ଦେବଗଡ଼ ଜିଲ୍ଲାରେ ଅଂଶୁଘାତରେ ୨ ମୃତ ଅଭିଯୋଗ

Advertisment
ଦେବଗଡ଼ ଜିଲ୍ଲାରେ ଅଂଶୁଘାତରେ ୨ ମୃତ ଅଭିଯୋଗ

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲାରେ ୨ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରଥମ ଘଟଣାଟି ହେଉଛି ବାରକୋଟ ଥାନା ଅଞ୍ଚଳର। ମୃତକ  ହେଲେ ବାରକୋଟ ଥାନା ଅନ୍ତର୍ଗତ ବିଛାଖଣି ଗ୍ରାମର ଟିକେଶ୍ୱର ନାଏକ (୩୨)। ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଟିକେଶ୍ବର ନିଜର ଶ୍ବଶୁର ଘର ନଳବନ୍ଧ ଗ୍ରାମକୁ ରାମନବମୀ ଯାତ୍ରା ଦେଖିବା ପାଇଁ ଯାଇଥିଲେ । କିନ୍ତୁ ନଳବନ୍ଧ ଗ୍ରାମର ମଦଭାଟି ନିକଟରେ ଟିକେଶ୍ବର ଗୁରୁବାର ଅଚେତ ହୋଇ ପଡିଥିବା ନେଇ ତାଙ୍କ ତ୍ସୀ ରୋଜିରାଣୀଙ୍କୁ ତାଙ୍କ ଭାଇ ସୂଚନା ଦେଇଥିଲେ । ଏନେଇ ଟିକେଶ୍ବରଙ୍କ ତ୍ସୀ ଥାନାରେ ଅଭି​ଯୋଗ କରିଛନ୍ତି। ବାରକୋଟ ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ।

ଦ୍ବିତୀୟ ଘଟଣାଟି ହେଉଛି ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଞ୍ଚଳର। ଉକ୍ତ ଥାନା ଅଞ୍ଚଳର କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲୀ ଗ୍ରାମର ଜଣେ ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ମୋହନ ବେହେରାଙ୍କ ସ୍ତ୍ରୀ ଲିଙ୍ଗ ବେହେରା(୭୦)। ଶୁକ୍ରବାର ପୁଅ ଡୁଣୁ ବେହେରା ମା’ଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଲିଙ୍ଗ ଶୁକ୍ରବାର ସକାଳେ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଦିନ ୧୨ଟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବାକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳେ ସାତକିଆରୀର ଏକ ମହୁଲ ଗଛ ମୂଳରେ ମୃତ୍ୟୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe