ବର୍ଷାର ସଂକେତ ନେଇ କୁଣ୍ଢେଇଗୋଲାକୁ ଆସନ୍ତି ପକ୍ଷୀ

Advertisment
ବର୍ଷାର ସଂକେତ ନେଇ କୁଣ୍ଢେଇଗୋଲାକୁ ଆସନ୍ତି ପକ୍ଷୀ

ଦେବଗଡ଼: ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସନ୍ତି ବିରଳ ପକ୍ଷୀ। ପକ୍ଷୀଙ୍କ ଆଗମନ ପରେ ବର୍ଷା ହେବାର ସଙ୍କେତ ପାଇ ଅଞ୍ଚଳରେ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବିଶ୍ବବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ମୌସୁମୀ ବର୍ଷା ଆଗମନର ପୂର୍ବ ସଙ୍କେତ ନେଇ ଆସନ୍ତି ଏହି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ। ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କୁଣ୍ଢେଇଗୋଲା ଗ୍ରାମବାସୀ।

publive-image
ସୂଚନା ଅନୁଯାୟୀ, ଜିଲ୍ଲାର ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଲା ଗ୍ରାମକୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ୨ଟି ତେନ୍ତୁଳି ଗଛରେ ସେମାନେ ବାସ କରୁଛନ୍ତି। ବନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏହି ପକ୍ଷୀସବୁ ହଂସରାଳି ଓ ଗେଣ୍ଡାଳିଆ ପ୍ରଜାତିର ଅଟନ୍ତି। ଚିଲିକାରେ ଏହି ପକ୍ଷୀ ଦେଖିବାକୁ ମିଳେ। ତେବେ ପକ୍ଷୀଙ୍କ ଆଗମନରେ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଛି।

ପ୍ରତିବର୍ଷ ବହୁ ସଂଖ୍ୟାରେ ପକ୍ଷୀ ଜୁଲାଇ ମାସରେ ଏଠାକୁ ଆସିବା ଆରମ୍ଭ କରିଥାନ୍ତି। ପକ୍ଷୀଙ୍କ ଆଗମନ ଦେଖିଲେ ଗ୍ରାମବାସୀ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି। ଏହା ସହିତ ଚାଷୀମାନେ ଜମି ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଯେଉଁ ବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ରହିଥାଏ, ସେହି ବର୍ଷ ସ୍ବାଭାବିକ ବର୍ଷା ହେବାର ଆକଳନ କରିଥାନ୍ତି ଗ୍ରାମବାସୀ। ଏହି ପକ୍ଷୀ ଜମିରେ ଥିବା‌ ମାଛ, କୀଟ ଖାଇଥାନ୍ତି। ଯାହା ଫଳରେ କି ଧାନ ଚାଷ ସମୟରେ ଗ୍ରାମବାସୀଙ୍କ ଚାଷ ବିଶେଷ ଭାବେ ପୋକ ଦ୍ବାରା ନଷ୍ଟ ହେଉ ନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ପକ୍ଷୀମାନେ ଏଠାରେ ଛୁଆ ଜନ୍ମ କରି ଉଡ଼ିବା ଶିଖାଇଲା ପରେ ଡିସେମ୍ବର ମାସ ଶେଷ ବେଳକୁ ଗ୍ରାମ ଛାଡ଼ି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥାନ୍ତି। ପକ୍ଷୀମାନଙ୍କୁ ବନ ବିଭାଗ କର୍ମଚାରୀଙ୍କ ସହିତ ଗ୍ରାମବାସୀ ସହଯୋଗ ଦେଇ ସୁରକ୍ଷା ଦେଇଥାନ୍ତି। ଗ୍ରାମରେ ପକ୍ଷୀ ଶିକାର ପାଇଁ ଗ୍ରାମ କମିଟି ଓ ସ୍ଥାନୀୟ ଭିଏସ୍‌ଏସ୍‌ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଏହି ପକ୍ଷୀଙ୍କ ସମ୍ବନ୍ଧରେ ଅଧିକ ଗବେଷଣା କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe