Advertisment

ଏନ୍‌ଏଚ୍‌ ମରାମତି ଦାବିରେ କଂଗ୍ରେସର ଆନ୍ଦୋଳନ ଧମକ

Advertisment
ଏନ୍‌ଏଚ୍‌ ମରାମତି ଦାବିରେ କଂଗ୍ରେସର ଆନ୍ଦୋଳନ ଧମକ

ଦେବଗଡ଼: ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ବିଭିନ୍ନ ସମୟରେ ନିର୍ମାଣକାରୀ ସଂସ୍ଥା ଦ୍ୱାରା ମରାମତି କରାଯାଉଥିଲେ ହେଁ ନିମ୍ନମାନର କାମ ଯୋଗୁଁ କିଛି ସମୟ ପରେ ତାହା ପୂର୍ବ ଅବସ୍ଥାକୁ ଫେରି ଆସୁଛି। ଖଣ୍ଡିଆ ଖାବରା ରାସ୍ତାରେ ପ୍ରବଳ ଧୂଳି ଉଡୁଥିବାରୁ ଯାତାୟାତ କରୁଥିବା ଲୋକେ ବିଶେଷ କରି ବାଇକ୍‌ ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଖରାପ ରାସ୍ତ ଓ ଧୂଳି ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ବହୁ ଲୋକଙ୍କ ପ୍ରାଣହାନି ଘଟିଲାଣି। ବହୁ ଲୋକ ଆହତ ହୋଇ ମଧ୍ୟ ହୋଇଛନ୍ତି। ରାଜପଥର ସଂପ୍ରସାରଣ ଚାଲୁଥିବା ଯୋଗୁଁ ରାସ୍ତା ମରାମତି କରାଯାଉ ନଥିବାରୁ ଦେବଗଡ଼-ସମ୍ୱଲପୁର ଓ ଦେବଗଡ଼-ପାଲଲହଡା ରାସ୍ତା ମରଣଯନ୍ତା ପାଲଟିଛି। ଦାବି ହେଲେ ଦୋଷ ଛଡ଼ାଇବାକୁ ନିର୍ମାଣକାରୀ ସଂସ୍ଥା ଓରିଏଣ୍ଟାଲ୍‌ କନ୍‌ଷ୍ଟ୍ରକ୍‌ସନ୍‌ ସ୍ଥାନେ ସ୍ଥାନେ ମରାମତି କରୁଥିଲେ ହେଁ ତାହା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଏ ନେଇ ଶୁକ୍ରବାର ଜିଲ୍ଲା ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ବରେ କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ରାଜପଥ ମରାମତି କରିବାକୁ ଦାବି କରିଥି‌ଲେ। ସଂପୃକ୍ତ ସଂସ୍ଥା ୭ ଦିନ ଭିତରେ ମରାମତି ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ କିଛି ମାସ ପୁର୍ବରୁ ଜିଲ୍ଲାପାଳ ଓରିଏଣ୍ଟାଲ ସଂସ୍ଥାକୁ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ସଂସ୍ଥା ଉକ୍ତ ନିର୍ଦ୍ଦେଶକୁ ଖାତିର ନ କରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଂଜୁଲତା ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ବର ଗୁରୁ, ଜିଲ୍ଲା ଉପସଭାପତି ପ୍ରକାଶ ଦେବତା, ଆଦିବାସୀ ନେତା କ୍ଷେତ୍ର ପାତ୍ର, ସୁଶାନ୍ତ ସ୍ବାଇଁ, ପ୍ରଶାନ୍ତ ସାହୁ, ବିକାଶ ଖଡିରତ୍ନ, ପ୍ରଫୁଲ୍ଲ ନାୟକ, ଘନଶ୍ୟାମ ସାହୁ, ସବିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe