image source-newindianexpress.com
କଟକ: ଦେବଗଡ଼ ଜିଲ୍ଲା ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀତାଞ୍ଜଳି ହାତୀଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ବୈଠକ ପୂର୍ବ ନିର୍ଦ୍ଧାରିତ ତାରିଖରେ ବସିବ, କିନ୍ତୁ ଫଳାଫଳ ହାଇକୋର୍ଟଙ୍କ ବିନା ଅନୁତିରେ ପ୍ରକାଶ ପାଇବ ନାହିଁ। ଅନାସ୍ଥା ପ୍ରସ୍ତାବ ଫଳାଫଳ ମୁଦା ଲଫାପାରେ ରଖାଯିବ। ଅନାସ୍ଥା ପ୍ରସ୍ତାବ ନୋଟିସ୍ ବିରୋଧରେ ଅଧ୍ୟକ୍ଷା ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଦେବଗଡ଼ ଜିଲ୍ଲାପାଳ, ରିଆମାଳ ବିଡିଓ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩କୁ ଧାର୍ଯ୍ୟ କରାଯାଇଛି।
ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ ୧୬ ତାରିଖ ଦିନ ରିଆମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନସ୍ଥା ପ୍ରସ୍ତାବ ସଂପର୍କିତ ସ୍ବତନ୍ତ୍ର ବୈଠକ ବସିବ। କିନ୍ତୁ ଅନାସ୍ଥା ପ୍ରସ୍ତାବ ସଂପର୍କିତ ଫଳାଫଳ ଘୋଷଣା କରା ନ ଯାଇ ମୁଦା ଲଫାପାରେ ଏହାକୁ ରଖାଯିବ। ମାମଲାର ବିବରଣୀରୁ ପ୍ରକାଶ ଯେ ବିଭିନ୍ନ ପ୍ରସଂଗରେ ଅନିୟମିତତା ଓ ପଦ ମର୍ଯ୍ୟାଦାର ଅପବ୍ୟବହାର ନେଇ ଅଧ୍ୟକ୍ଷାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
୨୦୨୧, ଜୁନ୍ ୧୯ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ଦେବଗଡ଼ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହାପରେ ଜୁଲାଇ ୧୬ରେ ଅନାସ୍ଥା ପ୍ରସ୍ତାବ ସଂପର୍କିତ ବୈଠକ ବସିବା ନେଇ ଜୁଲାଇ ୫ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଅନାସ୍ଥା ସଂପର୍କିତ ଏହି ନୋଟିସକୁ ଚାଲେଞ୍ଜ କରି ରୀତାଞ୍ଜଳି ହାତୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଆବେଦକାରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ମାତ୍ର ୫ ମାସ ବାକି ଥିବା ବେଳେ ଆଉ ଉପନିର୍ବାଚନ ସମ୍ଭବ ନୁହେଁ। ଆଇନ ଅନୁସାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
Follow Us