଆଣିବା ପାଇଁ ନିର୍ଦେଶ ଦେଇଛନ୍ତି। ସଂପୂର୍ଣ୍ଣ ଗ୍ରାମକୁ ବିଶୋଧନ କରାଯିବା ସହ ମଶାମରା ଧୂଆଁ ସ୍ପ୍ରେ କରାଯାଇଛି। ଡେଙ୍ଗୁକୁ ଆୟତ୍ତ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ଏବଂ ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ଥିତି ଭଲ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe