ଦୁର୍ଘଟଣାରେ ମୃତ ମହିଳାଙ୍କ ଶବ ରଖି ରାସ୍ତାରୋକ

Advertisment
ଦୁର୍ଘଟଣାରେ ମୃତ ମହିଳାଙ୍କ ଶବ ରଖି ରାସ୍ତାରୋକ

ରିଆମାଳ: ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେବଗଡ଼-ଅନୁଗୁଳ‌ ୫୩ ନମ୍ବର ଜାତୀୟ ରାଜପଥ ନେଭ୍ରାପାଳ ଛକରେ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ରଖି ଗୁରୁବାର କ୍ଷତିପୂରଣ ଦାବିରେ ୪ ଘଣ୍ଟା ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଏଥିସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଥିଲେ।

ସୂଚନା ଅନୁସାରେ, ଗତ ୧ ନଭେମ୍ବର ସକାଳୁ ଏଠାରେ ଚଳନ୍ତା ଅବସ୍ଥାରେ ଏକ ପିକ୍ ଅପ୍ ଭ୍ୟାନର ଟାୟାର ଫାଟିଯାଇ ଥିଲା। ଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ବସକୁ ଅପେକ୍ଷା କରିଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇଥିଲା। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ନେଭରାପାଳ ଗ୍ରାମର କିଶୋର ନାୟକ ଓ ତାଙ୍କ ପତ୍ନୀ ଚାନ୍ଦିନୀ ନାୟକ। ଦୁର୍ଘଟଣାରେ ଚାନ୍ଦିନୀ ଛିଟିକି ପଡ଼ିବାରୁ ତା’ଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। କିଶୋର ଅଳ୍ପ ଆହତ ହୋଇଥିଲେ। ଲୋକେ ଦୁହିଙ୍କୁ ଉଦ୍ଧାର କରି ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚାନ୍ଦିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦେବଗଡ଼ ଓ ପରେ ବୁର୍ଲାର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା।

ଗୁରୁବାର ମୃତଦେହ ଗାଁ’କୁ ଆସିବା ପରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ରମେ ଲୋକଭିଡ଼ ବୃଦ୍ଧି ପାଇଥିଲା ଓ ମୃତଦେହକୁ ରାସ୍ତା ଉପରେ ରଖି ଦିନ ୨ଟାରୁ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ କୁଣ୍ଢେଇଗୋଳା ଥାନାଧିକାରୀ ପବିତ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜିଲ୍ଲା ବିଜେଡି ସଭାପତି ଚିତ୍ତରଞ୍ଜନ ପ୍ରଧାନ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଓ ରିଆମାଳ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ ପହଞ୍ଚି ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦେଇଥିଲେ। ଏଥିସହ ଆଗାମୀ ଦିନରେ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସନ୍ଧ୍ୟା ୬ଟାରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe