Image Courtesy of Times Now
ଦେବଗଡ଼: ବାରକୋଟ ଥାନାଞ୍ଚଳର ଜଣେ ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ପ୍ରେମିକ ବାରକୋଟ ଥାନା କତ୍ରାପାଲି ଗ୍ରାମର ପୁଲିନ ସାହୁ(୩୪)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ସୂଚନାନୁସାରେ କତ୍ରାପାଲି ଗ୍ରାମର ପୁଲିନ ମାଦଳିଆର ଗ୍ରାମର ଜଣେ ଯୁବତୀଙ୍କ ସହ ଚାରି ବର୍ଷ ହେବ ପ୍ରେମ ସଂପର୍କ ଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ପୁଲିନ ଯୁବତୀ ସହ ଶାରୀରିକ ସଂପର୍କ ରଖି ଆସୁଥିଲା। ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ପୁଲିନ ଗର୍ଭ ନଷ୍ଟ ନକଲେ ଯୁବତୀକୁ ବିବାହ କରିବ ନାହିଁ ବୋଲି ଚେତାବନୀ ଦେବାରୁ ଯୁବତୀ ଜଣକ ଏଥିରେ ରାଜି ହୋଇଥିଲା। ପୁଲିନ ଔଷଧ ଦେଇ ଯୁବତୀର ଗର୍ଭ ନଷ୍ଟ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ପୁଲିନର ଅନ୍ୟତ୍ର ବିବାହ ପାଇଁ ନିର୍ବନ୍ଧ ସରିଥିବା ଜାଣି ଯୁବତୀ ଜଣକ କାତ୍ରାପାଲି ସ୍ଥିତ ପୁଲିନର ଘରକୁ ଯାଉଥିବା ବେଳେ ବାଟରେ ପୁଲିନ ଅଟକାଇ ବୁଝାସୁଝା କରି ବଡ଼କୁଦର ଶିବ ମନ୍ଦିରକୁ ଆସିବାକୁ ଅନୁରୋଧ କରିଥିଲା। ଗତ ୧୧ ତାରିଖ ଦିନ ଯୁବତୀ ଜଣକ ବଡ଼କୁଦର ଗାଁ ଶିବ ମନ୍ଦିରରେ ପହଞ୍ଚି ସକାଳୁ ସଂଧ୍ୟା ଯାଏଁ ଅପେକ୍ଷା କରିବା ପରେ ମଧ୍ୟ ପ୍ରେମିକ ପୁଲିନ ସେଠାକୁ ଆସିନଥିଲା। ଏପରିକି ନିଜ ଫୋନ ମଧ୍ୟ ବନ୍ଦ ରଖିଥିଲା। ଫଳରେ ପୀଡ଼ିତା ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇଥିବା ଜାଣି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Follow Us