ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଦାବିରେ ଦେବଗଡ଼ ବନ୍ଦ

Advertisment
ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଦାବିରେ ଦେବଗଡ଼ ବନ୍ଦ

ଦେବଗଡ଼: ଦେବଗଡ଼ରେ ଆଜି୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ବନ୍ଦ ପାଳିତ ହେଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ ହେବ ବୋଲି ଜଣାଯାଇଛି। ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଂଘର ଆହ୍ବାନକ୍ରମେ ଏହି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି।

ଜିଲ୍ଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମରମଙ୍କ ନେତୃତ୍ୱରେ ବହୁ ଚାଷୀ ଆଜି ସକାଳ ୬ଟାରେ ନୀଳବେଣୀ ସାହିସ୍ଥିତ ବାଇପାସ୍ ଛକ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଯାହା ଫଳରେ ଶତାଧିକ ଗାଡ଼ି ଅଟକି ରହିଛି । ଜିଲ୍ଲାରେ ୨୦୨୧-୨୨ ରେ ସ୍ବଳ୍ପ ବର୍ଷା ହେବା ଯୋଗୁ ଉନ୍ନତମାନର ଧାନ ଚାଷ ନ ହେବାରୁ ଚାଷୀମାନଙ୍କୁ ନାନା କ୍ଷତି ସହିବାକୁ ପଡିଥିଲା । ଅନ୍ୟପଟେ ଦାଉ ସାଜିଥିଲା ହାତୀ ଉପଦ୍ରବ। ଏଭଳି ପରିସ୍ଥିତରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାକୁ ଯୋଗ୍ୟ ଚାଷୀମାନଙ୍କୁ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରୁନାହାନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଏନେଇ ସଂଘ ପକ୍ଷରୁ ପୂର୍ବରୁ ମଧ୍ୟ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି କୌଣସି ଯୋଗ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ କରାଯାଇଥିବାବେଳେ ଦେବଗଡ଼ ଜିଲ୍ଲାର ଚାଷୀ ଏପର୍ଯ୍ୟନ୍ତ ବୀମା ରାଶିରୁ ବଞ୍ଚିତ ରହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରିବାକୁ କୃଷକ ସଂଘର୍ଷ ସଂଘ ପକ୍ଷରୁ ଗତ ୧୦ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହାପରେ ବି ଚାଷୀଙ୍କୁ ମିଳିନାହିଁ ସେମାନଙ୍କର କ୍ଷତିପୂରଣ ରାଶି । ସଂଘ ପକ୍ଷରୁ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ପାଳନ ହେବା ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସ୍କୁଲ , କଲେଜ ଏବଂ ରାସ୍ତାଘାଟ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି ସଂଘର ସଭାପତି ଶ୍ରୀ ହେମରମ ସୂଚନା ଦେଇଛନ୍ତି। ଏହାର ସମାଧାନ ପାଇଁ ଅତିରିକ୍ତ ଜିଲାପାଳ ରେବିକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ଓ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଆଲୋଚନା ବିଫଳ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe