ରିଆମାଳ: ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ କରଲଗା ଗାଁରେ ଜଣେ ନବବିବାହିତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରିଛି। ଅଭିଯୋଗ ଅନୁସାରେ କରଲଗା ଗାଁର ନାରାୟଣ ମହାନ୍ତିଙ୍କ ପୁଅ କରୁଣାକର ମହାନ୍ତି ଗତ ଅକ୍ଟୋବର ମାସରେ ଧୁବୁଲିପଥର ଗାଁ’ର ରମେଶ ସାହୁଙ୍କ ଝିଆ ଅନୁସୂୟାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ କନ୍ୟା ପିତା ଉପହାର ଭାବେ ନଗଦ ଦେଢ଼ ଲକ୍ଷ ଟଙ୍କା ସହ ବହୁ ଘରକରଣା ସାମଗ୍ରୀ ପ୍ରଦାନ କରିଥିଲେ। ମାତ୍ର ବାହାଘରର କିଛି ଦିନ ନ ପୂରୁଣୁ ଅଧିକ ଯୌତୁକ ପାଇଁ କରୁଣାକର ଅନୁସୂୟାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ଧୀରେ ଧୀରେ ଏହା ବଢ଼ିବା ସହ କରୁଣାକର ନିଜ ପ୍ରେମିକା ସହ ମିଶି ତାଙ୍କୁ ତଣ୍ଟି ଚିପି ଦେବା ଓ ବନ୍ଧୁକ ମୂନରେ ମାରିବାକୁ ଧମକ ଦେଇଥିଲେ। ପଳରେ ଅନୁସୂୟା କୌଶଳକ୍ରମେ ଖସି ବାପ ଘରକୁ ଚାଲିଯିବା ପରେ ବୁଧବାର ଖଇରପାଲି ଫାଣ୍ଡିରେ ପହଞ୍ଚି ଏତଲା ଦେଇଥିଲେ। ଏ ନେଇ କୁଣ୍ଢେଇଗୋଳା ଥାନାରେ ମାମଲା ରୁଜୁ ହେବା ସହ ଥାନାଧିକାରୀ ରତ୍ନାକର ମଲ୍ଲିକ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।
ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା
Advertisment
Follow Us