ଦେବଗଡ: ଖରା ଦିନର ଜଳ ସଂକଟ ଆହୁରି କିଛି ମାସ ରହିଥିବା ସମୟରେ ଏବେଠୁ ଗ୍ରାମାଞ୍ଚଳର ଜଳ ସଂକଟ ଦେଖିବାକୁ ମିଳୁଛି। ନଳକୂପରୁ ଲାଲ ପାଣି ବାହାରୁଛି। ତାହା ବ୍ୟବହାର ଉପଯୋଗୀ ନଥିବାରୁ ଗ୍ରାମବାସୀ ୧ କିମି ଦୂର ଗୋହୀରା ନାଳରୁ ପାଣି ଆଣି ଚଳୁଛନ୍ତି। ଏହା ବ୍ୟତୀତ ଗ୍ରାମରେ ଥିବା କୂଅ ଗୁଡିକ ମଧ୍ୟ ଏବେ ଠାରୁ ଶୁଖିବାକୁ ବସିଲାଣି। ନାଳରୁ ଗ୍ରାମର ମହିଳାମାନେ ପାଣି ନେବା ପାଇଁ ଲମ୍ବା ଧାଡି କରୁଛନ୍ତି। ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଂଚାୟତ ସାନଡଙ୍ଗାଘାଟ ଗ୍ରାମରେ ଏବେ ଜାନୁଆରି ମାସରେ ଜଳ ସଂକଟ ନେଇ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ କିପରି ସରକାରଙ୍କ ଜଳଯୋଗାଣ ବ୍ୟବସ୍ଥା ଓ ପ୍ରକଳ୍ପ ଚାଲୁଥିବ ସେନେି ଚର୍ଚାର ବିଷୟ ହୋଇଛି।
ସାନଡଙ୍ଗାଘାଟ ଗ୍ରାମରେ ୬ଟି ନଳକୂପ ମଧ୍ୟରୁ ୩ଟି ଅଚଳ ପଡ଼ିଛି। ଗୋଟିଏରୁ ଲାଲ ପାଣି ବାହାରୁଥିବା ବେଳେ ତ ଆଉ ଗୋଟିଏରୁ ଭଲ ପାଣି ବାହାରୁଛି। ହେଲେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଏହାସହିତ ଗ୍ରାମରେ ଥିବା କୂଅ ଗୁଡିକ ମଧ୍ୟ ଧିରେ ଧିରେ ଶୁଖିବାରେ ଲାଗିଛି। ଫଳରେ ସେଥିରୁ ମଧ୍ୟ ପାଣି ଗ୍ରାମବାସୀମାନେ ପାଇପାରୁନାହାନ୍ତି। ଗ୍ରାମରେ ଥିବା ମୁଣ୍ଡାସାହି ଏବଂ ବିର୍ସାସାହିରେ ଆଦିବାସୀ ଲୋକମାନେ ବସବାସ କରୁଥିବା ବେଳେ ଉକ୍ତ ସାହିରେ ଜଳଯୋଗାଣର କିଛି ଉପଯୁକ୍ତ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଯାଏ ଉକ୍ତ ଦୁଇଟି ସାହିରେ ନଳକୂପ ସ୍ଥାପନ ହୋଇପାରିଲାନାହିଁ। ଗ୍ରାମବାସୀମାନେ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏବଂ ଆରଡବ୍ଲୁଏସଏସ ବିଭାଗକୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରୁ ନାହାନ୍ତି। ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଦେବଗଡ଼ ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us