Advertisment

ଉଦାହରଣ ସୃଷ୍ଟି କଲେ କୀର୍ତ୍ତନପାଲି ଗ୍ରାମବାସୀ:ନିଜସ୍ବ ଉଦ୍ୟମରେ କଲେ ଔଷଧୀୟ ଉଦ୍ୟାନ

Advertisment
ଉଦାହରଣ ସୃଷ୍ଟି କଲେ କୀର୍ତ୍ତନପାଲି ଗ୍ରାମବାସୀ:ନିଜସ୍ବ ଉଦ୍ୟମରେ କଲେ ଔଷଧୀୟ ଉଦ୍ୟାନ

ଦେବଗଡ଼ (ଶକ୍ତିସୌରଭ ନନ୍ଦ): ଆମ ଦେଶରେ ସାଧାରଣତଃ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମେତ ଅନ୍ୟ କେତୋଟି ବିଶେଷ କାର୍ଯ୍ୟକ୍ରମରେ ହିଁ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଂଗୀତ ଗାନ ହୋଇଥାଏ। ମାତ୍ର ପ୍ରତିଦିନ ଜାତୀୟ ପତାକା ଉତ୍ତୋ‌ଳନ ସହ ଗ୍ରାମବାସୀ ମିଶି ମିଳିତ ଭାବେ ଜାତୀୟ ସଂଗୀତ ଗାନ କରିବା ସହ ପରସ୍ପର ମଧ୍ୟରେ ଭ୍ରାତୃତ୍ବ ଓ ଦେଶପ୍ରେମ ଭାବ ଜାଗ୍ରତ କରିବା ଏକ ଭିନ୍ନ ପରମ୍ପରା। ଏଭଳି ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତର କୀର୍ତ୍ତନପାଲି ଗ୍ରାମରେ। ଏହି ଗ୍ରାମକୁ କେନ୍ଦ୍ର ସରକାର ଏକ ସ୍ବଚ୍ଛ, ସୁସ୍ଥ, ରଙ୍ଗୀନ ଓ ବାହ୍ୟ ମଳମୁକ୍ତ ଗ୍ରାମ ମଧ୍ୟ ଘୋଷଣା କରିଛନ୍ତି। ଗାଁ’ଟି ରଙ୍ଗୀନ ଶୌଚାଳୟ ମାନ୍ୟତା ପାଇଲା ପରେ ଯେମିତି ଗାଁରୁ ଝାଡ଼ାବାନ୍ତି ରୋଗ ଏକ ପ୍ରକାର ଉଭେଇ ଯାଇଛି କହିଲେ ଚଳେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିରୋଗ ଓ ସୁନ୍ଦର ଗ୍ରାମର ପରିକଳ୍ପନା ଏଠାରେ ପୂରା ହୋଇଥିବାରୁ ଗ୍ରାମବାସୀ ଗାଁ’ ପାଣ୍ଠିରୁ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ। ଏହାକୁ ୩୧.୧.୧୮ ଦିନ ତତ୍‌କାଳୀନ ଜିଲ୍ଲାପାଳ ଉନ୍ମୋଚନ ମଧ୍ୟ କରିଥିଲେ। ତେବେ ଉକ୍ତ ବର୍ଷ ୨୬ ଜାନୁଆରିରୁ ଗ୍ରାମାସୀମାନେ ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହାକି ସମଗ୍ର ରାଜ୍ୟରେ ପ୍ରଥମ ଘଟଣା। ସେ ଦିନରୁ ପ୍ରତ୍ୟହ ଗାଁରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରାଯାଉଛି। ତେବେ ଗ୍ରାମବାସୀ ପ୍ରାୟ ସମସ୍ତେ କୃଷିଜୀବୀ ହୋଇଥିବାରୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଗୋଟିଏ ସ୍ଥାନରେ ଠୁଳ ହୋଇପାରୁ ନଥିବା ବେଳେ ଏକ ମାଇକ ଯୋଗେ ଜାତୀୟ ସଂଗୀତ ଗାନ କରାଯାଏ, ଯାହାକି କି ସେମାନେ ନିଜ ନିଜ କର୍ମ ସ୍ଥଳରୁ ହିଁ ଠିଆ ହୋଇ ସମ୍ମାନ ଜଣାଇଥାନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଏହାକୁ ଏକ ବର୍ଷ ପୂରିଛି। କୀର୍ତ୍ତନପାଲି ଏକ ଛୋଟିଆ ଗ୍ରାମ ହୋଇଥିବା ବେଳେ ଏଠାରେ ୩୪ଟି ପରିବାର ବସବାସ କରନ୍ତି। ସମସ୍ତେ କୃଷିଜୀବୀ ହୋଇଥିବା ବେଳେ ଧାନ, ସୋରିଷ, ରାଶି ତଥା ପନିପରିବା ଚାଷ କରି ପରିବାର ଗୁଜରାଣ ମେଣ୍ଟାଇଥାନ୍ତି। ଗାଁରେ କେହି ଉଚ୍ଚ ଶିକ୍ଷିତ ନଥିଲେ ହେଁ ସେମାନଙ୍କ ଏଭଳି କାର୍ଯ୍ୟ ଜିଲ୍ଲାକୁ ସାରା ଦେଶରେ ପରିଚିତ ଦେଇପାରିଛି। ୨୦୦୮-୦୯ରେ ଗାଁରେ ଶୌଚାଳୟ, ଗାଧୁଆ ଘର ଓ ପାନୀୟ ଜଳର ସୁବିଧା ଜିଲ୍ଲା ଜଳ ଓ ପରିମଳ ମିସନ ଓ ବ୍ରହ୍ମପୁରର ଗ୍ରାମ ବିକାଶ ମିଳିତ ଉଦ୍ୟମରେ ଘରେ ଘରେ ପହଞ୍ଚିଥିଲା। ଗାଁର ୩ଟି ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହାୟତାରେ ଗ୍ରାମବାସୀ ନିଜ ନିଜ ଶୌଚାଳୟ ସଫାସୁତରା କରି ରଙ୍ଗୀନ କଲେ ଓ ନିୟମିତ ବ୍ୟବହାର ମଧ୍ୟ କଲେ। ଫଳରେ ଗାଁ’ଟି ରଙ୍ଗୀନ ପାଇଖାନା ଗ୍ରାମର ମ‌ାନ୍ୟତା ପାଇଲା। କେବଳ ସେତିକି ନୁହେଁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଆରମ୍ଭ କରିଛନ୍ତି ଏକ ଔଷଧୀୟ ଉଦ୍ୟାନ। କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଡଷ୍ଟବିନ୍‌ରୁ ଜିଆ ଖତ ଉତ୍ପାଦନ କରାଯାଉଥିବା ବେଳେ ଏବେ ଗେଣ୍ଡୁ ଫୁଲ ଚାଷ ପାଇଁ ପ୍ରାୟସ ଜାରି ରହିଛି। ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ବେହେରା, ଆଶା କର୍ମୀ ସଂଯୁକ୍ତା ବେହେରା, ଗାଁ’ ସ୍ୱଚ୍ଛତା କମିଟିର କୈଳାସ ଚନ୍ଦ୍ର ସାହୁ, ନରୋତ୍ତମ ବେହେରା, ଯଦୁମଣି ସାହୁ, ସଂଯୁକ୍ତା ପ୍ରଧାନ, ନବ ବେହେରା, କବିତା ବେହେରା, ସୁରତୀ ସାହୁ, ମାଳତୀ ବେହେରା, ସରପଞ୍ଚ ସଞ୍ଜୁବାଳା ପ୍ରଧାନ, ପଞ୍ଚାୟତ ମନିଟର ଡମ୍ବରୁଧର କୁମୁରାଙ୍କ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି। ଏ ସବୁ କ୍ଷେତ୍ରରେ ଜିଲ୍ଲା ପରିମଳ ମିସନ ପରାର୍ମଶଦାତା କୁମୁଦ ଚନ୍ଦ୍ର ଶତପଥୀ ଓ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ସୁଜିତ ନାଥ ଗ୍ରାମବାସୀଙ୍କୁ ସହଯୋଗ କରୁଛନ୍ତି। ବିଭିନ୍ନ ସମସୟରେ ଜିଲ୍ଲାକୁ ନୋଡାଲ କମିସନର ଏବଂ ଅନୁଗୁଳ, କଟକ ଓ ବୌଦ୍ଧ ଜିଲ୍ଲାର ଜନ ପ୍ରତିନିଧି, ଅଧିକାରୀ ଓ ହିତାଧିକାରୀମାନେ ପରିଭ୍ରମଣରେ ଆସି କୀର୍ତ୍ତନପାଲି ଗାଁ ବୁଲିବା ସହ ଗ୍ରାମବାସୀଙ୍କ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରୁଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe