Mackinac Center
ଦେବଗଡ଼/ରିଆମାଳ: ବର୍ତ୍ତମାନ ଆଭ୍ୟନ୍ତରିଣ ଓଡ଼ିଶା ଉପରେ ତୀବ୍ର ଶୀତ ଲହରୀ ଅନୁଭୂତ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ସେକି ହେଉଥିବା ବେଳେ ନିଆଁ ଲାଗି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଲଇଣ୍ଡା ଗ୍ରାମର ରଇବାରୀ କୁଅଁର (୬୦)।
ସୂଚନା ଅନୁସାରେ ଶୀତରୁ ରକ୍ଷା ପାଇବା ପାଇଁ ରଇବାରୀ ସୋମବାର ସନ୍ଧ୍ୟାରେ ନିଜ ଘର ଅଗଣାରେ ନିଆଁ ଜାଳି ସେକି ହେଉଥିଲେ। କୌଣସି କାରଣବଶତଃ ତାଙ୍କ ଶାଢ଼ି ରେ ନିଆଁ ଲାଗି ଯାଇଥିଲା। ସେ ଜାଣି ପାରି ନ ଥିଲେ । ମାତ୍ର ସେ ଜାଣିବା ବେଳକୁ ଶାଢ଼ିରେ ଲାଗି ଥିବା ନିଆଁକୁ ଆୟତ୍ତ କରି ପାରି ନ ଥିଲେ। ସେ ଜୋରରେ ଚିତ୍କାର କରିବାରୁ ପରିବାର ଲୋକ ଦୌଡ଼ି ଆସିଥିଲେ। ମାତ୍ର ସେତେବେଳକୁ ତାଙ୍କ ଦେହରୁ ଅଧାରୁ ଅଧିକ ପୋଡ଼ି ଯାଇଥିଲା।
ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ପରିବାର ଲୋକ ତାକୁ ନିକଟସ୍ଥ ତିଲେଇବଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ବାବଦରେ ସରକାର ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us