ମାଟିରେ ପୋତା ଯାଇଥିବା ମହିଳାଙ୍କ ଶବ ଜବତ, ହତ୍ୟା ସନ୍ଦେହ

Advertisment
ମାଟିରେ ପୋତା ଯାଇଥିବା ମହିଳାଙ୍କ ଶବ ଜବତ, ହତ୍ୟା ସନ୍ଦେହ

ରିଆମାଳ: ରିଆମାଳ ଥାନା ତାଳକୁଣ୍ଡି ପଂଚାୟତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ଖୋଳି ପୋତାଯାଇଥିବା ଜଣେ ମହିଳାଙ୍କ ଗଳିତ ଶବ ଜବତ କରାଯାଇଛି। ରିଆମାଳ ଥାନା ପୁଲିସ ଶୁକ୍ରବାର ସନ୍ଧ୍ୟାରେ ପହଂଚି ମହିଳାଙ୍କ ଗଳିତ ଶବ ଜବତ କରିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଛି। ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ କଲା ପରେ ମହିଳାଙ୍କ ଗଳିତ ଶବ ମାଟି ଖୋଳି ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ସୁଚନା ଅନୁଯାୟୀ ଗତକାଲି ଦିନ ପ୍ରାୟ ୪ ଟା ସମୟରେ ଜଣେ ବ୍ୟକ୍ତି ଉକ୍ତ ଅଂଚଳରେ ଛେଳି ଚରାଉଥିବା ବେଳେ ମହିଳାଙ୍କ ଗଳିତ ଶବ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀଙ୍କୁ କହିବା ପରେ ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଥିଲା। କେହି ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମାଟି ଖୋଳି ପୋତି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କିଛି ଭଙ୍ଗା ଚୁଡି ଏବଂ ମହିଳାଙ୍କ ଶାଢି ମଧ୍ୟ ପଡିଥିବା ଦେଖାଯାଇଛି। ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି । ମାତ୍ର ସନ୍ଧ୍ୟା ହୋଇ ଯାଇଥିବାରୁ ଆଜି ମହିଳାଙ୍କ ଶବ ଉଦ୍ଧାର କରାଯିବ ବୋଲି ପୁଲିସ ଠାରୁ ସୂଚନା ମିଳିଛି। ତେବେ ମହିଳାଙ୍କ ପରିଚୟ ଜଣାପଡି ନାହିଁ । ଗତ କିଛି ଦିନ ଭିତରେ ଉକ୍ତ ଅଂଚଳରେ କାହାରି ମୃତ୍ୟୁ ହୋଇ ନ ଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ତଦନ୍ତ ଚଳାଇଛନ୍ତି । ସେପଟେ ସ୍ଥାନୀୟ ସରପଂଚ ଏନେଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe